ଏରି : ଆମେରିକା ପେନସିଲଭାନିଆର ଏରି ଟାଉନରେ ହୋଇଥିବା ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ପୁଷ୍ଟି ହୋଇଛି। ଏଥିରେ ୨ ଜଣ ପିଲା ମଧ୍ୟ ପ୍ରାଣ ହରାଇଥିବାର ଖବର ଆସୁଛି। ଗଭର୍ଣ୍ଣର ଜୋସୁଆ ଡେଭିଡ ଶାପିରୋ ଏହି ସୂଚନା ଦେଇଛନ୍ତି। ପୋଲିସ ଅନୁସାରେ ସନ୍ଦିଗ୍ଧ ସୁଟରର ମଧ୍ୟ ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଏରି ପୋଲିସ ମୁଖ୍ୟ ରିକ୍ ଲୋରାହଙ୍କ ବୟାନ ଅନୁସାରେ ସେ ତାଙ୍କର ୨୮ ବର୍ଷର ପୋଲିସ ଚାକିରି କାଳରେ ଏପରି କାଣ୍ଡ କେବେ ଦେଖି ନଥିଲେ। ତେବେ ଏରି ଟାଉନ ମଧ୍ୟ କେବେ ଏପରି କାଣ୍ଡ ଦେଖିଥିବ ମୁଁ ଜାଣେନା ବୋଲି ସେ କହିଛନ୍ତି।

ତେବେ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଆସୁ ନାହିଁ। ଯଦିଓ ପୋଲିସ ମୁଖ୍ୟ ଏହା ଅତ୍ୟନ୍ତ ହୃଦୟ ବିଦାରକ ବୋଲି କହିଛନ୍ତି ତେବେ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି। ସେହିପରି ଏରି ମେୟର ଡାରିୟା ଡେଭଲିନ କହିଛନ୍ତି ଯେ ସନ୍ଦିଗ୍ଧ ସୁଟରର ମୃତ୍ୟୁ ହୋଇଛି। ଏଣୁ ଜନତାଙ୍କ ଲାଗି ଏବେ ସେପରି କୌଣସି ବିପଦ ନାହିଁ। ଏରି ସହର ପିଟସ୍ ବର୍ଗରୁ ପାଖାପାଖି ୨୦୦ କିଲୋମିଟର ଉତ୍ତର ଦିଗରେ ଅବସ୍ଥିତ। ତେବେ ଏହା ପୂର୍ବରୁ ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ସୂଚିତ କରିଥିଲା।

ସ୍ଥାନୀୟ ପ୍ରଶାସନ ସୂଚନାରେ କହିଥିଲା ଯେ ଆଜି ରାତିରେ ଏରିର ସପ୍ତମ ଓ ପେରି ସଡକରେ ଏକ ଭୟାନକ ଘଟଣା ଘଟିଛି। ଏଥିରେ ଅନେକ ଲୋକେ ପ୍ରାଣ ହରାଇଛନ୍ତି। ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ତେବେ ଏଥିରେ ପରିସ୍ଥିତି ଏବେ ନିୟନ୍ତ୍ରଣାଧିନ ଥିବା ଜନତାଙ୍କୁ ଆତଙ୍କିତ ନ ହେବା ପାଇଁ ସୂଚିତ କରାଯାଇଥିଲା। ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଯାଇଥିବା ବେଳେ ମାମଲାର ତଦନ୍ତରେ ସ୍ଥାନୀୟ ପ୍ରଶାସନ ପୋଲିସକୁ ସହଯୋଗ କରୁଥିବାର ସୂଚିତ କରିଥିଲା।