ମୁମ୍ଵାଇ ୦୪।୧୦; ବଲିଉଡର ‘ମୁନ୍ନାଭାଇ’… ନାଁ ଶୁଣିଲେ ମନେ ପଡ଼ିଯାଏ ସଞ୍ଜୟ ଦତ୍ତଙ୍କ ସେହି ଦମଦାର ଅନ୍ଦାଜ। ‘ମୁନ୍ନାଭାଇ ଏମ୍ବିବିଏସ୍’ ହେଉ କି ‘ଲଗେ ରହୋ ମୁନ୍ନାଭାଇ’ ଚରିତ୍ରଟି ଦର୍ଶକଙ୍କ ମନରେ ଏବେ ବି ଜୀବନ୍ତ। ଆଉ ଏବେ ପୁଣି ଚର୍ଚ୍ଚାରେ ମୁନ୍ନାଭାଇ! ନିକଟରେ ଶେଖର ସୁମନଙ୍କ ଶୋ’ରେ ଯୋଗଦେଇଥିଲେ ସଞ୍ଜୟ ଦତ୍ତ। ତାଙ୍କୁ ପଚରାଯାଇଥିଲା ଯଦି ଆଜିର ସମୟରେ ମୁନ୍ନାଭାଇ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତେବେ ଦେଶର ହିତ ପାଇଁ କ’ଣ ନିଷ୍ପତ୍ତି ନେଇଥାନ୍ତେ?

ବାସ୍,ଏହାପରେ ନିଜ ଷ୍ଟାଇଲ ଆରମ୍ଭ ହୋଇଗଲା ସଞ୍ଜୁ ବାବାଙ୍କ ‘ମୁନ୍ନାଭାଇ’ ମୋଡ୍! ସେ କହିଥିଲେ-ପ୍ରଥମେ ଆମେରିକା ଯାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ଯୁଦ୍ଧ ଓ ଆକ୍ରମଣ ନୁହେଁ, ଶାନ୍ତିର ରାସ୍ତା ଆପଣାଇବାକୁ ଟ୍ରମ୍ପଙ୍କୁ ବୁଝାଇବେ। ମିସାଇଲ୍ ନୁହେଁ, ପଠାଯାଉ ବଡ଼ ବଡ଼ ଗୁଲଦସ୍ତା! ଧମକ ନୁହେଁ, ଲୋକଙ୍କୁ ଘରକୁ ଡାକି ଚା’ ପିଇବା ସହ ଆଲୋଚନା କରାଯାଉ। ଏଭଳି ମଜାଳିଆ ଅନ୍ଦାଜରେ ଶାନ୍ତିର ବାର୍ତ୍ତା ଦେଇଥିଲେ ସଞ୍ଜୟ। ଏତିକି ନୁହେଁ, ଟ୍ରମ୍ପଙ୍କ ‘ଟାରିଫ୍’କୁ ନେଇ ମଧ୍ୟ ମୁନ୍ନାଭାଇ ଷ୍ଟାଇଲ୍ରେ ଦେଇଥିଲେ ମଜାଦାର ଟ୍ୱିଷ୍ଟ। କହିଥିଲେ ‘ଟାରିଫ୍’ ଛାଡ଼ନ୍ତୁ, ଲୋକଙ୍କ ‘ତାରିଫ୍’ କରନ୍ତୁ।

ଆଉ ଶେଷରେ ମୁନ୍ନାଭାଇଙ୍କ ସିଗ୍ନେଚର ଷ୍ଟାଇଲ୍ରେ କହିଥିଲେ ଟ୍ରମ୍ପଙ୍କୁ ଦେବେ ‘ଜାଦୁ କି ଝପ୍ପି’! ସଞ୍ଜୟ ଦତ୍ତଙ୍କ ଏହି ମଜାଦାର ବାର୍ତ୍ତା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ବହୁ ପ୍ରତୀକ୍ଷିତ ‘ମୁନ୍ନାଭାଇ ଚଲେ ଆମେରିକା’। ଏହି ମଜାଳିଆ ବାର୍ତ୍ତା ପରେ ପୁଣି ଥରେ ‘ମୁନ୍ନାଭାଇ ଚଲେ ଆମେରିକା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଫିଲ୍ମର ତୃତୀୟ ଭାଗ ନେଇ ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ଏହା ନିର୍ମାଣ ହୋଇପାରିନଥିଲା। ତେବେ ସଞ୍ଜୟଙ୍କ ଏହି ବାର୍ତ୍ତା ‘ମୁନ୍ନାଭାଇ ୩’ର କୌଣସି ସଙ୍କେତ କି ନୁହେଁ, ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ।