କଟକ ୩୦।୦୯ : ଭୁବନେଶ୍ୱର ଟାଇଗର୍ସକୁ ୯ ରନରେ ପରାସ୍ତ କରି ଓଡ଼ିଶା ଟି-୨୦ ଲିଗ୍ ଫାଇନାଲରେ ଏଣ୍ଟ୍ରି କରିଛି ସମ୍ବଲପୁର ୱାରିୟର୍ସ। ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ୱାଲିଫାୟର୍ ମ୍ୟାଚ୍ ଖୁବ ରୋମାଞ୍ଚକର ଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସମ୍ବଲପୁର ୱାରିୟର୍ସ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୨ ରନ୍ କରିଥିଲା। ଅଷ୍ଟମ ଓଭରରେ ୪୮ ରନ୍ ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ସମ୍ବଲପୁର ପାଇଁ ଶାନ୍ତନୁ ମିଶ୍ର ଓ ସାଇଦୀପ ମହାପାତ୍ର ଇନିଂସ୍ ସମ୍ଭାଳିଥିଲେ। ଉଭୟେ ଚତୁର୍ଥ ୱିକେଟ୍ ପାଇଁ ୬୮ ରନ୍ ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଶାନ୍ତନୁ ୪୧ ବଲ୍ ରୁ ୫୩ ରନର ଉପଯୋଗୀ ଇନିଂସ୍ ଖେଳି ଆଉଟ୍ ହୋଇଥିବା ବେଳେ ସାଇଦୀପ ମହାପାତ୍ର ମାତ୍ର ୩୧ ବଲରୁ ୫୧ ରନ୍ କରିଥିଲେ।

​​​​​​​Also Read:-OSSTET ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା : ପରୀକ୍ଷା ଦେବେ ୫୯ ହଜାରରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ୱର ଟାଇଗର୍ସ ପକ୍ଷରୁ ରାଜେଶ ମହାନ୍ତି ୪ ଓଭରରେ ୩୩ ରନ୍ ଦେଇ ୩ଟି ୱିକେଟ୍ ଓ ଆଶୁତୋଷ ଛୁରିଆ ୩ ଓଭରରେ ୨୫ ରନ୍ ଦେଇ ୩ଟି ୱିକେଟ୍ ହାସଲ କରିଥିଲେ। ୧୬୩ ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରି ଭୁବନେଶ୍ୱର ଟାଇଗର୍ସ ଦମଦାର ଆରମ୍ଭ କରିଥିଲା। ସମ୍ବଲପୁର ବୋଲର୍ ମାନେ ନିୟମିତ ୱିକେଟ୍ ନେଇ ଭୁବନେଶ୍ୱର ଟାଇଗର୍ସକୁ ଫାଇନାଲରେ ପହଞ୍ଚିବାର ଦ୍ଵାରକୁ ବନ୍ଦ କରିଦେଲେ।୨୦ ଓଭରରେ ୯ ୱିକେଟ୍ ହରାଇ ୧୫୩ ରନ୍ ରେ ଅଲ ଆଉଟ ହେଲା ଭୁବନେଶ୍ୱର ଟାଇଗର୍ସ । ସମ୍ବଲପୁର ୱାରିୟର୍ସ ପକ୍ଷରୁ ପ୍ରଦୀପ ପ୍ରଧାନ ୪ ଓଭରରେ ୨୫ ରନ୍ ଦେଇ ୩ଟି ୱିକେଟ୍ ନେଇ ଦଳକୁ ବିଜୟ ହାସଲ କରାଇଛନ୍ତି । ବୁଧବାର ସଂନ୍ଧ୍ୟାରେ ହେବ ବହୁ ପ୍ରତିକ୍ଷିତ ଫାଇନାଲ ମ୍ୟାଚ। ଯେଉଁଠି ସମ୍ବଲପୁର ୱାରିୟର୍ସ କେନ୍ଦୁଝର ମାଇନର୍ସକୁ ଭେଟିବ।