ଭୁବନେଶ୍ୱର, ୩୦/୦୯ :ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଯଥା ଓଏସଏସଟିଇଟି ବୁଧବାର ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ। ସକାଳ ୯ରୁ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏଥିଲାଗି ପରୀକ୍ଷାର୍ଥୀମାନେ ସକାଳ ସାଢ଼େ ୭ଟା ୪୫ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ସମୟ ଧାର୍ଯ୍ୟ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଲାଗି ଆବେଦନରତ ୫୯ ହଜାର ୩୫୩ ପରୀକ୍ଷାର୍ଥୀଙ୍କ ପାଇଁ ୩୦ ଜିଲ୍ଲାରେ ୨୬୧ ପରୀକ୍ଷା କେନ୍ଦ୍ର ଚୟନ କରାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ସିସିଟିଭି ରହିଛି। ବୁଧବାର ସୁଦ୍ଧା ସମସ୍ତ ସେଣ୍ଟରରେ ଡିଜିଟାଲ୍ ଲକର୍ ରେ ପୁଲିସ ସହାୟତାରେ ପ୍ରଶ୍ନପତ୍ର ଓ ଓଏମଆର ସିଟ୍ କଡ଼ା ସୁରକ୍ଷା ବଳରେ ପହଞ୍ଚିଥିବାର ବୋର୍ଡ ପକ୍ଷରୁ କୁହାଯାଇଛି। ପରୀକ୍ଷା ସୁପରିଚାଳନା ଲାଗି ଜିଲ୍ଲା ପ୍ରଶାସନ,ପୁଲିସ ପ୍ରଶାସନ ଓ ଡିଇଓମାନଙ୍କୁ ନେଇ ବୋର୍ଡ ସମୀକ୍ଷା କରିଛନ୍ତି।

ପରୀକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ଲାଗି ବୋର୍ଡ କାର୍ଯ୍ୟାଳୟରେ ଏକ କମାଣ୍ଡ୍ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର ରହିଥିବାରୁ ପରୀକ୍ଷା ସମୟରେ କପି କିମ୍ବା ଅନ୍ୟ କିଛି ଅନିୟମିତତା ହେଲେ କଣ୍ଟ୍ରୋଲ୍ ରୁମ୍ରେ ବସିଥିବା ଅଧୂକାରୀମାନେ ଜାଣିପାରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଅନ୍ୟପକ୍ଷରେ ଓଏସଏସଟିଇଟି ବାତିଲ୍ ହେଲା ବୋଲି ସାମାଜିକ ଗଣମାଧ୍ୟମରେ ଏକ ଖବର ଦିନ ସାରା ଭାଇରାଲ୍ ହୋଇଥିଲା। ଏହାକୁ ନେଇ ପରୀକ୍ଷାର୍ଥୀମାନେ ବହୁ ଦ୍ଵନ୍ଦ୍ବରେ ପଡ଼ିଥିଲେ। ପରୀକ୍ଷା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ହୋଇଥିବା ପରୀକ୍ଷାର୍ଥୀମାନେ ବାତିଲ୍ ହେବା ଖବର ପାଇ ଆଶଙ୍କାରେ ପଡ଼ିଥିଲେ। ଏହା ମିଥ୍ୟା ଖବର ଓ ଗୁଜବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସ୍ପଷ୍ଟ କରିବା ସହ ଏ ବାବଦରେ ଜିଲ୍ଲା ସ୍ତରରେ ଡିଇଓମାନଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି।

Also Read :- ଆଜି ଓଡ଼ିଶା ବନ୍ଦ, ଗଡିବନି ଚକ-ଅଖ : ୬ ଦଫା ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନର ପ୍ରତିବାଦ

ସେହିପରି ପରୀକ୍ଷା ସମ୍ପର୍କରେ ବୋର୍ଡ ୱେବସାଇଟ୍ରେ ଠିକ୍ ତଥ୍ୟ ରହିଛି ବୋଲି ସଭାପତି ଜଣାଇଛନ୍ତି। ପରୀକ୍ଷା ପୂର୍ବରୁ ଗୁଜବ ପ୍ରଚାର ଚଳାଇଥିବା ଅପପ୍ରଚାରକାରୀଙ୍କୁ ଚିହ୍ନଟ କରାଯିବା ଉଚିତ୍ ବୋଲି ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି ।