ନୂଆଦିଲ୍ଲୀ: ହରିଣକୁ ନେଇ ବଲିଉଡ୍ ଦୁଇ ଫାଳ। ଫିଲ୍ମ ନିର୍ମାତାଙ୍କୁ ଭାଇଜାନଙ୍କ ଧମକ। ପୁଣି ଚର୍ଚ୍ଚାରେ ୨୮ ବର୍ଷ ତଳର ବ୍ଲାକବକ୍ ମାମଲା। ବଲିଉଡରେ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ନିର୍ମାଣ ହୋଇଛି। ଫିଲ୍ମର ଟାଇଟଲ ରହିଛି କାଲା ହିରନ୍। ପ୍ରଯୋଜକ ଅମିତ ଜାନି ଏହାର ପୋଷ୍ଟର ରିଲିଜ୍ କରିଛନ୍ତି । ଜୁନ୍ ୨୦ ତାରିଖରେ ଫିଲ୍ମର ଟିଜର ଲଞ୍ଚ୍ କରିବେ। କିନ୍ତୁ ଫିଲ୍ମକୁ ନେଇ ଦେଖାଦେଇଛି ବିବାଦ। ଟାଇଟଲ ଶୁଣିକି ଚିହିଁକି ଉଠିଛନ୍ତି ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ। ଫିଲ୍ମକୁ ନେଇ ପ୍ରଯୋଜକଙ୍କୁ ଆଇନଗତ ନୋଟିସ୍ ପଠାଇଛନ୍ତି ସଲମାନ।

ପୋଷ୍ଟର ରିଲିଜ ପରେ ଫିଲ୍ମକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ସଲମାନ ଖାନ। ସେ ଫିଲ୍ମ ନିର୍ମାତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଫିଲ୍ମ ସହିତ ଜଡିତ ସମସ୍ତ କଣ୍ଟେଣ୍ଟ ହଟାଇବାକୁ ଧମକ ଦେଇଛନ୍ତି। ଆଉ ଚେତାବନୀ ଦେଇଛନ୍ତି- ଯଦି ଏପରି ନ କରିବେ, ତେବେ ସେମାନଙ୍କ ବିରୁଦ୍ଧରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବେ। ସଲମାନଙ୍କ ପକ୍ଷରୁ ଏହି ନୋଟିସ DSK ଲିଗାଲରୁ ପଠାଯାଇଛି। ଏହି ନୋଟିସକୁ ଅମିତ ଜାନି ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସଲମାନ ଫିଲ୍ମ କାଲା ହିରନ ସହ ଜଡିତ ଲୋକଙ୍କୁ ଧମକାଉଥିବା ସେ କହିଛନ୍ତି।

ନୋଟିସରେ ଫିଲ୍ମ ନିର୍ମାଣ ପଛର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଯାଇଛି। ନୋଟିସ ଅନୁଯାୟୀ ସଲମାନ ଓ କୃଷ୍ଣସାର ମୃଗ ଶିକାର ଘଟଣା ସହ ଜଡିତ ଏହି ମାମଲା ବର୍ତ୍ତମାନ ରାଜସ୍ଥାନ ହାଇକୋର୍ଟରେ ବିଚାରାଧୀନ ରହିଛି । ଫଳସ୍ୱରୂପ, ଏହି ପ୍ରକାରର ଏକ ଫିଲ୍ମ ମାମଲାକୁ ଆହୁରି ଚାଞ୍ଚଲ୍ୟକର କରିପାରେ ଏବଂ ନିରପେକ୍ଷ ନ୍ୟାୟ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ଏଭଳି ଫିଲ୍ମ ସଲମାନଙ୍କ କେସକୁ ଦୁର୍ବଳ କରିବା ନେଇ ଆଶଙ୍କା ସୃଷ୍ଟି କରୁଛି।

ଆହୁରି ମଧ୍ୟ ନୋଟିସରେ ପ୍ରଶ୍ନ ଉଠାଯାଇଛି ଯେ ଫିଲ୍ମ ନିର୍ମାତାମାନେ ସଲମାନଙ୍କ ପରିଚୟକୁ କାହିଁକି ତାଙ୍କ ଅନୁମତି ବିନା ବ୍ୟବହାର କଲେ ? ଏହି ଫିଲ୍ମଟି ସଲମାନ ଏବଂ କଳା ମୃଗ ଶିକାର ମାମଲା ଉପରେ ଆଧାରିତ। ତେଣୁ ଫିଲ୍ମ ବିରୁଦ୍ଧରେ ଗୋପନୀୟତା ଉଲ୍ଲଂଘନର ଅଭିଯୋଗ ଆସିଛି । ଫିଲ୍ମ ନିର୍ମାତା କେବଳ ନିଜ ଲାଭ ପାଇଁ ସଲମାନଙ୍କ ନାମକୁ ବ୍ୟବହାର କରୁଥିବା ନୋଟିସରେ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ଜଣେ ଷ୍ଟାରଙ୍କ ଭାବମୂର୍ତ୍ତୀ ନଷ୍ଟ ହେବାର ଆଶଙ୍କା ରହିଛି ।

ସଲମାନଙ୍କ କହିବାନୁଯାୟୀ, ଏହି ଫିଲ୍ମର ଉଦ୍ଦେଶ୍ୟ ତାଙ୍କୁ ବଦନାମ କରିବା । ଯାହା ଭାରତୀୟ ନ୍ୟାୟ ସଂହିତାର ଧାରା 356ର ଉଲ୍ଲଂଘନ। ତେଣୁ ଯଦି ଫିଲ୍ମ ନିର୍ମାତା ନୋଟିସ୍ ପାଇବାର ୨୪ ଘଣ୍ଟା ମଧ୍ୟରେ ସେମାନଙ୍କ ଫିଲ୍ମକୁ ବନ୍ଦ ନ କରନ୍ତି। ତେବେ ସଲମାନଙ୍କ ଓକିଲ ତାଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଯାଇଛି।

୧୯୯୮ ମସିହା କୃଷ୍ଣସାର ମୃଗ ଶିକାର ମାମଲାରେ ଛନ୍ଦି ହୋଇଯାଇଥିଲେ ବଲିଉଡ ଅଭିନେତା ସଲମାନ ଖାନ। ହମ ସାଥ-ସାଥ ହେ ଫିଲ୍ମ ସୁଟିଂ ସମୟରେ ରାଜସ୍ଥାନର ଯୋଧପୁର ନିକଟବର୍ତ୍ତୀ କଙ୍କାଣି ଗାଁରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିବାର ସଲମାନଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି। ଏହି ମାମଲା ବର୍ତ୍ତମାନ ରାଜସ୍ଥାନ ହାଇକୋର୍ଟରେ ବିଚାରାଧୀନ ଅଛି।