ମୁମ୍ବାଇ : ପୁଣି ସିନେ ପରଦାରେ ଧମାକା କରିବେ ବଲିଉଡର ଦୁଇ ଦିଗ୍ଗଜ ତାରକା । ବଲିଉଡର‘ଭାଇଜାନ୍’ ସଲମାନ ଖାନ୍ ଏବଂ ସଞ୍ଜୟ ଦତ୍ତଙ୍କ ଫ୍ୟାନ୍ମାନଙ୍କ ପାଇଁ ବଡ଼ ଖୁସି ଖବର। ଏଥର ଗ୍ଲୋବାଲ୍ ଆକ୍ସନ୍ ପ୍ରୋଜେକ୍ଟରେ ଦୁଇ ଷ୍ଟାର ଦେଖାଇବେ ନିଜ ଜଲୱା । ଦୁଇ ଜଣଙ୍କୁ ନେଇ ଆସୁଛି ହଲିଉଡ଼ର ବଡ଼ ଆକ୍ସନ ଫିଲ୍ମ ‘7 Dogs’ । ନିକଟରେ ଫିଲ୍ମ ‘7 Dogs’ ର ଟ୍ରେଲର୍ ରିଲିଜ୍ ହୋଇଥିବା ବେଳେ ଭାରତୀୟ ଦର୍ଶକଙ୍କ ପାଇଁ ମଧ୍ୟ ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି। ଫିଲ୍ମଟି ହିନ୍ଦୀ ଓ ଇଂରାଜୀ ଭାଷାରେ ରିଲିଜ୍ ହେବ ବୋଲି ନିର୍ମାତାମାନେ ନିକଟରେ ଘୋଷଣା କରିଛନ୍ତି। ଏହାର ଟ୍ରେଲର୍ ଗୁରୁବାର ଜାରି କରାଯାଇଛି।

ଏହି ଫିଲ୍ମଟି ଆକ୍ସନ୍, ଥ୍ରିଲ୍ ଓ ଇଣ୍ଟରନ୍ୟାସନାଲ୍ ଷ୍ଟାରକାଷ୍ଟରେ ଭରପୂର ରହିଛି । ଟ୍ରେଲରେ ଜବରଦସ୍ତ ଆକ୍ସନ୍ ସିକ୍ୱେନ୍ସ ସହ ସଲମାନ ଖାନ୍ ଓ ସଞ୍ଜୟ ଦତ୍ତଙ୍କ ଦମଦାର ଅନ୍ଦାଜ୍ ଦେଖିବାକୁ ମିଳିଛି। ଫିଲ୍ମରେ ସଲମାନ ଓ ସଞ୍ଜୟଙ୍କ ସହ ମୋନିକା ବେଲୁଚି, ଜିଆନକାର୍ଲୋ ଏସ୍ପୋସିଟୋଙ୍କ ଭଳି ହଲିଉଡ଼ ଷ୍ଟାରଙ୍କ ଚେହେରା ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର କାହାଣୀ ଅପରାଧ ଓ ଆକ୍ସନ୍ ସହ ଜଡିତ ଥିବା ଜଣାପଡିଛି ।

ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଆଦିଲ୍ ଏଲ୍ ଆର୍ବି ଓ ବିଲାଲ୍ ଫାଲାହ୍। ଫିଲ୍ମର କାହାଣୀରେ ଜଣେ ଇଣ୍ଟରପୋଲ୍ ଅଧିକାରୀ ଓ ଜଣେ ଅପରାଧୀଙ୍କୁ ନେଇ ଏକ ବଡ଼ ଆନ୍ତର୍ଜାତୀୟ ଅପରାଧୀ ସିଣ୍ଡିକେଟ୍ ବିରୋଧରେ ଲଢ଼େଇ ଦେଖାଯାଇଛି। ସଲମାନ ଖାନ୍ ଓ ସଞ୍ଜୟ ଦତ୍ତଙ୍କ ଯୋଡ଼ିକୁ ପୁଣିଥରେ ଏକ ବଡ଼ ଆକ୍ସନ୍ ପ୍ରୋଜେକ୍ଟରେ ଦେଖିବାକୁ ମିଳୁଥିବାରୁ ଫିଲ୍ମକୁ ନେଇ ଭାରତୀୟ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ତେବେ ଅଗଷ୍ଟ ୨୧ରେ ଫିଲ୍ମ ‘7 Dogs’ ଭାରତୀୟ ସିନେମା ହଲ୍ରେ କେତେ ଧମାଲ୍ କରୁଛି ଓ ଦର୍ଶକଙ୍କୁ କେତେ ମାତ୍ରାରେ ପ୍ରଭାବିତ କରୁଛି, ତାହା ଉପରେ ନଜର।