ନୂଆଦିଲ୍ଲୀ୨୨।୦୮: ରାଜଧାନୀ ଦିଲ୍ଲୀର ବ୍ୟସ୍ତବହୁଳ ଗ୍ରେଟର କୈଳାସ-୧ ଅଞ୍ଚଳରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବଲିଉଡ୍ର 'ଭାଇଜାନ୍' ସଲମାନ ଖାନ୍‌ଙ୍କ ଏକ ଜିମ୍‌ରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ବିଳମ୍ଵତ ରାତିରେ ଏହି ଘଟଣା ଘଟିଥିବାରୁ ସ୍ଥାନୀୟ ଏମ୍-ବ୍ଲକ୍ ମାର୍କେଟ୍ରେ କିଛି ସମୟ ପାଇଁ ଚାଞ୍ଚଲ୍ୟ ଓ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ପୋଲିସ ଓ ଅଗ୍ନିଶମ ବାହିନୀର ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି। ଆସନ୍ତୁ ଜାଣିବା କିପରି ଘଟିଲା ଏହି ଘଟଣା...

ରିପୋର୍ଟ ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧:୧୫ ସମୟରେ ଜିମ୍ର ପ୍ରଥମ ମହଲାରେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଦେଖି ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇବା କ୍ଷଣି ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍ ବିନା କୌଣସି ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ଗାଡ଼ି ପହଞ୍ଚିବା ପୂର୍ବରୁ ଦିଲ୍ଲୀ ପୋଲିସ ନିଜର ତତ୍ପରତା ଦେଖାଇ ଜିମ୍ ଭିତରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲା। ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇନାହିଁ କିମ୍ବା କେହି ଆହତ ହୋଇନାହାଁନ୍ତି।

କ’ଣ ଥିଲା ଅଗ୍ନିକାଣ୍ଡର କାରଣ?

ଏହି ଅଞ୍ଚଳଟି ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ହୋଇଥିବାରୁ ନିଆଁ ବ୍ୟାପିବାର ଭୟ ରହିଥିଲା। ସୁରକ୍ଷା କର୍ମୀମାନେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷିତ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଅଗ୍ନିକାଣ୍ଡର ସମ୍ଭାବ୍ୟ କାରଣ 'ସର୍ଟ ସର୍କିଟ୍' ବୋଲି ସନ୍ଦେହ କରାଯାଉଛି। ତେବେ ଜିମ୍ର କେତେ ପରିମାଣର ଆସବାବପତ୍ର ଓ ଯନ୍ତ୍ରପାତି କ୍ଷତିଗ୍ରସ୍ତ ହୋଇଛି, ତାହା ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।