ମୁମ୍ବାଇ : ବଲିଉଡରେ ପୁଣି ବଡ଼ ଧମାକା । ଗୋଟିଏ ଫ୍ରେମରେ ଦୁଇ ସୁପରଷ୍ଟାର । ଗୋଟିଏ ପଟେ 'ଖଲନାୟକ'ର ବଲ୍ଲୁ ଭାଇ, ଅନ୍ୟପଟେ ଦବଙ୍ଗ ଅନ୍ଦାଜରେ ଚୁଲବୁଲ ପାଣ୍ଡେ। ଯଦି ଏହି ଦୁଇ ଦମଦାର ଚରିତ୍ର ଗୋଟିଏ ପରଦାରେ ନଜର ଆସିବେ, ତେବେ ଦର୍ଶକଙ୍କ ଉତ୍ସାହ କେତେ ବଢ଼ିଯିବ ତାହା ସହଜରେ ଅନୁମାନ କରିହେବ। ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ 'ଖଲନାୟକ ରିଟର୍ଣ୍ଣସ୍'ରେ ସଲମାନ ଖାନଙ୍କ ଏଣ୍ଟ୍ରିକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ତେବେ ସତରେ କ'ଣ ଏକାଠି ହେବେ ବଲ୍ଲୁ ଓ ଚୁଲବୁଲ ପାଣ୍ଡେ ? ଏହାକୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ।

୧୯୯୩ ମସିହାରେ ରିଲିଜ୍ ହୋଇଥିବା ସୁଭାଷ ଘାଇଙ୍କ ସୁପରହିଟ୍ ଫିଲ୍ମ 'ଖଲନାୟକ' ଆଜି ବି ସିନେପ୍ରେମୀଙ୍କ ମନରେ ରହିଛି। ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କ 'ବଲ୍ଲୁ ବଲରାମ' ଚରିତ୍ର ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ଦୀର୍ଘ ବର୍ଷ ପରେ ଏବେ ଏହାର ସିକ୍ୱେଲ୍ 'ଖଲନାୟକ ରିଟର୍ଣ୍ଣସ୍'କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିରେ ସଞ୍ଜୟ ଦତ୍ତ ପୁଣିଥରେ ବଲ୍ଲୁ ଭୂମିକାରେ ନଜର ଆସିବେ।ତେବେ ଏହି ଫିଲ୍ମକୁ ନେଇ ସବୁଠୁ ବଡ଼ ଚର୍ଚ୍ଚା ହେଉଛି ସଲମାନ ଖାନ୍ଙ୍କୁ ନେଇ। ଫିଲ୍ମରେ ତାଙ୍କ ଚରିତ୍ର କଣ ରହିବ ? ତେବେ ରିପୋର୍ଟ ଅନୁସାରେ, ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ପୋଲିସ ଅଫିସର ଚରିତ୍ର ପାଇଁ ମେକର୍ସ ସଲମାନଙ୍କ ସହ ଆଲୋଚନା କରୁଛନ୍ତି। କୁହାଯାଉଛି, ଏହି ଚରିତ୍ରଟି ଜଣେ ଭଲ ହୃଦୟର ପୋଲିସ ଅଫିସରର ରହିବ, ଯିଏ କାହାଣୀରେ ବଲ୍ଲୁଙ୍କୁ ସାହାଯ୍ୟ କରିବେ।

ଯଦି ସଲମାନ ଏହି ଫିଲ୍ମରେ ସାମିଲ ହୁଅନ୍ତି, ତେବେ ଦର୍ଶକଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ବଡ଼ ସରପ୍ରାଇଜ୍ ହେବ। କାରଣ ଗୋଟିଏ ପଟେ ସଞ୍ଜୟ ଦତ୍ତଙ୍କ ଦମଦାର ନେଗେଟିଭ୍ ରୋଲ ଏବଂ ଅନ୍ୟପଟେ ସଲମାନଙ୍କ ଦବଙ୍ଗ ପୋଲିସ ଅଫିସର ଅବତାର। ଯଦିଓ ଏହାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି ତଥାପି ସଲମାନଙ୍କ କାଷ୍ଟିଂ ଏଯାଏଁ ଫାଇନାଲ୍ ହୋଇନାହିଁ। ଅନ୍ୟପଟେ ଏହି ଖବରକୁ ନେଇ ଫିଲ୍ମର ନିର୍ଦ୍ଦେଶକ ସୁଭାଷ ଘାଇ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବା ଅନୁସାରେ, ଏବେ ଫିଲ୍ମର ସ୍କ୍ରିପ୍ଟ ଲେଖା ଚାଲିଛି। ପୂରା ସ୍କ୍ରିପ୍ଟ ପ୍ରସ୍ତୁତ ହେବା ପରେ ହିଁ କାଷ୍ଟିଂକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତେଣୁ ଏବେଠାରୁ ସଲମାନଙ୍କ ଏଣ୍ଟ୍ରିକୁ ନେଇ କିଛି କହିବା ଠିକ ହେବନି ଵୋଲି ସେ କହିଛନ୍ତି । ତେବେ ବଲ୍ଲୁ ଓ ଚୁଲବୁଲ ପାଣ୍ଡେଙ୍କ ଏହି ଯୋଡ଼ି ଯଦି ଫାଇନାଲ ହୁଏ ତେବେ ପରଦାରେ ଏହା ଡବଲ ଧମାଲ୍ କରିବ । ଏବେ ସମସ୍ତଙ୍କ ନଜର ଫିଲ୍ମର ଫାଇନାଲ୍ କାଷ୍ଟିଂ ଉପରେ।