ସାଲେପୁର: କଟକ ଜିଲ୍ଲା ସାଲେପୁର-କୁଆଁପାଳ ପୂର୍ତ୍ତ ବିଭାଗ ରାସ୍ତାର ମନୋହରପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘରୋଇ ବସ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଭାରସାମ୍ୟ ହରାଇ ବସ୍‌ଟି ରାସ୍ତାରୁ ବିଲ ମଧ୍ୟକୁ ଚାଲିଯାଇଛି। ତେବେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ମୃତକ ହେଲେ ସାଲେପୁର ଥାନା ଅନ୍ତର୍ଗତ ବୋଦାମୁଣ୍ଡାଇ ଗ୍ରାମର ୭୦ ବର୍ଷୀୟ ଦୁର୍ଯ୍ୟୋଧନ ସାହୁ।

ସୂଚନା ଅନୁଯାୟୀ, ଦୁର୍ଯ୍ୟୋଧନ ସାହୁ ସାଇକେଲ ଯୋଗେ ଯାଉଥିବା ସମୟରେ ଟ୍ୱିଙ୍କଲ ନାମକ ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ଧକ୍କା ଦେବା ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାରୁ ଖସି ବିଲ ମଧ୍ୟକୁ ଚାଲିଯାଇଥିଲା। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଦୁର୍ଯ୍ୟୋଧନଙ୍କୁ ଉଦ୍ଧାର କରି ସାଲେପୁର ମେଡିକାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜାତୀୟ ରାଜପଥରେ ଟ୍ରକ୍ ଧକ୍କାରେ ଜଣେ ମୃତ​​​​​​​

ଅନ୍ୟପକ୍ଷରେ ବସ୍‌ରେ ଥିବା ଯାତ୍ରୀମାନେ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌ଟିକୁ ଜବତ କରିବା ସହ ମୃତକଙ୍କ ଶବକୁ ଜବତ କରିଛି। ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଥିବା ବେଳେ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି।