ପାଟନା: ବିହାର ଶିକ୍ଷା ବିଭାଗ ୩୦୩୫ ଜଣ ସ୍କୁଲ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରିଛି। ଏହି ଶିକ୍ଷକଙ୍କ ବିରୋଧରେ ନକଲୀ ସାର୍ଟିଫିକେଟ୍ ମାଧ୍ୟମରେ ନିଯୁକ୍ତି ହାସଲର ଅଭିଯୋଗ ଥିଲା। ‘ଦୈନିକ ଭାସ୍କର’ ରିପୋର୍ଟ ଅନୁସାରେ ରାଜ୍ୟ ସରକାର ଏହି ଶିକ୍ଷକମାନଙ୍କୁ ଦୀର୍ଘ ବର୍ଷରେ ବେତନ ଆକାରରେ ଦେଇଥିବା ଅର୍ଥ ଅସୁଲ କରିବାକୁ ଏବେ ବିଚାର କରୁଛନ୍ତି। ସେମାନଙ୍କଠାରୁ ଏହି ରାଶି ସୁଧ ସହ ଅସୁଲ ହେବ। ଏ ବାବଦେ ସରକାରଙ୍କ ରାଜକୋଷକୁ ପାଖାପାଖି ୧,୪୦୦ କୋଟି ଟଙ୍କା ଫେରିବ ବୋଲି ଆକଳନ କରାଯାଉଛି।

ବିହାର ଶିକ୍ଷାବିଭାଗ ଏକ ଗହନ ଯାଞ୍ଚ ବାଦେ ଏହି କାର୍ଯ୍ୟାନୁଷ୍ଠାନ କରିଛି, ଯେଉଁଥିରେ ୨୦୦୬ରୁ ୨୦୧୫ ମସିହା ମଧ୍ୟରେ ସ୍ଥାନୀୟ ପାଳିକାଙ୍କ ମାଧ୍ୟମରେ ହୋଇଥିବା ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଥିଲା। ଏହି ଦୁର୍ନୀତି ପାଟନା ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରା ଭିଜିଲାନ୍ସ ତଦନ୍ତ ବ୍ୟୁରୋକୁ ନିଯୁକ୍ତି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁସାରେ ବରଖାସ୍ତ ଶିକ୍ଷକମାନେ ସରକାରୀ ଚାକିରି ପାଇବା ଲାଗି ଜାତି, ଆଧାରକାର୍ଡ, ଆୟୁ, ଦିବ୍ୟାଙ୍ଗତା ଓ ନକଲୀ ଶୈକ୍ଷଣିକ ପ୍ରମାଣପତ୍ର ଦାଖଲ କରିଥିଲେ। ତଦନ୍ତ ବେଳେ ଏହା ବି ଜଣାପଡିଥିଲା ଯେ କେତେକ ଶିକ୍ଷକ ଚାକିରି ପାଇବା ପାଇଁ ନକଲୀ ସିଟିଇଟି ଓ ଟିଇଟି ସାର୍ଟିଫିକେଟ ମଧ୍ୟ ଉପଯୋଗ କରିଥିଲେ। ଏହା ଛଡା କେତେକ ବିଶ୍ୱବିଦ୍ୟାଳୟ ଓ କଲେଜଙ୍କ ଦ୍ୱାରା ଜାରି ଡିଗ୍ରି ମଧ୍ୟ ନକଲି ବୋଲି ଯାଞ୍ଚ ବେଳେ ଜଣାପଡିଥିଲା।

ବିହାର ଶିକ୍ଷାମନ୍ତ୍ରୀ ମିଥିଳେଶ ତିୱାରୀ କହିଛନ୍ତି ଯେ ଏହି ଛଟେଇ ଏକ ବ୍ୟାପକ କାର୍ଯ୍ୟାନୁଷ୍ଠାନର ପ୍ରାରମ୍ଭ ମାତ୍ର। ତେବେ ଜାଲି କାଗଜପତ୍ରରେ ଚାକିରି କରିଥିବା ଏହି ଶିକ୍ଷକଙ୍କ ଠାରୁ ବେତନ ଅସୁଲ ନେଇ ପଚରା ଯିବାରେ ତିୱାରୀ କହିଛନ୍ତି ଯେ ଏ ବାବଦେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ଘୋଷଣା କରାଯିବ। ତେବେ ଭବିଷ୍ୟତରେ ହେବାକୁ ଥିବା ନିଯୁକ୍ତି ପୂର୍ବରୁ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ସତ୍ୟାପନ ଜରୁରି କରାଯିବ। ଏହି ଅନିୟମିତତା ୨୦୦୬-୨୦୧୫ ମଧ୍ୟରେ ସୀମିତ ଥିଲା କି ବୋଲି ପଚରା ଯିବାରେ ସେ କହିଛନ୍ତି ଯେ ଏହି ଅନିୟମିତତା ସରକାରଙ୍କ ଯାଞ୍ଚ କାରଣରୁ ସାମ୍ନାକୁ ଆସିଛି। ଏହି ଯାଞ୍ଚ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିଲା। ଏଥି ପାଇଁ ବେଶ୍ ସମୟ ଲାଗିଥିଲା। କାରଣ ବହୁସଂଖ୍ୟାରେ ନିଯୁକ୍ତି ଯାଞ୍ଚ କରିବାକୁ ପଡିଥିଲା। ଏବେବି କିଛି ମାମଲାର ଯାଞ୍ଚ ଜାରି ରହିଛି। ସବୁ ମାମଲାର ଯାଞ୍ଚ କରାଯିବ ଓ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତିୱାରୀ କହିଛନ୍ତି।