କ୍ରିକେଟରୁ ବିଜନେସ୍ ଓ ଆଇପିଏଲ୍ରୁ ବିବାଦ। ଲଲିତ ମୋଦୀଙ୍କ ଜୀବନ ଏକ ସିନେମାର କାହାଣୀଠୁ କମ୍ ନୁହେଁ। ଆଉ ଏବେ ଏହି ଚର୍ଚ୍ଚିତ ଚେହେରାଙ୍କ ଜୀବନ କାହାଣୀ ଦେଖିବାକୁ ମିଳିପାରେ ବଡ଼ ପରଦାରେ। ଲଲିତ ମୋଦୀଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି ପ୍ରଯୋଜକ ସାଜିଦ୍ ନାଦିଆୱାଲା। ତେବେ ପରଦାରେ ଲଲିତ ମୋଦୀ ହେବେ କିଏ? ଏହାକୁ ନେଇ ଏବେଠୁ ବଢ଼ିଲାଣି ଚର୍ଚ୍ଚା।

ଲଲିତ ମୋଦୀ ଏକ ନାମ, ଯାହା ସହ ଯୋଡ଼ି ହୋଇଛି କ୍ରିକେଟ୍, ଗ୍ଲାମର୍, ବ୍ୟବସାୟ ଆଉ ବିବାଦର ଅନେକ ଅଧ୍ୟାୟ। ଆଇପିଏଲ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରୁ ଆରମ୍ଭ କରି ତାଙ୍କ ବ୍ୟକ୍ତିଗତ ଜୀବନରେ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ଲଲିତ ମୋଦୀ। ଏବେ ତାଙ୍କର ଏହି ଚର୍ଚ୍ଚିତ ଜୀବନ କାହାଣୀକୁ ସିନେମାର ରୂପ ଦେବାକୁ ଯାଉଛନ୍ତି ସାଜିଦ୍ ନାଦିଆୱାଲା। ନାଦିଆୱାଲା ଗ୍ରାଣ୍ଡସନ୍ ଏଣ୍ଟରଟେନମେଣ୍ଟ ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ପ୍ରୋଜେକ୍ଟରେ ସ୍ନେହା ରଜନୀ ମଧ୍ୟ ପ୍ରଯୋଜନା ଟିମରେ ସାମିଲ ଥିବା ରିପୋର୍ଟ ରହିଛି। ଏବେ ଫିଲ୍ମର କାହାଣୀ ଓ ସ୍କ୍ରିନପ୍ଲେ ଉପରେ କାମ ଚାଲିଛି।

ତେବେ ଲଲିତ ମୋଦୀଙ୍କ ଚରିତ୍ରରେ କେଉଁ ଅଭିନେତା ନଜର ଆସିବେ, ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ହେଲେ ଏଠି ରହିଛି ଏକ ଟ୍ୱିଷ୍ଟ। ଲଲିତ ମୋଦୀ ପୂର୍ବରୁ ଅଭିନେତା ରଣବୀର ସିଂହଙ୍କୁ ତାଙ୍କ ଭୂମିକା ପାଇଁ ପସନ୍ଦ କରିଥିବା କଥା କହିଥିଲେ। କେବଳ ଆଇପିଏଲ୍ ନୁହେଁ, ଲଲିତ ମୋଦୀଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ରହିଛି ଚର୍ଚ୍ଚାରେ। ୨୦୨୨ରେ ସୁସ୍ମିତା ସେନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ହୋଇଥିଲା ଜୋରଦାର ଚର୍ଚ୍ଚା। ପରେ ଉଭୟ ଅଲଗା ହୋଇଥିଲେ। ତେବେ ଏବେ ପ୍ରଶ୍ନ ଲଲିତ ମୋଦୀଙ୍କ ଜୀବନର କେଉଁ କେଉଁ ଅଧ୍ୟାୟକୁ ପରଦାରେ ଦେଖାଇବେ ନିର୍ମାତା? ଆଉ ସବୁଠାରୁ ବଡ଼ କଥା—କିଏ ଧରିବେ ଲଲିତ ମୋଦୀଙ୍କ ଭୂମିକା ? ଫିଲ୍ମର ସ୍କ୍ରିପ୍ଟ ଫାଇନାଲ୍ ହେବା ପରେ ହିଁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ସ୍ପଷ୍ଟ ହେବ।

KBC 18: ଯୌତୁକ ପାଇଁ ଶାଶୂଘର ଲୋକେ ଦେହରେ ଢାଳି ଦେଇଥିଲେ କିରୋସିନ, କାହାଣୀ ଶୁଣି ଭାବବିହ୍ୱଳ ହେଲେ ଅମିତାଭ