ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରବାଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ। ଜଣ୍ଡିସ୍ରେ ୨୦ରୁ ଅଧିକ ଛାତ୍ରୀ ଆକ୍ରାନ୍ତ ହେବା ପରେ ଭୟଭୀତ ହୋଇପଡ଼ିଛନ୍ତି ଅଭିଭାବକ। ଏହାର ପ୍ରଭାବରେ ପ୍ରାୟ ୬୦ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଘରକୁ ଫେରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପ୍ରାୟ ୫ ଦିନ ପୂର୍ବରୁ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କୁ ସାମାନ୍ୟ ଜ୍ୱର ହେବା ସହ ଆଖି ହଳଦିଆ ପଡ଼ିଥିଲା। ପ୍ରାଥମିକ ଭାବେ ଏଏନଏମଙ୍କ ପକ୍ଷରୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ତେବେ ଲକ୍ଷଣ ସମ୍ପୂର୍ଣ୍ଣ ଭାବେ ନକମିବାରୁ ପରେ ଜଣ୍ଡିସ୍ ଥିବା ଜଣାପଡ଼ିଥିଲା।

ଏହି ଘଟଣାରେ ୨୦ରୁ ଅଧିକ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆକ୍ରାନ୍ତ ଛାତ୍ରୀମାନେ ହଷ୍ଟେଲରେ ରହି ଚିକିତ୍ସିତ ହେଉଛନ୍ତି।

ଘଟଣା ପରେ ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ହଷ୍ଟେଲରୁ ଘରକୁ ନେଇଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ିଥିବା ଜଣାପଡ଼ିଛି। ଏହି ବିଦ୍ୟାଳୟର ହଷ୍ଟେଲରେ ୨୦୦ରୁ ଅଧିକ ଛାତ୍ରୀ ରହି ପାଠ ପଢ଼ୁଛନ୍ତି।

also read-ଆସୁଛି ବାତ୍ୟା ହେଲେ ଓଡ଼ିଶାରେ କାମ କରୁନି ରାଡାର ! କେମିତି କରାଯିବ ମୁକାବିଲା ?

ଅନ୍ୟପଟେ ଆକ୍ରାନ୍ତ ଛାତ୍ରୀମାନଙ୍କୁ ନିୟମିତ ଚିକିତ୍ସା ଯୋଗାଇ ଦିଆଯାଉଛି ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି। ହଷ୍ଟେଲ ଛାଡ଼ି ଘରକୁ ଯାଇଥିବା ଛାତ୍ରୀମାନଙ୍କୁ ପୁଣି ହଷ୍ଟେଲକୁ ଫେରାଇ ଆଣିବା ପାଇଁ ବିଦ୍ୟାଳୟର ଶିକ୍ଷକମାନେ ଅଭିଭାବକଙ୍କ ସହ ଯୋଗାଯୋଗ କରୁଥିବା ଜଣାପଡ଼ିଛି।