ନୂଆଦିଲ୍ଲୀ: ପାକିସ୍ତାନ ଦ୍ୱାରା ପୋଷା ଯାଇଥିବା ଆତଙ୍କବାଦୀ ଏବେ ନିଜ ଦେଶର ସରକାର ଏବଂ ସେନା ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଛନ୍ତି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (Lashkar-e-Taiba) ର ଡେପୁଟି ଚିଫ୍ ଏବଂ  ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ସୈଫୁଲ୍ଲା କସୁରୀ  ପାକିସ୍ତାନ ସରକାର ଏବଂ ସେନାକୁ ସର୍ବସମ୍ମୁଖରେ ଏକ ବଡ଼ ଧମକ ଦେଇଛି । ଏହାକୁ ନେଇ ସମଗ୍ର ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଇସ୍ରାଏଲ ସହ ସମ୍ପର୍କ ସ୍ଥାପନ କଲେ ପାକିସ୍ତାନକୁ ବରବାଦ କରିଦେବ ବୋଲି ଧମକ ଦେଇଛି ସୈଫୁଲା। 

ଲସ୍କରର ଡେପୁଟି ଚିଫ୍ ସୈଫୁଲ୍ଲା କସୁରୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଏବଂ ସେନା ମୁଖ୍ୟ ଆସିମ ମୁନୀରଙ୍କୁ ଚେତାବନୀ ଦେଇଛି। ସେ କହିଛି ଯେ, ‘ଯଦି ପାକିସ୍ତାନର କୌଣସି ବି ନେତା ଇସ୍ରାଏଲକୁ ସମର୍ଥନ କରିବାକୁ କିମ୍ବା  ସମ୍ପର୍କ ବଢ଼ାଇବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ ମାରି ଦିଆଯିବ ଏବଂ ସମ୍ପୂର୍ଣ୍ଣ ଦେଶକୁ ଧ୍ୱଂସ ଓ ବରବାଦ କରି ଦିଆଯିବ।’

ପାକିସ୍ତାନ ଭିତରେ ଇସ୍ରାଏଲ ସହ ସମ୍ପର୍କକୁ ନେଇ ଭିତରେ ଭିତରେ ଚାଲିଥିବା କିଛି ଚର୍ଚ୍ଚା ଏବଂ କଳ୍ପନାଜଳ୍ପନା ମଧ୍ୟରେ ଆତଙ୍କବାଦୀ ସଂଗଠନର ଏହି ବୟାନ ସାମ୍ନାକୁ ଆସିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ପାକିସ୍ତାନ ସରକାର ଏବଂ ସେନା ଉପରେ ସେଠାକାର କଟ୍ଟରପନ୍ଥୀ ଓ ଜିହାଦୀ ସଂଗଠନଗୁଡ଼ିକର ପ୍ରଭାବ ଆଜି ମଧ୍ୟ କେତେ ସୁଦୃଢ଼ ରହିଛି।

ଏହି ଧମକ ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଯେଉଁ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଦିନେ ପାକିସ୍ତାନର ଶାସନ କଳ ଏବଂ ଗୁପ୍ତଚର ସଂସ୍ଥା (ISI) ଭାରତ ବିପକ୍ଷରେ ବ୍ୟବହାର କରିବା ପାଇଁ ପ୍ରଶୟ ଦେଇଥିଲେ, ଆଜି ସେହିମାନେ ହିଁ ପାକିସ୍ତାନର ରାଜନୈତିକ ଏବଂ ସାମରିକ ନେତୃତ୍ୱକୁ ଖୋଲାଖୋଲି ଧମକାଉଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପାକିସ୍ତାନ ସମେତ ଅନ୍ୟ ମୁସଲିମ୍ ବହୁଳ ଦେଶଗୁଡ଼ିକ ଆଗରେ ଏକ ପ୍ରସ୍ତାବ ରଖିଥିଲେ।

ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ 'Truth Social' ରେ ଏକ ଦୀର୍ଘ ପୋଷ୍ଟ ଲେଖି ଇରାନ ସହ ଯେକୌଣସି ଶାନ୍ତି ଚୁକ୍ତିକୁ 'ଅବ୍ରାହମ ଆକର୍ଡ'ର ସମ୍ପ୍ରସାରଣ ସହ ଯୋଡ଼ିଥିଲେ। ଟ୍ରମ୍ପ ସାଉଦି ଆରବ, କତାର, ପାକିସ୍ତାନ, ତୁର୍କୀ, ଇଜିପ୍ଟ ଏବଂ ଜୋର୍ଡାନ ଭଳି ଦେଶଗୁଡ଼ିକୁ ଆହ୍ୱାନ କରିଥିଲେ ଯେ ସେମାନେ ଇସ୍ରାଏଲକୁ ଏକ ସାର୍ବଭୌମ ଦେଶ ଭାବେ ଆନୁଷ୍ଠାନିକ ମାନ୍ୟତା ଦିଅନ୍ତୁ ଏବଂ ଅବ୍ରାହମ ଆକର୍ଡରେ ସାମିଲ ହୋଇ ସମ୍ପର୍କ ସ୍ୱାଭାବିକ କରନ୍ତୁ।

ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ପାକିସ୍ତାନ
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ଚାପ ବା ଦାବିକୁ ପାକିସ୍ତାନ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ପାକିସ୍ତାନ ସ୍ପଷ୍ଟ ଭାବେ କହିଛି ଯେ, ସେ ଇସ୍ରାଏଲ ସହ କୌଣସି ପ୍ରକାରର ଆନୁଷ୍ଠାନିକ କିମ୍ବା ସ୍ୱାଭାବିକ ସମ୍ପର୍କ ସ୍ଥାପନ କରିବ ନାହିଁ। ତେବେ ସରକାର ମନା କରିବା ସତ୍ତ୍ୱେ ଆତଙ୍କବାଦୀ ସଂଗଠନ ଲସ୍କରର ଏଭଳି ସାଂଘାତିକ ଧମକ ପାକିସ୍ତାନର ଦୁର୍ବଳ ଶାସନ ବ୍ୟବସ୍ଥା ଏବଂ ସେଠାରେ ସକ୍ରିୟ ଥିବା ଜିହାଦୀ ସାମ୍ରାଜ୍ୟର ଭୟଙ୍କର ରୂପକୁ ବିଶ୍ୱ ଦରବାରରେ ପଦାରେ ପକାଇଛି।