ତେହେରାନ ୧୮।୩: ଇସ୍ରାଏଲ ଆକ୍ରମଣରେ ଇରାନ ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ମୁଖ୍ୟ ଅଲୀ ଲାରିଜାନୀ ପ୍ରାଣ ହରାଇଛନ୍ତି। ୬୭ ବର୍ଷ ବୟଷ୍କ ଅଲୀ ଲାରିଜାନୀ ଅୟାତୋଲା ଅଲୀ ଖାମେନିଙ୍କ ନିକଟତମ ପରାମର୍ଶଦାତା ଥିଲେ ଓ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଦେଶର ସୁରକ୍ଷୀ ନୀତି କମାଣ୍ଡ ସମ୍ଭାଳୁଥିଲେ। ତାଙ୍କର ଏପରି ଅସମୟ ମୃତ୍ୟୁ ଇରାନ ଶାସନ ଲାଗି ଜୋରଦାର ଝଟକା ମନେ କରାଯାଉଛି। ଏହି ଘଟଣା ପରେ ପରେ ଇରାନ ସଈଦ ଜଲୀଲୀଙ୍କୁ ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି ଦାୟିତ୍ୱ ନ୍ୟସ୍ତ କରିଛି।

ସଈଦ ଜଲୀଲୀ କିଏ?
ଉତ୍ତର-ପୂର୍ବ ଇରାନର ଧାର୍ମିକ କେନ୍ଦ୍ର ମଶହଦରେ ୧୯୬୫ରେ ଜନ୍ମିତ ସଈଦ ଜଲୀଲୀଙ୍କ ପାରିବାରିକ ପୃଷ୍ଠଭୂମି ଅତ୍ୟନ୍ତ ସାଧାରଣ। ତାଙ୍କ ପିତା ସ୍କୁଲ ପ୍ରିନ୍ସପାଲ ଓ ଫରାସୀ ଭାଷା ଶିକ୍ଷକ ଥିଲେ। ଇରାନ-ଇରାକ ଯୁଦ୍ଧରେ ଜଲୀଲୀ ତାଙ୍କ ଡାହାଣ ଗୋଡ ହରାଇଥିଲେ। ଏଣୁ ତାଙ୍କ ସମର୍ଥକ ତାଙ୍କୁ ଜୀବିତ ଶହିଦ ଉପାଧି ଦେଇଥିଲେ।

ପରମାଣୁ ବାର୍ତ୍ତାକାର ରୂପେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା
ସରକାରୀ ସେବାରେ ଯୋଗଦେବା ପୂର୍ବରୁ ଜଲୀଲୀ ଆକାଡେମିକ କ୍ଷେତ୍ରରେ କ୍ୟାରିୟର ଗଢିଥିଲେ। ସେ ଡକ୍ଟରେଟ ହାସଲ କରିଥିଲେ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ପରେ ବିଦେଶ ମନ୍ତ୍ରାଳୟର ବିଭିନ୍ନ ପଦପଦବୀରେ କାମ କରିଛନ୍ତି। ୨୦୦୭-୨୦୧୩ ପର୍ଯ୍ୟନ୍ତ ରାଷ୍ଟ୍ରପତି ମହମୁଦ ଅଦମଦିନେଜାଦ୍ ଙ୍କ କାର୍ଯ୍ୟକାଳରେ ସେ ଇରାନର ପ୍ରମୁଖ ପରମାଣୁ ବାର୍ତ୍ତାକାର ହୋଇଥିଲେ। ସେହି ସମୟରେ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମକୁ ଆଗକୁ ବଢାଉଥିଲା ଓ ଜଲୀଲୀ ପାଶ୍ଚାତ୍ୟ ଶକ୍ତିଙ୍କ ସହିତ ଆଲୋଚନାର ନେତୃତ୍ୱ ନେଉଥିଲେ।

୨୦୧୩ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ଜଲୀଲୀ
ଜଲୀଲୀ ଘରୋଇ ରାଜନୀତିରେ ମଧ୍ୟ ପାଦ ରଖିଥିଲେ ଓ ୨୦୧୩ ମସିହାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ମୌଳବାଦୀ ଧର୍ମଗୁରୁ ମହମଦ ତକୀ ମେସବାହ ୟେଜଦୀଙ୍କ ସମର୍ଥନ ମିଳିଥିଲା। ହେଲେ ନିର୍ବାଚନରେ ସେ ତୃତୀୟ ସ୍ଥାନରେ ରହିଥିଲେ। ନିର୍ବାଚନରେ ବିଫଳତା ପରେ ମଧ୍ୟ ଋଢିବାଦୀଙ୍କ ଉପରେ ତାଙ୍କର ପ୍ରଭାବ ରହିଛି। ଉତ୍ତରାଧିକାର ଓ ରଣନୈତିକ ନିଷ୍ପତ୍ତିରେ ପ୍ରାୟତଃ ତାଙ୍କ ନାମ ଚର୍ଚ୍ଚାରେ ଥାଏ।

ଇସ୍ରାଏଲ ବିରୋଧରେ ନେଇ ପାରନ୍ତି କଡ଼ା ନିଷ୍ପତ୍ତି
ବିଶ୍ଲେଷକଙ୍କ ଅନୁସାରେ ଲାରିଜାନୀ ମୃତ୍ୟୁ ପରେ ଜଲୀଲୀ ତାଙ୍କର ଅସ୍ଥାୟୀ ଓ ସ୍ଥାୟୀ ଉଭୟ ଉତ୍ତରାଧିକାରୀ ରୂପେ ଉଭା ହୋଇଛନ୍ତି। ଖାସ କରି ଯେଉଁ ପର୍ଯ୍ୟନ୍ତ ମୁଜତବା ଖେମିନି ନୂଆ ପ୍ରତିନିଧି ନିଯୁକ୍ତ ନ କରିଛନ୍ତି ସେ ପର୍ଯ୍ୟନ୍ତ ଜଲୀଲୀ ଇରାନ ସୁପ୍ରିମ ସିକ୍ୟୁରିଟି କାଉନସିଲ ମୁଖ୍ୟ ଦାୟିତ୍ୱ ତୁଲାଇବେ। ଜଲୀଲୀଙ୍କ କମାଣ୍ଡରେ ଇସ୍ରାଏଲର ତେଲଆଭିବ ସମେତ ଅନେକ ଇସ୍ରାଏଲୀ ସହର ଉପରେ ଏକକାଳୀନ ଆକ୍ରମଣ ହୋଇଥିବାର ଖବର ବି ଆସୁଛି। ଏଥିରେ ଜାରି ଉତ୍ତେଜନା ଆହୁରି ବଢି ଯାଇଛି।