ନୂଆଦିଲ୍ଲୀ ୨୬।୦୪; ଆୟୁଷ ବଢ଼ାଉଥିବା ନୂଆ ଔଷଧ ଉପରେ ଏବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଫୋକସ୍ । ଗତ ନଭେମ୍ବରରେ ଏକ ଏଆଇ ସମ୍ମିଳନୀରେ ୭୩ ବର୍ଷୀୟ ପୁଟିନ କହିଥିଲେ, ମଣିଷ ୧୫୦ ବର୍ଷ ବୟସ ଯାଏ ବଞ୍ଚିପାରିବ । ଏବେ ରୁଷ୍ର ବିଜ୍ଞାନ ଓ ଶିକ୍ଷା ମନ୍ତ୍ରୀ ଡେନିସ ସେକିରିନ୍ସ୍କି ଦାବି କରିଛନ୍ତି, ତାଙ୍କ ଦେଶର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଜିନ୍ ଥେରାପି ଔଷଧ ପ୍ରସ୍ତୁତ କରୁଛନ୍ତି, ଯାହା ବୃଦ୍ଧ ହେବାର ପ୍ରକ୍ରିୟାକୁ ରୋକିପାରେ । ଏହି ଔଷଧ ‘ରେଜ୍’ ନାମକ ଜିନ୍କୁ ଅବରୋଦ୍ଧ କରିବ, ଯାହା କୋଷିକାଗୁଡ଼ିକୁ ବୃଦ୍ଧ କରିଥାଏ । ସେକିରିନ୍ସ୍କି କହିଛନ୍ତି, ଏହି ଜିନ୍ ସକ୍ରିୟ ହେବା ଦ୍ୱାରା କୋଷିକାଗୁଡ଼ିକ ବୁଢ଼ା ହୋଇଯାଆନ୍ତି । କିନ୍ତୁ ଏହାକୁ ରୋକିବା ଦ୍ୱାରା ବ୍ୟକ୍ତି ଦୀର୍ଘାୟୁ ହୋଇପାରେ । ଏ ଖବର ପୁଟିନଙ୍କ ଦୀର୍ଘାୟୁ ହେବାର ଇଚ୍ଛା ସହ ଜଡ଼ିତ ବୋଲି ଅନୁମାନ କରାଯାଉଛି ।

ରେଜ୍ର ପୂରା ନାଁ ‘ରିସେପ୍ଟର ଫର ଆଡ୍ଭାନ୍ସଡ ଗ୍ଲାଇକେସନ୍ ଏଣ୍ଡପ୍ରଡକ୍ଟସ । ଏହା ଏକ ରିସେପ୍ଟର, ଯାହା କୋଷିକାଗୁଡ଼ିକରେ ବୟସ ବୃଦ୍ଧିର ପ୍ରକ୍ରିୟା ଆରମ୍ଭ କରେ । ରୁଷ୍ ବୈଜ୍ଞାନିକଙ୍କ ଲକ୍ଷ୍ୟ- ଜିନ୍ ଥେରାପିରୁ ଏହି ରିସେପ୍ଟରକୁ ବ୍ଲକ୍ କରିବା, ଯାହା ଦ୍ୱାରା କୋଷିକାଗୁଡ଼ିକ ଅଧିକ ସମୟ ପର୍ଯ୍ୟନ୍ତ ଯୁବା ରହିବ । ସେକିରିନ୍ସ୍କି ସରାନ୍ସ୍କ ସହରରେ ଲନ୍ଜିଭିଟି ମେଡିସିନ୍ ଫୋରମ କହିଥିଲେ, ଏହି ଜିନ୍ ଥେରାପି ବୟସ ବୃଦ୍ଧିବିରୋଧୀ ଲଢ଼େଇରେ ସବୁଠୁ ଆଶାଜନକ । ଏହି ଔଷଧ ବାୟୋଲୋଜି ଅଫ୍ ଏଜିଂ ଆଣ୍ଡ ମେଡିସିନ୍ ଇନ୍ଷ୍ଟିଚ୍ୟୁଟ୍ରେ ପ୍ରସ୍ତୁତ କରାଯାଉଛି ।

ପୁଟିନ କେବଳ ୧୫୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିବାରେ ସନ୍ତୁଷ୍ଟ ନୁହନ୍ତି । ସେ ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗଙ୍କ ସହ ଆଲୋଚନାରେ କହିଥିଲେ, ମଣିଷ ଅଙ୍ଗଗୁଡ଼ିକୁ ବାରମ୍ବାର ପ୍ରତିରୋପଣ କରାଯାଇପାରେ । ଯେତେ ଅଧିକ ବଞ୍ଚିବା, ସେତେ ଅଧିକ ଯୁବା ଦିଶିବା । ପୁଟିନ ଦୀର୍ଘାୟୁ ହେବାକୁ ଓ ଦୀର୍ଘ ଦଶନ୍ଧି ଧରି ଶାସନରେ ରହିବାକୁ ଚାହାନ୍ତି ବୋଲି ଚର୍ଚ୍ଚା ହେଉଛି । ରୁଷ୍ ବୈଜ୍ଞାନିକଙ୍କୁ ନିକଟରେ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ବୟସ ବୃଦ୍ଧି ମୁକାବିଲା ସମ୍ପର୍କିତ ସମସ୍ତ ଅଧ୍ୟୟନକୁ ତୁରନ୍ତ ସରକାରଙ୍କୁ ହସ୍ତାନ୍ତର କରନ୍ତୁ । କୋଷିକାଗୁଡ଼ିକୁ ନଷ୍ଟ ହେବାରୁ ରୋକିବାର ନୂଆ ଟେକ୍ନୋଲୋଜି, ମସ୍ତିଷ୍କ ଓ ଇନ୍ଦ୍ରିୟଗୁଡ଼ିକୁ ଦୁର୍ବଳ ହେବାରୁ ରୋକିବାର ଉପାୟ, ପ୍ରତିରକ୍ଷା ପ୍ରଣାଳୀକୁ ସୁଧାରିବା ଏବଂ ବାୟୋପ୍ରିଣ୍ଟିଙ୍ଗ ଭଳି ନୂଆ ମେଡିକାଲ ଟେକ୍ନୋଲୋଜିର ପ୍ରସ୍ତାବ ଦେବାକୁ ସରକାର ବୈଜ୍ଞାନିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୁଟିନ ଦେଶରେ ଏକ ଜାତୀୟ ମିଶନ ଆରମ୍ଭ କରିଛନ୍ତି, ଯାହାର ଲକ୍ଷ୍ୟ ନାଗରିକଙ୍କ ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ବୟସ ବୃଦ୍ଧି ସହ ମୁକାବିଲା କରିବା । ୨୦୩୦ ମସିହା ସୁଦ୍ଧା ୧ ଲକ୍ଷ ୭୫ ହଜାର ଜୀବନ ବଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ପୁଟିନଙ୍କ ବଡ଼ ଝିଅ ୪୦ ବର୍ଷୀୟା ମାରିଆ ଜଣେ ଏଣ୍ଡୋକ୍ରିନୋଲୋଜିଷ୍ଟ ଯିଏକି ଏହି ବୟସ ବୃଦ୍ଧି ଅଧ୍ୟୟନରେ ସାମିଲ ହୋଇଥିବା କୁହାଯାଉଛି ।