Russian oil arrives in Indiaଚୀନରୁ ଫେରିଥିବା ଋଷୀୟ ଅଶୋଧିତ ତୈଳ ବୋଝେଇ ଜାହାଜ ଆକ୍ୱା ଟାଇଟାନ୍ (Aqua Titan) ଶନିବାର ସନ୍ଧ୍ୟାରେ ଭାରତର ମଙ୍ଗାଲୁରୁ ପୋର୍ଟରେ ପହଞ୍ଚିଛି। ଏହି ଜାହାଜ ପ୍ରଥମେ ଚୀନ ଯାଉଥିଲା। ହେଲେ ହଠାତ୍ ଗତିପଥ ପରିବର୍ତ୍ତନ କରି ଏହା ଭାରତ ଆଡ଼କୁ ଆସିଥିଲା। ଚୀନରୁ ଭାରତ ଆଭିମୁଖେ ଆସୁଥିବା ଋଷର ୭ଟି ଅଶୋଧିତ ବୋଝେଇ ଜାହାଜ ମଧ୍ୟରୁ ଆକ୍ୱା ଟାଇଟନ ପ୍ରଥମ ଜାହାଜ ଭାବେ ଭାରତରେ ପହଞ୍ଚିଛି।

ଜାନୁଆରୀ ଶେଷ ଭାଗରେ ବାଲଟିକ୍ ସମୁଦ୍ର ବନ୍ଦରରେ ଏହି ଟ୍ୟାଙ୍କରରେ ଅଶୋଧିତ ତୈଳ ଲୋଡ୍ କରାଯାଇଥିଲା। ତେଲ ଲୋଡ୍ ହେବା ପରେ ପ୍ରଥମେ ଚୀନ୍ ବନ୍ଦର ରିଜାଓ ଅଭିମୁଖେ ଯାଉଥିଲା। ହେଲେ ଫସି ରହିଥିବା ଋଷ ତେଲ କିଣିବା ପାଇଁ ଭାରତକୁ ଆମେରିକା ପକ୍ଷରୁ ଅସ୍ଥାୟୀ ଭାବେ ଛାଡ଼ ମିଳିବାର କିଛି ଦିନ ପରେ, କିଛି ଦିନ ତଳେ ଏହି ଜାହାଜ ଚୀନ ଠାରୁ ୟୁ-ଟର୍ଣ୍ଣ ନେଇ ଭାରତ ଆଡ଼କୁ ମୁହାଁଇ ଥିଲା।

ପଢ଼ନ୍ତୁ- Also read-Iranian Navy guided India's LPG vessel: ଭାରତର ଗ୍ୟାସ ଓ ଏଲ୍ପିଜି ବୋଝେଇ ଜାହାଜକୁ ହରମୁଜ୍ରେ ସୁରକ୍ଷା ଦେଇ ପଠାଇଥିଲା ଇରାନୀ ନୌସେନା: ମିଡିଆ ରିପୋର୍ଟ

ଗତିପଥ ବଦଳାଇ ଭାରତ ଆସିଥିଲା ଜାହାଜ

୧୮ ମାର୍ଚ୍ଚରେ ବ୍ଲୁମବର୍ଗ କରିଥିବା ରିପୋର୍ଟ ଅନୁସାରେ, ୭ଟି ଅଶୋଧିତ ତୈଳ ବୋଝେଇ ରୁଷିଆନ ଟ୍ୟାଙ୍କର ଚୀନ ଠାରୁ ଭାରତ ଅଭିମୁଖେ ଆସୁଛନ୍ତି। ଏହି ୭ ମଧ୍ୟରୁ ଗୋଟିଏ ଆଜି ପହଞ୍ଚି ସାରିଛି। ଆଉ ୬ ଜାହାଜ ଖୁବ୍‌ଶୀଘ୍ର ପହଞ୍ଚିପାରେ। ଇରାନ ଯୁଦ୍ଧ ଯୋଗୁ ହର୍ମୁଜ୍ ଜଳପଥ ବନ୍ଦ ହେବା ମଧ୍ୟରେ ଭାରତ ଏହାର ଶକ୍ତି ଯୋଗାଣ ସୁରକ୍ଷିତ ରଖିବା ପାଇଁ ଏହି ପ୍ରୟାସ କରିଛି।

ଏଥିପାଇଁ ଋଷୀୟ ତୈଳ ବୋଝେଇ ଟ୍ୟାଙ୍କର ଭାରତ ଆସୁଛନ୍ତି। ଆଉ ଏକ ଟ୍ୟାଙ୍କର୍, ସୁଏଜମାକ୍ସ ଜୁଜୋ ଏନ(Suezmax Zouzou N), ମାର୍ଚ୍ଚ ୨୫ ତାରିଖରେ ଗୁଜରାଟର ସିକ୍କା ବନ୍ଦରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ଜାହାଜଟି ମାର୍ଚ୍ଚ ଆରମ୍ଭରୁ ଏହାର ଗତିପଥ ଭାରତ ଆଡ଼କୁ ବଦଳାଇଥିଲା ବୋଲି ବ୍ଲୁମବର୍ଗ ରିପୋର୍ଟ କରିଥିଲା।

ସେହିପରି ରୋଷେଇ ଇନ୍ଧନ ସଙ୍କଟକୁ ଦୂର କରିବା ପାଇଁ ମଧ୍ୟ ଭାରତ ପ୍ରୟାସ ଜାରି ରଖିଛି। ରବିବାର ଆମେରିକାରୁ ଏଲ୍‌ପିଜି ବୋଝେଇ ଜାହାଜ ଭାରତରେ ଆସି ପହଞ୍ଚଛି। ଆମେରିକାର ଟେକ୍ସାସରୁ ଯାତ୍ରା କରୁଥିବା ମାଲବାହୀ ଜାହାଜ ପାଇକ୍ସିସ୍ ପାୟୋନିୟର (Pyxis Pioneer)ରବିବାର ନ୍ୟୁମାଙ୍ଗାଲୁରୁ ବନ୍ଦରରେ ଲାଗିଛି। ବନ୍ଦରରେ ବର୍ତ୍ତମାନ ଆବଶ୍ୟକୀୟ ସୁରକ୍ଷା ଯାଞ୍ଚ ଏବଂ ଅନଲୋଡିଂ ପ୍ରକ୍ରିୟା ଜାରି ରହିଛି।

ହରମୁଜ ଜଳପଥରେ ଜାହାଜ ଛାଡିବ ଇରାନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବିଦ୍ୟୁତ କେନ୍ଦ୍ର ଉପରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଷ୍ଟ୍ରେଟ୍ ଅଫ ହରମୁଜକୁ ନେଇ ନିଜ ଆଭିମୁଖ୍ୟରେ କୋହଳ କରିଛି ଇରାନ। ଏହି ଜଳପଥ ଦେଇ ସମସ୍ତେ ଜାହାଜ ନେଇପାରିବେ ହେଲେ ଶତ୍ରୁ ରାଷ୍ଟ୍ର ସହ ଜଡ଼ିତ ଜାହାଜ ଛଡ଼ାଯିବନି ବୋଲି ଇରାନ କହିଛି। ଇରାନ ସମ୍ଭବତଃ ଆମେରିକା ଓ ଇସ୍ରାଏଲର ଜାହାଜ ନ ଛାଡ଼ିବାକୁ ଚେତାବନୀ ଦେଇଥାଇପାରେ ବୋଲି ଜଣେ ବରିଷ୍ଠ ଜାତିସଂଘ ଅଧିକାରୀ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇଥିଲେ। ୪୮ ଘଣ୍ଟା ଭିତରେ ଷ୍ଟ୍ରେଟ୍ ଅଫ ହରମୁଜ ନ ଖୋଲିଲେ ଆମେ ତୁମ ପାୱାର ପ୍ଲାଣ୍ଟ ଉପରେ ଆଟାକ କରିଦେବୁ ବୋଲି ଟ୍ରମ୍ପ ଧମକ ଦେଇଥିଲେ। ଏହାପରେ ଇରାନ ପକ୍ଷରୁ ଏହି ସୂଚନା ମିଳିଛି।