ନୂଆଦିଲ୍ଲୀ:Iranian Navy guided India's LPG vesselଇରାନ-ଇସ୍ରାଏଲ ଆମେରିକା ଯୁଦ୍ଧ,ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଆଉ ଏହା ହିଁ ବର୍ତ୍ତମାନ ବିଶ୍ୱ ଶକ୍ତି ସଂକଟର ପ୍ରମୁଖ କାରଣ। ତେବେ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଭାରତ ପାଇଁ କିନ୍ତୁ ଖୁସିର ଖବର ଆସିଛି। ଆମେରିକା ଇରାନୀ ତେଲ ଉପରେ କଟକଣା ହଟାଇବା ପରେ ଏବେ ଭାରତ ଇରାନ ଠାରୁ ତେଲ କିଣିବ। ସେପଟେ ଋଷ ଠାରୁ ବି ତେଲ କିଣା ଜାରି ରଖିଛି। ବିଶ୍ୱରେ ଅସ୍ଥିରତା ସମୟରେ ଏହା ଭାରତ ପାଇଁ କେତେ ଲାଭପ୍ରଦ ହେବ ତାକୁ ନେଇ ଆଜିର ସ୍ପେଶାଲ୍ ରିପୋର୍ଟ ପଢନ୍ତୁ।

ବିଶ୍ୱ ପାଇଁ ଷ୍ଟ୍ରେଟ୍ ଅଫ୍ ହରମୁଜ ବନ୍ଦ କରିଛି ଇରାନ। ହେଲେ ସେଇ ରାସ୍ତା ଦେଇ ଭାରତୀୟ ମାଲବାହୀ ଜାହାଜ ଆସୁଛି। ଖୋଦ୍ ଇରାନୀ ନୌସେନା ଭାରତୀୟ ଜାହାଜକୁ ସୁରକ୍ଷା ଦେଉଛନ୍ତି। ଯାହା ଭାରତରର ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି।

 ଇରାନ ତେଲ କିଣିବା ଉପରେ ୩୦ ଦିନ ପାଇଁ କଟକଣା କୋହଳ କରିଛି ଆମେରିକା। ଏବେ ଇରାନ ଠାରୁ ଭାରତ ସମେତ ଅନ୍ୟ ଦେଶମାନେ ତେଲ କିଣି ପାରିବେ। ହେଲେ ଏହି ଛାଡ଼ କେବଳ ସମୁଦ୍ରରେ ଥିବା ଇରାନ ତେଲ ଟ୍ୟାଙ୍କର କ୍ରୟ ପାଇଁ ଲାଗୁ ହୋଇଛି। ଅର୍ଥାତ୍ ପୂର୍ବରୁ ଲୋଡ୍ ହୋଇ ଯେଉଁ ତେଲ ଟ୍ୟାଙ୍କରଗୁଡ଼ିକ ସମୁଦ୍ରରେ ଅଟକି ରହିଛି, କେବଳ ସେହି ତେଲ ଗୁଡ଼ିକ କିଣି ହେବ। ଆମେରିକା ଟ୍ରେଜେରୀ ବିଭାଗର ୱେବସାଇଟ୍ ଅନୁଯାୟୀ, ଏହି ଛାଡ଼ ୨୦ ମାର୍ଚ୍ଚରୁ ୧୯ ଏପ୍ରିଲ ପର୍ଯ୍ୟନ୍ତ ବୈଧ ରହିବ।

Also read- LPG Crisis: ଶକ୍ତି ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ରାଜ୍ୟଙ୍କୁ ମିଳିବ ୨୦% ଅତିରିକ୍ତ ଗ୍ୟାସ

ଗ୍ଲୋବାଲ ମାର୍କେଟ୍‌ରେ ତେଲ ସପ୍ଲାଏ ବଢ଼ାଇବା ଓ ରକେଟ ଭଳି ବଢୁଥିବା ତୈଳ ମୂଲ୍ୟ ଉପରେ ନିୟନ୍ତ୍ରଣ କରିବାକୁ ଏହି ନିଷ୍ପତ୍ତି ନେଇଛି ଆମେରିକା। ଆମେରିକାର ଏହି ନିଷ୍ପତ୍ତି ଭାରତ ପାଇଁ ଲାଭପ୍ରଦ ହୋଇପାରେ। ଫଳରେ ଭାରତ ଇରାନ ଠାରୁ ପୁଣି ତେଲ କିଣିବା ଆରମ୍ଭ କରିବ। ବର୍ତ୍ତମାନ ତୈଳ ସଂକଟ ଯୋଗୁ କ୍ରୁଡ୍ ଅଏଲ ଦାମ ବ୍ୟାରେଲ ପ୍ରତି ୧୧୦ ଡଲାର ପାର୍ କରିଛି। ଯାହା ଯୁଦ୍ଧ ପୂର୍ବରୁ ୨୮ ଫେବ୍ରୁଆରୀରେ, ମାତ୍ର ୭୦ ଡଲାର ଥିଲା।

ଏବେ ଆସନ୍ତୁ ବୁଝିବା ଆମେରିକାର ଏହି ନିଷ୍ପତ୍ତିରେ ଭାରତର କିଭଳି ଲାଭ ହେବ?

କିଛି ଦିନ ପୂର୍ବରୁ ଆମେରିକା ଋଷ ତେଲ ଉପରେ ମଧ୍ୟ କଟକଣା ହଟାଇଥିଲା। ଏହାପରେ ପୂର୍ବରୁ ଲୋଡ୍ ହୋଇ ସମୁଦ୍ରରେ ଥିବା ଋଷୀୟ ତେଲ କିଣିବା ଆରମ୍ଭ କରିଦେଇଥିଲା। ଆଉ ଏବେ ଇରାନ ଉପରେ କଟକଣା ହଟିବା ପରେ ଭାରତୀୟ ତୈଳ ଆମଦାନୀ କମ୍ପାନୀ ଇରାନ ମୁହାଁ ହୋଇଛନ୍ତି। କାରଣ ଭାରତ ନିଜ ଆବଶ୍ୟକତାର ୯୦% ତେଲ ଆମଦାନୀ କରେ, ସେଥିରୁ ପ୍ରାୟ ୬୦% ଅଶୋଧିତ ତୈଳ ଆମଦାନୀ ଗଲ୍ଫରୁ ହୋଇଥାଏ। ତେଣୁ ଇରାନ ଉପରେ କଟକଣା ହଟିବା ଭାରତ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ରଏଟର୍ସର ରିପୋର୍ଟ ଅନୁଯାୟୀ, ତିନୋଟି ଭାରତୀୟ କମ୍ପାନୀ ବର୍ତ୍ତମାନ ଇରାନ ତେଲ କିଣିବାକୁ ଯୋଜନା କରୁଛନ୍ତି ଏବଂ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ହେଲେ ସରକାର ଟ୍ରମ୍ପ ପ୍ରଶାସନଠାରୁ ପେମେଣ୍ଟ ମେଣ୍ଟ ମେକାନିଜମ ଉପରେ ସ୍ପଷ୍ଟତା ମାଗିଛନ୍ତି। ଏହି ପ୍ରକ୍ରିୟା ନେଇ ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କଲେ ଭାରତ ଇରାନ ଠାରୁ ତେଲ କିଣିବ।

ଇତିହାସ ଦେଖିଲେ ଭାରତ ୨୦୧୮ ପର୍ଯ୍ୟନ୍ତ ଇରାନ ଠାରୁ ସର୍ବାଧିକ ତୈଳ ଆମଦାନୀ କରୁଥିଲା। ମୋଟ ଆମଦାନୀର ୧୧.୫% ଇରାନରୁ ଆସୁଥିଲା ହେଲେ ଆମେରିକା କଟକଣା ଲଗାଇବା ପରେ ଭାରତ ତୈଳ ଆମଦାନୀ ଏକଦମ ବନ୍ଦ କରି ଋଷ ଆଡ଼କୁ ମୁହାଇଁଥିଲା। ହେଲେ ବଡ଼ କଥା ହେଲା ଇରାନ ସହ ଭାରତର ସମ୍ପର୍କ ନାଁ ଭଲ ନାଁ ଖରାପ ରହିଛି। ତେବେ ଚୀନ କିନ୍ତୁ ଇରାନକୁ ପରୋକ୍ଷରେ ସମର୍ଥନ ଦେଇ କେବଳ ଲାଭ ହିଁ ଲାଭ ପାଉଛି। ଷ୍ଟ୍ରେଟ୍ ଅଫ ହରମୁଜ ଦେଇ ଚୀନ ଇରାନ ଠାରୁ ତେଲ କିଣିପାରୁଛି, ବଦଳରେ ଇରାନକୁ ଅସ୍ତ୍ରଶସ୍ତ୍ର ଦେଉଛି। ତେବେ ଆମେରିକା କହିଛି ଏହି କୋହଳ ଭାରତ, ମାଲେସିଆ ଓ ଜାପନକୁ ଲାଭ ଦେବାକୁ ହୋଇଛି।

Also read- Petrol Price Hike: ପ୍ରିମିୟମ୍ ପେଟ୍ରୋଲ ଏବଂ ସାଧାରଣ ପେଟ୍ରୋଲ ମଧ୍ୟରେ ପାର୍ଥକ୍ୟ କ’ଣ ? ଆପଣଙ୍କ ଗାଡ଼ି ପାଇଁ କେଉଁଟା ଭଲ?

ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ବିଶ୍ୱର ୨୦ ପ୍ରତିଶତ ତୈଳ ଓ ଗ୍ୟାସ ଆମଦାନୀ ରପ୍ତାନୀ ହୁଏ। ହେଲେ ଇରାନ ଏହି ପଥକୁ ବନ୍ଦ କରି ଦେବାରୁ ତୈଳ ସଂକଟ ଦେଖା ଦେଇଛି।ଭାରତ ଉପରେ ବି ଏହାର ପ୍ରଭାବ ପଡ଼ିଛି। ହେଲେ ବଡ଼ କଥା ହେଲା ଭାରତ ସରକାର ଇରାନ ସହ ଆଲୋଚନା କରିବା ପରେ ଇରାନ ଭାରତର ଜାହାଜଗୁଡ଼ିକୁ ଛାଡ଼ିବାକୁ ରାଜି ହୋଇଛିଖୋଦ ଇରାନ ନୌସେନା ହରମୁଜ ଜଳ ପଥରେ ଭାରତୀୟ ଜାହାଜକୁ ଗାଇଡ୍ କରିଛନ୍ତି। ଯାହାକୁ ଭାରତର କୂଟନୈତିକ ବିଜୟ ବୋଲି କୁହାଯାଉଛି।

ଆମେରିକା ଇସ୍ରାଏଲ, ଇରାନ ଉପରେ ଆକ୍ରମଣ କରିବା ପରେ ଇରାନ ସାରା ବିଶ୍ୱକୁ ସମସ୍ୟା ଭିତରକୁ ଠେଲି ଦେଇଛି। ବାଣିଜ୍ୟ ପଥ ବନ୍ଦ କରି ବିଶ୍ୱରେ ଶକ୍ତି ସଂକଟ ସୃଷ୍ଟି କରିଛି। ଓମାନ ଓ ଇରାନ ମଧ୍ୟ ଦେଇ ଯାଇଥିବା ୩୨ କିମି ଓସାର ବିଶିଷ୍ଟ ଷ୍ଟ୍ରେଟ୍ ଅଫ୍ ହରମୁଜ ଜଳପଥ ଦେଇ ବିଶ୍ୱର ୨୦ ପ୍ରତିଶତ ତୈଳ ଆମଦାନୀ ରପ୍ତାନୀ ହୋଇଥାଏ। ଇରାନ ଏହାକୁ ବନ୍ଦ କରିଦେଇଛି। ଯାହାର ପରିଣାମ ବିଶ୍ୱ ସମେତ ଭାରତ ବି ଭୋଗୁଛି। ଭାରତରେ ଏଲ୍‌ପିଜି ସଂକଟ ସହ ପେଟ୍ରୋଲ ଓ ଡିଜେଲ ସଂକଟ ଦେଖା ଦେଇଛି।

ତେବେ ବଡ଼ କଥା ହେଲା ଏହି ପ୍ରସଙ୍ଗରେ ଭାରତକୁ କୂଟନୈତିକ ସଫଳତା ମିଳିଛି। ଇରାନ ସହ ଆଲୋଚନା କରିବା ପରେ ଭାରତର ମାଲବାହୀ ଜାହାଜକୁ ଛାଡ଼ିବାକୁ ରାଜି ହୋଇଥିଲା ଇରାନ। ଏଥିପାଇଁ ହରମୁଜ ପଥ ଦେଇ ଏକାଧିକ ଏଲ୍‌ପିଜି ଓ ଅଶୋଧିତ ତୈଳ ବୋଝେଇ ଜାହାଜ ଭାରତରେ ପହଞ୍ଚିଛି।

ଏଲପିଜି ବାହକ ଜାହାଜ ଶିବାଲିକ ସୋମବାର ମୁନ୍ଦ୍ରା ବନ୍ଦରରେ ଲାଗିଥିଲା। ସେହିପରି ଅନ୍ୟ ଏକ ଏଲପିଜି ଟ୍ୟାଙ୍କର ‘ନନ୍ଦା ଦେବୀ’ ମଙ୍ଗଳବାର ଭୋର ସମୟରେ ଗୁଜରାଟର କାଣ୍ଡଲା ବନ୍ଦରରେ ପହଞ୍ଚିଥିଲା। ଉଭୟ ଏଲପିଜି ବାହକ ମୋଟ ୯୨,୭୧୨ ଟନ ଏଲପିଜି ଭାରତ ଆଣିଥିଲେ, ଯାହା ଦେଶର ଦିନକର ରୋଷେଇ ପାଇଁ ଆବଶ୍ୟକ ଗ୍ୟାସ୍ ସହ ସମାନ। ଦୁଇ ଏଲପିଜି ବୋଝେଇ ଜାହାଜ ମାର୍ଚ୍ଚ ୧୩ ତାରିଖରେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ ଓ ୧୪ ତାରିଖ ଦିନ ହୋର୍ମୁଜ ପ୍ରଣାଳୀ ପାର ହୋଇଥିଲେ। ଏହି ଜାହଜଗୁଡ଼ିକ ହରମୁଜ ଦେଇ ଯିବାରେ ଇରାନୀ ନୌସେନା ଗାଇଡ୍ କରିଥିଲେ। ଏନେଇ ଜାହାଜର ଜଣେ କ୍ରୁ ମେମ୍ବର ନାଁ ଗୋପନ ରଖି ସୂଚନା ଦେଇଥିବା ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶ ପାଇଛି।

ଇରାନ ନୌସେନା ପକ୍ଷରୁ ଭାରତୀୟ ଜାହାଜର କ୍ୟାପ୍ଟେନଙ୍କୁ ଜାହାଜର ପତାକା, ଠିକାଣା ଓ ସମ୍ପୂର୍ଣ୍ଣ ତଥ୍ୟ ପଚାରିଥିଲେ। ଏହାପରେ ଗାଇଡ୍ କରି ହରମୁଜ ଜଳପଥ ପାର କରାଇଥିଲେ ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।

ସେହିପରି ବୁଧବାର ଜଗ ଲାଡକୀ ନାମକ ଏକ ଜାହାଜ ୮୦,୮୮୬ ଲକ୍ଷ ଟନ୍ ଅଶୋଧିତ ତୈଳ ନେଇ ମୁନ୍ଦ୍ରାରେ ପହଞ୍ଚିଥିଲା। ଏକ ଅନ୍ୟ ଟ୍ୟାଙ୍କର ‘ଜଗ ପ୍ରକାଶ’ ପୂର୍ବରୁ ସୁରକ୍ଷିତ ରୂପେ ହୋର୍ମୁଜ ପ୍ରଣାଳୀ ପାର କରିଥିବା ବେଳେ ଏବେ ତାଞ୍ଜାନିଆ ରାସ୍ତାରେ ଅଛି। ଏହା ଓମାନରୁ ଆଫ୍ରିକା ନିମନ୍ତେ ଗ୍ୟାସୋଲିନ ନେଇ ଯାଉଥିବା ସୂଚନା ମିଳିଛି।

ମୋଟ ୨୪ଟି ଭାରତୀୟ ପତାକାଧାରୀ ଜାହାଜ ମଧ୍ୟରୁ ଏବେ ୨୨ଟି ହୋର୍ମୁଜ ପ୍ରଣାଳୀର ପାଶ୍ଚିମ ଉପକୂଳରେ ଥିବା ବେଳେ ଏଗୁଡିକରେ ୬୧୧ ଜଣ ନାବିକ ଅଛନ୍ତି। ଆଉ ଦୁଇଟି ଜାହଜ ପୂର୍ବ ଉପକୂଳରେ ଅଛନ୍ତି। ହୋର୍ମୁଜର ପଶ୍ଚିମ ଉପକୂଳରେ ଥିବା ୨୨ଟି ଜାହାଜ ମଧ୍ୟରୁ ୬ଟିଏଲପିଜି ପୋତ ଓ ଗୋଟିଏ ଏଲଏନଜି ଟ୍ୟାଙ୍କର ଅଛି। ଏହା ଛଡା ୪ଟି ଅଶୋଧିତ ତୈଳ ଟ୍ୟାଙ୍କର ଥିବା ବେଳେ ଗୋଟିଏ ରସାୟନିକ ଉତ୍ପାଦ ପରିବହନ କରୁଛି। ଏହା ଛଡା ୨ଟି କଣ୍ଟେନର ଜାହାଜ ଥିବା ବେଳେ ୨ଟି ବଲ୍କ କ୍ୟାରିୟର, ଗୋଟିଏ ଡ୍ରେଜର ଜାହାଜ ଓ ଆଉ ଗୋଟିଏ ବୋଝେଇ ନଥିବା ଖାଲି ଜାହାଜ ରହିଛି।

Also read- ଆମେରିକାର F-35 ପରେ ଏବେ ଆକାଶରେ ଇସ୍ରାଏଲ ଯୁଦ୍ଧବିମାନକୁ ଟାର୍ଗେଟ୍ କଲା ଇରାନ

ଭାରତ ଯଦିଓ ଋଷ ଓ ଇରାନ ଠାରୁ ତୈଳ କିଣିବାକୁ ବାହାରିଛି ,ତଥାପି ଯୁଦ୍ଧ ପରିସ୍ଥିତିରେ ଏହାର ମୂଲ୍ୟ ମଧ୍ୟ ବଢ଼ିଛି। ଏହା ଛଡ଼ା ସ୍ଥିତି ସମୟ ଅନୁସାରେ ବଦଳୁଥିବାରୁ ଆଗକୁ ଜଟିଳ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ତଥାପି ଇରାନ ସହ କୂଟନୈତିକ ସମ୍ପର୍କ ଜାରି ରହିଛି। ଏନେଇ ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ଇରାନ ରାଷ୍ଟ୍ରପତି ମସୌଦ ପେଜେସ୍କିଆନଙ୍କ ସହ ଆଲୋଚନା କରିଥିଲେ। ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଥିଲେ। ତା ସହ ଜରୁରୀ ବାଣିଜ୍ୟ ରୁଟ୍ ଖୋଲିବା ଦିଗରେ ଗୁରୁତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ।