ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେପଟେ ପୁଟିନ୍‌ ସେନା ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରିଛି । ୟୁକ୍ରେନ୍‌ର ଡିନିପ୍ରୋପେଟ୍ରୋଭସ୍କ ଅଞ୍ଚଳସ୍ଥିତ ପାଭଲୋହ୍ରାଡ୍ ସହରର ଏକ ବ୍ୟସ୍ତବହୁଳ ଶପିଂ ମଲ୍‌ ଉପରେ ରୁଷ ଡ୍ରୋନ୍‌ ମାଡ଼ କରିଛି। ଦିନ ବେଳା ହୋଇଥିବା ଏହି ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୭ ଜଣ ଗୁରୁତର ଆହତ ହୋଇଛନ୍ତି।

ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଇଭାନ୍‌ ଭାଇହିଭସ୍କିଙ୍କ ଅନୁସାରେ, ସାଧାରଣ ଲୋକଙ୍କ ଗହଳି ଥିବା ସମୟରେ ହିଁ ଏହି ଡ୍ରୋନ୍‌ ମାଡ଼ କରାଯାଇଥିଲା। ଡିନିପ୍ରୋପେଟ୍ରୋଭସ୍କ ଅଞ୍ଚଳର ରାଜ୍ୟପାଳ ଓଲେକ୍ସାଣ୍ଡର୍ ହାଞ୍ଜାଙ୍କ ସୂଚନାନୁସାରେ, ଆହତ ୬୭ ଜଣଙ୍କ ମଧ୍ୟରେ ୮ ଜଣ ଶିଶୁ ଅଛନ୍ତି।

ଆକ୍ରମଣ ଯୋଗୁଁ ଶପିଂ ମଲ୍, ଆଖପାଖର ଦୋକାନ ଏବଂ ସଡ଼କରେ ଥିବା ଗାଡ଼ିଗୁଡ଼ିକରେ ନିଆଁ ଲାଗିଯାଇ ବହୁ କ୍ଷୟକ୍ଷତି ଘଟିଛି। ଜରୁରୀକାଳୀନ ସେବା ବାହିନୀ (SES) ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ରୁଷ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି ଏପରି ନୃଶଂସ ଆକ୍ରମଣ କରୁଛି ବୋଲି ନିନ୍ଦା କରିଛନ୍ତି ଭୋଲୋଡିମିର ଜେଲେନ୍‌ସ୍କି ।

Also Read: BRICS Media Kit : ସତ୍ତୁ, ମଖାନାକୁ କୋରାପୁଟ କଫି… BRICS ସମ୍ମିଳନୀରେ ଅତିଥିଙ୍କୁ ମିଳୁଛି ଦେଶୀ ଉପହାର, ରହିଛି ବିହାର-ଓଡ଼ିଶା-ଗୁଜରାଟର ଝଲକ

ୟୁକ୍ରେନ୍‌ ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହା ଏହାକୁ ରୁଷର ‘ଚାପ ପକାଇବା ନୀତି’ ବୋଲି କହିଛନ୍ତି। ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରି ୟୁକ୍ରେନ ଉପରେ ଚାପ ପକାଇବାକୁ  ରୁଷ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।ଗତ କିଛି ଦିନ ହେବ ୟୁକ୍ରେନର ବିଭିନ୍ନ ସହରର ଶପିଂ ମଲଗୁଡ଼ିକୁ ରୁଷ ଟାର୍ଗେଟ କରୁଛି । ବୁଧବାର ସୁମି ସହରର ଏକ ଶପିଂ ମଲରେ ଡ୍ରୋନ୍‌ ମାଡ଼ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୦ ଜଣ ଆହତ ହୋଇଥିଲେ। ସୋମବାର ଜାପୋରିଜିଆରେ ଏକ ଶପିଂ ମଲ୍ ଡ୍ରୋନ ଆକ୍ରମଣରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା ।