ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆୟୋଜନ ହେବାକୁ ଯାଉଛି ୧୮ତମ BRICS ସମ୍ମିଳନୀ । ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । BRICS 2026 ସମ୍ମିଳନୀରେ ଅତିଥିଙ୍କ ଆତିଥ୍ୟ ପାଇଁ ଭାରତ ପକ୍ଷରୁ ରଖାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । କେବଳ ସମ୍ମିଳନୀ ନୁହେଁ, ଅତିଥି ଓ ଡେଲିଗେଟ୍ସମାନଙ୍କୁ ଦିଆଯାଉଥିବା ଉପହାର କିଟ୍‌ରେ ମଧ୍ୟ ଦେଖିବାକୁ ମିଳୁଛି ଭାରତର ବିଭିନ୍ନ ରାଜ୍ୟର ଛାପ । ଏହାରି ଭିତରେ ଭାରତ ସରକାର ପକ୍ଷରୁ ସାମ୍ବାଦିକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା BRICS ମିଡିଆ କିଟ୍ ଏବେ ଚର୍ଚ୍ଚାରେ ।

ଖୁସିର କଥା ବ୍ରିକ୍ସ ମିଡିଆ କିଟ୍‌ରେ ସ୍ଥାନ ପାଇଛି ଓଡ଼ିଶାର ପ୍ରସିଦ୍ଧ କୋରାପୁଟ କଫି । ଯାହା ପୁଣିଥରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଓଡ଼ିଶାର କଫିକୁ ସ୍ୱତନ୍ତ୍ର ପରିଚୟ ଦେଇଛି । କିଟ୍‌ରେ ବିହାରର ପାରମ୍ପରିକ ସତ୍ତୁ ବା ଛତୁଆ, ମଖାନା, ଗୁଜରାଟର ପ୍ରସିଦ୍ଧ ହସ୍ତଶିଳ୍ପ ସହିତ ଭାରତର ବିବିଧ ସାଂସ୍କୃତିକ ରାନ୍ଧଣାଗତ ଦୃଶ୍ୟପଟ୍ଟର କିଛି ଉପାଦାନ ସ୍ଥାନ ପାଇଛି ।

Also Read-BRICSରେ ବିଦେଶୀ ନେତା ଓ ସେମାନଙ୍କ ଟିମ୍ ଖର୍ଚ୍ଚ ବହନ କରିବ କିଏ?ବୁଝନ୍ତୁ ଆୟୋଜକ ଓ ଅତିଥି ଦେଶଙ୍କ ପୁରା ଗଣିତ

ନୂଆଦିଲ୍ଲୀ ସ୍ଥିତି ଭାରତ ମଣ୍ଡପମରେ ଆସନ୍ତା ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେଉଛି ୧୮ତମ ବ୍ରିକ୍ସ ସମ୍ମିଳନୀ । ଏଠାକୁ ଭାରତ ତଥା ବିଶ୍ୱର ନିମନ୍ତ୍ରିତ ସାମ୍ବାଦିକମାନେ ଆସୁଥିବା ବେଳେ ସେମାନଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଦେଶର ବିବିଧ ପରମ୍ପରା, ସ୍ଥାନୀୟ ଉତ୍ପାଦ ଏବଂ ହସ୍ତଶିଳ୍ପକୁ ମିଡିଆ କିଟ୍‌ରେ ସାମିଲ କରାଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ଆଗରେ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ବିଭିନ୍ନ ରାଜ୍ୟର ପ୍ରସ୍ତୁତ ପ୍ରସିଦ୍ଧ ଉତ୍ପାଦକୁ ସାମିଲ କରିବାକୁ ଏହା ଏକ ପ୍ରୟାସ । ଯେମିତି ଏହା ଭାରତର କାହାଣୀ ସହ ବିବିଧତାକୁ ପ୍ରଦର୍ଶନ କରିବ, ସେହିଭଳି ଭାବେ ତା’ର ପରିକଳ୍ପନା କରାଯାଇଥିବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ସରକାରଙ୍କ ସହଭାଗିତାରେ କୋରାପୁଟ କଫିର ବ୍ରାଣ୍ଡିଂ ସହ ତା’ର ସ୍ୱାଦ ଓ ବାସ୍ନାକୁ ଅନୁଭବ କରିବାର ସୁଯୋଗ ବି ସମ୍ମିଳନୀରେ ମିଳିବ । ତେବେ ଅନ୍ତର୍ଜାତୀୟ ଦର୍ଶକଙ୍କ ସମ୍ମୁଖରେ ଭାରତ ତା’ର ବିବିଧତା, ନବସୃଜନ ଏବଂ ବିକାଶ କାହାଣୀକୁ ଉଜ୍ଜ୍ୱଳ କରିବା ପାଇଁ ଏଭଳି ଏକ ପରିକଳ୍ପନାକୁ ରୂପ ଦେଇଛି ।