କନ୍ଧମାଳ: ପାରିବାରିକ କଳହର କରୁଣ ପରିଣତି । ଗଣ୍ଡଗୋଳକୁ କେନ୍ଦ୍ର କରି ବଡ଼ଭାଇକୁ ହାଣି ହତ୍ୟା କଲା ସାନ ଭାଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସଦର ଥାନା ସୁଡ୍ରୁକୁମ୍ପା ପଞ୍ଚାୟତ ସରକେସରୁ ଗ୍ରାମରେ।

ସୂଚନା ଅନୁସାରେ, ଗ୍ରାମର ରବିନ୍ଦ୍ର ମାଝୀ ଶୁକ୍ରବାର ସକାଳେ ତାଙ୍କର ସଂପର୍କୀୟ ଭାଇ ରତ୍ନାକର ମାଝୀଙ୍କ ଘରେ ପଶି ଆକ୍ରମଣ ଟାଙ୍ଗିଆରେ କରିଥିଲେ । ରତ୍ନାକର ଶୋଇଥିବାରୁ ଟାଙ୍ଗିଆ ଆକ୍ରମଣରେ ଗୁରୁତର ହୋଇପଡ଼ିଥିଲେ । ଏହାରି ଭିତରେ ରତ୍ନାକରଙ୍କ ପୁଅ ମଧ୍ୟ ଉଠିଯାଇ ଚିତ୍କାର କରିବା ସହ ରବିନ୍ଦ୍ରଙ୍କୁ ଅଟକାଇଥିଲେ । ହେଲେ ରବିନ୍ଦ୍ର ତାଙ୍କୁ ମଧ୍ୟ ଟାଙ୍ଗିଆରେ ହାଣି ଫେରାର ମାରିଥିଲେ ।

Also Read: ପ୍ରେମ ପାଇଁ ଘର ଛାଡ଼ିଥିଲେ, ଏବେ ଜୀବନ ହାରିବାକୁ ବି ପଛାଇଲେନି

ତେବେ ଚିତ୍କାର ଶୁଣି ଅନ୍ୟ ପରିବାର ସଦସ୍ୟ ଏବଂ ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ । ଆଉ ଟାଙ୍ଗିଆ ଆକ୍ରମଣରେ ଗୁରୁତର ରତ୍ନାକର ଏବଂ ତାଙ୍କ ପୁଅ ଶିବଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳକୁ ରତ୍ନାକରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ତେବେ ପୁଅ ଶିବର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ରେଫର୍ କରାଯାଇଛି। ଏପଟେ ଘଟଣା ବାବଦରେ ସଦର ଥାନା ପୋଲିସ ଜାଣିବା ପରେ ଗ୍ରାମକୁ ଯାଇ ହତ୍ୟାକାରୀ ଭାଇ ରବୀନ୍ଦ୍ର ମାଝୀକୁ ଧରିବା ସହିତ ତାଠାରୁ ଟାଙ୍ଗିଆକୁ ଜବତ କରିଥିବା ସୂଚନା ମିଳିଛି ।