ଜୟପୁର: ପାରିବାରିକ କଳହର କରୁଣ ପରିଣତି । ସୈତାନ ସାଜିଲା ବାପା, ନିଜ ହାତରେ ନେଇଗଲା ତିନି ଝିଅଙ୍କ ଜୀବନ । ଖାଲି ଝିଅ ନୁହେଁ ନିଜ ପତ୍ନୀଙ୍କୁ ବି ମାରିଦେଲା ଏହି ରକ୍ତମୁଖା ସ୍ବାମୀ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ରାଜସ୍ଥାନ ଜୟପୁରସ୍ଥିତ କରଧନୀ ଥାନା ଅନ୍ତର୍ଗତ ଗୋବିନ୍ଦପୁରା ଅଞ୍ଚଳରେ । ଶୋଇଥିବା ଅବସ୍ଥାରେ ସମସ୍ତଙ୍କ ମୁଣ୍ଡକୁ ଇଟାରେ ଛେଚି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଶୁକ୍ରବାର ସକାଳେ ଏହି ନାରକୀୟ କାଣ୍ଡ ବିଷୟରେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ସୂଚନା ଅନୁଯାୟୀ, ଘରର ପ୍ରଥମ ମହଲାରୁ ପତ୍ନୀ ଗୀତା (୪୦)ଙ୍କ ମୃତଦେହ ମିଳିଥିବା ବେଳେ ତଳ ମହଲାରୁ ୩ ଝିଅ ନନ୍ଦିନୀ, ଗିରିଶା ଓ ରାଧିକାଙ୍କ ରକ୍ତାକ୍ତ ଶବ ଜବତ କରାଯାଇଛି । ମୃତ ଝିଅମାନଙ୍କ ବୟସ ୧୭ରୁ ୨୩ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗୁରୁବାର ବିଳମ୍ବିତ ରାତିରେ ସମସ୍ତେ ଶୋଇପଡ଼ିବା ପରେ ଅଭିଯୁକ୍ତ ରାହୁଲ ଝା ଏକ ଇଟାରେ ସମସ୍ତଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲା । ଏଥିରେ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି, ଘଟଣା ସମୟରେ ଅଭିଯୁକ୍ତର ୮୫ ବର୍ଷୀୟ ବୃଦ୍ଧ ବାପା ମଧ୍ୟ ସେହି ଘରେ ଉପସ୍ଥିତ ଥିଲେ । ସେ ଏହି ଘଟଣା ପରଠୁ କୋମାରେ ଅଛନ୍ତି।

ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍:

ତେବେ ଶୁକ୍ରବାର ସକାଳ ପ୍ରାୟ ୧୦ଟା ବେଳେ ପଡ଼ୋଶୀଙ୍କୁ ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ କରଧନୀ ଥାନା ପୋଲିସ ସହ ବରିଷ୍ଠ ଅଧିକାରୀ, ଫରେନସିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ପହଞ୍ଚି ରକ୍ତ ନମୁନା ଓ ହତ୍ୟାରେ ବ୍ୟବହୃତ ଇଟା ଜବତ କରି ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Also Read: ଗୁଜରାଟରେ ସିଂହଙ୍କୁ ମାରୁଛି ଗମ୍ଭୀର ରୋଗ: ୧୭ ଅଣ୍ଡିରା, ୧୭ ମାଈ ଓ ୨୮ ଶାବକଙ୍କ ମୃତ୍ୟୁ

ହତ୍ୟାର କାରଣ ଅସ୍ପଷ୍ଟ, ଅଭିଯୁକ୍ତ ଫେରାର:

ପୋଲିସର କହିବା ଅନୁଯାୟୀ, ପ୍ରାଥମିକ ସ୍ତରରେ ଏହା ଏକ ପାରିବାରିକ କଳହ ଯୋଗୁ ଘଟିଥିବା ଅନୁମାନ କରାଯାଉଛି । ତେବେ ପ୍ରକୃତ କାରଣ କ’ଣ ? ତାହା ଅଭିଯୁକ୍ତକୁ ଗିରଫ ହେବା ପରେ ହିଁ ସ୍ପଷ୍ଟ ହେବ । ଏଥିପାଇଁ ପୋଲିସ ସହରର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚ କରିବା ସହ ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।