ନୂଆଦିଲ୍ଲୀ: ରୁଷ-ଆମେରିକା-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପୁଣିଥରେ ଆଲୋଚନାର ବାତାବରଣ ତିଆରି ହେବାର ସମ୍ଭାବନା ଦେଖାଦେଇଛି । ସୋମବାର କ୍ରେମଲିନ୍ କହିଛି ଯେ, ଏହି ତିନି ଦେଶ ମଧ୍ୟରେ ପୁନର୍ବାର ଆଲୋଚନା ଆରମ୍ଭ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ହେଲେ, ରୁଷ ସ୍ପଷ୍ଟ କରିଛି ଯେ ବର୍ତ୍ତମାନ ପାଇଁ ଆଲୋଚନାର ତାରିଖ ଓ ସ୍ଥାନ ବିଷୟରେ କିଛି କହିବା ତରବରିଆ ହେବ ।

କ୍ରେମଲିନ୍ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ଭାବ୍ୟ ଫୋନ୍ କଥାବାର୍ତ୍ତାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛି । କ୍ରେମଲିନ୍ ଅନୁସାରେ, ଆମେରିକୀୟ ଦୂତମାନଙ୍କ ବୈଠକ ପରେ ପୁଟିନ୍ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହେବାର ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ।

ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ଦିଗରେ ଆମେରିକାର ପ୍ରଚେଷ୍ଟାକୁ ରୁଷ ପ୍ରଶଂସା ମଧ୍ୟ କରିଛି । କ୍ରେମଲିନ୍ କହିଛି, "ଶାନ୍ତି ପ୍ରତି ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତିବଦ୍ଧତା ପାଇଁ ଆମେ କୃତଜ୍ଞ ।" ଏହା ସହିତ ରୁଷ ଆମେରିକୀୟ ଦୂତମାନଙ୍କ ଦ୍ୱାରା କରାଯାଉଥିବା ଉଦ୍ୟମଗୁଡ଼ିକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଛି । କ୍ରେମଲିନ୍ କହିଛି ଯେ, ସେ ଆମେରିକୀୟ ଅଧିକାରୀମାନଙ୍କ ପ୍ରଚେଷ୍ଟାକୁ ଅତ୍ୟନ୍ତ ସମ୍ମାନର ସହ ଦେଖୁଛି । ଅନ୍ୟପଟେ, ରୁଷ-ଆମେରିକା-ୟୁକ୍ରେନ ମଧ୍ୟରେ ହେବାକୁ ଥିବା ସମ୍ଭାବ୍ୟ ତ୍ରିପାକ୍ଷିକ ଆଲୋଚନା ସମ୍ପର୍କରେ କ୍ରେମଲିନ୍ କହିଛି ଯେ, କିଭ୍ ଠାରେ ହୋଇଥିବା ଯୋଗାଯୋଗ ବିଷୟରେ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ କୂଟନୈତିକ ଉଦ୍ୟମ ଜାରି ରହିଥିବା ସମୟରେ ରୁଷର ଏହି ବୟାନ ଆସିଛି । ତେବେ, ସମ୍ଭାବ୍ୟ ତ୍ରିପାକ୍ଷିକ ଆଲୋଚନା କେବେ ଏବଂ କେଉଁଠାରେ ହେବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।

ସୂଚନାଯୋଗ୍ୟ ଯେ, ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧକୁ ବନ୍ଦ କରିବା ଏବଂ ଶାନ୍ତି ଚୁକ୍ତି ପାଇଁ ଚାଲିଥିବା ଉଦ୍ୟମ ମଧ୍ୟରେ ଆମେରିକୀୟ ଅଧିକାରୀ ସ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନର୍ ରବିବାର କିଭରେ ପହଞ୍ଚିଥିଲେ । ଏହା ପୂର୍ବରୁ ଦୁହେଁ ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଥିଲେ । ପୁଟିନଙ୍କ ସହ ସେମାନଙ୍କର ଏହି ବୈଠକ ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ମସ୍କୋରେ ଆଲୋଚନା ସରିବା ପରେ ଦୁଇ ଆମେରିକୀୟ ଅଧିକାରୀ ୟୁକ୍ରେନ ପକ୍ଷ ସହ ଆଲୋଚନା ପାଇଁ କିଭରେ ପହଞ୍ଚିଥିଲେ ।