ମସ୍କୋ: ଋଷିଆର ସବୁଠୁ ଶକ୍ତିଶାଳୀ ତଥା ପରମାଣୁ ଅସ୍ତ୍ର ପରିବହନ ସକ୍ଷମ ଟିୟୁ-୨୨ ଏମ୩ ଷ୍ଟ୍ରାଟେଜିକ ବମ୍ବର ସାଇବେରିଆର ଇରକୁତସ୍କ କ୍ଷେତ୍ରରେ ଏକ ଟ୍ରେନିଂ ମିସନ କାଳରେ ଦୁର୍ଘଟଣାର ଶିକାର ହୋଇଛି। ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ଏହି ସୁପର ସୋନିକ୍ ଲଙ୍ଗରେଞ୍ଜ ବମ୍ବର ଏକ ନିୟମିତ ପ୍ରଶିକ୍ଷଣ ଉଡାଣରେ ଥିଲା। ଯେତେବେଳେ ଏହି ଦୁର୍ଘଟଣା ଘଟିଲା ବିମାନରେ କୌଣସି ମିଜାଇଲ ଅଥବା ହାତହତିୟାର ନଥିଲା। ବିମାନଟି ଲ୍ୟାଣ୍ଡିଂ ପ୍ରସ୍ତୁତି କରୁଥିବା ବେଳେ ଖସି ପଡି ଧ୍ୱଂସ ହୋଇଯାଇଛି।

ତେବେ ବିମାନ କ୍ରାସ ହେବାର ଠିକ୍ ପୂର୍ବରୁ ଏହାର ସମସ୍ତ ଚାଳକ ଦଳ ସଦସ୍ୟ (ପାଇଲଟମାନେ) ସୁରକ୍ଷିତ ବିମାନରୁ ବାହାରି ଯାଇଥିଲେ। ସେହିପରି ବିମାନ ଯେଉଁଠାରେ କ୍ରାସ ହୋଇଛି ସେଠାରେ ମଧ୍ୟ ସେପରି ଧନଜୀବନ ହାନୀର କୌଣସି ସୂଚନା ନାହିଁ। ଋଷିଆ ଗଣମାଧ୍ୟମ ଚ୍ୟାନେଲରେ ଏହି ଦୁର୍ଘଟଣା ଭିଡିଓ ପ୍ରସାରିତ ହେଉଥିବା ବେଳେ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଯାଇଛି। ଭିଡିଓ ଫୁଟେଜରେ ଦେଖା ଯାଇପାରେ ଯେ ବିମାନଟି ତଳ ମୁହାଁ ହୋଇ ଖସୁଚି ଓ ମାଟି ଉପରେ ପଡି ଘନ କଳାଧୂଆଁ ଉଠୁଛି।

ଟିୟୁ ୨୨ ଏମ ୩ ଏକ ସୁପର ସୋନିକ ଲଙ୍ଗରେଞ୍ଜ ବୋମାବର୍ଷକ ବିମାନ। ଏହା ଋଷିଆର ରଣନୈତିକ ସ୍କ୍ୱାଡ୍ରନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ଅନେକ ସୈନ୍ୟ ଅଭିଯାନରେ ଏହା ସାମିଲ ହୋଇଛି। ରିପୋର୍ଟ ଅନୁସାରେ ବିମାନ ଇରକୁତସ୍କ କ୍ଷେତ୍ରର ବେଲାୟା ଏୟାର ବେସ୍ ରୁ ପାଖାପାଖି ୫୦ କିଲୋମିଟର ଦୂର ସ୍ୱିର୍ସ୍କ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଏୟାର ବେସ୍ ଋଷିଆର ଭାରି ବୋମାବର୍ଷକ ବିମାନଙ୍କ ଆଡ୍ଡା। ଋଷୀୟ ଅଧିକାରୀମାନେ ଏ ପର୍ଯ୍ୟନ୍ତ ଦୁର୍ଘଟଣା କାରଣ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି।

ନିକଟରେ ୟୁକ୍ରେନ ଉପରେ ଋଷିଆ ସବୁଠୁ ଜୋରଦାର ଆକ୍ରମଣ କରିଥିଲା। ଏହି ଭୀଷଣ ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୩ ଜଣ ଆହତ ହୋଇଥିଲେ। ଏହା ସହିତ ୟୁନେସ୍କୋ ଦ୍ୱାର ‘ୱାର୍ଲଡ ହେରିଟେଜ’ ଘୋଷିତ ୧ ହଜାର ବର୍ଷ ପୁରୁଣା ଚର୍ଚ ମାଟିରେ ମିଶି ଯାଇଛି। ୟୁକ୍ରେନର ଦୁଇ ବଡ଼ ସହର କିଭ ଓ ଖାର୍କିଭକୁ ଟାର୍ଗେଟ୍ କରି ଋଷିଆ ବିଳମ୍ବିତ ରାତ୍ରିରେ ଆକ୍ରମଣ କରିଥିଲା।