ମସ୍କୋ, ୦୧/୦୧ :ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନରେ ହୋଇଥିଲା ଡ୍ରୋନ୍ ଆକ୍ରମଣ । ଏଥିରେ କାହାର କିଛି କ୍ଷତି ହୋଇନଥିଲା । ହେଲେ ଘଟଣା ପଛରେ ୟୁକ୍ରେନର ହାତ ଥିବା ଅଭିଯୋଗ କରିଥିଲା ମସ୍କୋ । ପୁଟିନଙ୍କୁ ହତ୍ୟା ପାଇଁ ୟୁକ୍ରେନ ଯୋଜନା କରିଥିବା ଅଭିଯୋଗ ହୋଇଥିଲା । ଆମେରିକାକୁ ମଧ୍ୟ ଏକଥା ଜଣାଇ ଦିଆଯାଇଥିଲା । ତେବେ ଏହି ଡ୍ରୋନ୍ ଆକ୍ରମଣର ଭିଡିଓ ଫୁଟେଜ୍ ଜାରି ହୋଇଛି । ମସ୍କୋ ତରଫରୁ କିପରି ବାସଭବନରେ ଆକ୍ରମଣ ହୋଇଥିଲା ତାହାର ସବୁ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ରାତିରେ ଏକ ଡ୍ରୋନ ଜଙ୍ଗଲ ଅଞ୍ଚଳରେ ପଡିଛି । ବରଫ ଉପରେ ଏହାକୁ ମାରି ଖସାଇ ଦିଆଯାଇଛି । ଋଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଡ୍ରୋନରେ ଅନେକ ଅଂଶରେ ବିସ୍ଫୋରକ ରହିଥିଲା । ଯାହା ଘର କିମ୍ବା କୌଣସି ବଡ କୋଠାକୁ ଧ୍ୱଂସ କରିପାରିଥାନ୍ତା । ନୋଭଗୋରୋଡ ଅଞ୍ଚଳରେ ଏହାକୁ ଖସାଇ ଦିଆଯାଇଥିଲା ।

୯୧ରୁ ଅଧିକ ଡ୍ରୋନ୍ ଆଟାକ୍

ରିପୋର୍ଟ ଅନୁସାରେ, ପୁଟିନଙ୍କ ବାସଭବନ ନିକଟରେ ୯୧ରୁ ଅଧିକ ଡ୍ରୋନ୍ ଆଟାକ୍ ହୋଇଥିଲା । ଏନେଇ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ୟୁକ୍ରେନ ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ୯୧ଟି ଡ୍ରୋନ ମାଡ଼ କରିଛି । ନୋଭଗୋରୋଡ ଅଞ୍ଚଳରେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନକୁ ଟାର୍ଗେଟ କରାଯାଇଛି। ଆକ୍ରମଣ ଡିସେମ୍ବର ୨୮-୨୯ ତାରିଖ ରାତିରେ ଦୂରଗାମୀ ଡ୍ରୋନ ଦ୍ୱାରା କରାଯାଇଥିଲା। ରୁଷର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମସ୍ତ ଡ୍ରୋନକୁ ମଝି ଆକାଶରେ ଖସାଇ ଦେଇଥିଲା।ସେ ଏହାକୁ ୟୁକ୍ରେନ ଦ୍ୱାରା ପ୍ରାୟୋଜିତ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଥିଲେ । ଆକ୍ରମଣ ସମୟରେ ରାଷ୍ଟ୍ରପତି ପୁଟିନ ଉପସ୍ଥିତ ଥିଲେ କି ନାହିଁ ସେ ବିଷୟରେ କୌଣସି ସୂଚନା ମିଳିନାହିଁ।

ଜେଲେନସ୍କିଙ୍କ ଖଣ୍ଡନ

ଅନ୍ୟପଟେ ପୁଟିନଙ୍କ ବାସଭବନରେ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଜେଲେନସ୍କି ଏହି ଦାବିଗୁଡ଼ିକୁ ମିଥ୍ୟା ବୋଲି ପ୍ରକାଶ କରିଥିଲେ। ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ କରିବାକୁ ନେଇ ୟୁକ୍ରେନର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସେ କହିଥିଲେ।ଟଣାକୁ ନେଇ ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ, ତାଙ୍କୁ ପୁଟିନ ନିଜେ ଫୋନ୍ କରିଥିଲେ । ଆକ୍ରମଣ ବାବଦରେ ସୂଚନା ଦେଇଥିଲା । ଏହା ଠିକ୍ ନୁହେଁ । ପୁଟିନଙ୍କ ଘର ଉପରେ ଡ୍ରୋନ୍ ଆଟାକ୍ ଘଟଣା ତାଙ୍କୁ କ୍ରୋଧିତ କରିଛି । ଶାନ୍ତି ଆଲୋଚନା ସମୟରେ ଆକ୍ରମଣ ଘଟଣା ଗ୍ରହଣୀୟ ନୁହେଁ ବୋଲି ଟ୍ରମ୍ପ୍ ମତ ଦେଇଥିଲେ ।