ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ୟୁକ୍ରେନ୍ ଉପରେ ଭୟଙ୍କର ମିସାଇଲ ମାଡ଼ କରିଛି ଋଷ। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍‌କିଙ୍କ ହୋମ ଟାଉନର ସେଣ୍ଟ୍ରାଲ ଏରିଆ କୁହାଯାଉଥିବା କ୍ରିଭି ରିହରେ ଏହି ଆକ୍ରମଣ ହୋଇଥିଲା। ଏଥିରେ ଜଣେ ୭ ବର୍ଷର ଶିଶୁ ଓ ୨୦ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି। ୬୦ରୁ ଅଧିକ ଆହତ ହୋଇଛନ୍ତି।

ଏହି ମିସାଇଲ ଷ୍ଟ୍ରାଇକ୍‌ରେ ୪ଟି ଜାଗାରେ ନିଆଁ ଲାଗିଯାଇଛି। ୨୫ଟି ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି। ଗୋଟିଏ ହସ୍ପିଟାଲ, ସ୍କୁଲ ଏବଂ ବାଣିଜ୍ୟିକ ଭିତ୍ତିଭୂମି, ଗାଡ଼ି ଆଦି ନଷ୍ଟ ହୋଇଥିବା ଆଞ୍ଚଳିକ ସେନା ପ୍ରଶାସନ ମୁଖ୍ୟ ଓଲେକଜାଣ୍ଡର ହାନଜା ମିଡିଆକୁ ସୂଚନା ଦେଇଛନ୍ତି।

ଏହି ଆକ୍ରମଣ ହେବାର ଦୁଇ ଘଣ୍ଟା ପୂର୍ବରୁ ପୋଲାଣ୍ଡରେ ଦୁଇଟି ମିସାଇଲ୍ ପଡ଼ିଥିଲା। ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଏହାକୁ ଯୁଦ୍ଧ ଉସକାଇବାର ଏକ ସଂକେତ ବୋଲି କହିଛନ୍ତି। କାରଣ ପୋଲାଣ୍ଡରେ ୟୁରୋପ ଦେଶମାନଙ୍କର ଯୁଦ୍ଧାଭ୍ୟାସ ଯୋଗୁ ଋଷ ଏହି ମିସାଇଲ ମାଡ଼ କରିଥାଇପାରେ ବୋଲି ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଅନୁମାନ କରିଛନ୍ତି।

ଆମେରିକା ପ୍ରସ୍ତାବକୁ ଋଷର ସମର୍ଥନ

ସେପଟେ ଋଷ ୟୁରୋପ ସୁରକ୍ଷା ଉପରେ ଆମେରିକାର ପ୍ରସ୍ତାବକୁ ସ୍ୱୀକାର କରିଛି। ଯୁଦ୍ଧ ପରେ ୟୁରୋପ ସୁରକ୍ଷା ନେଇ ଆଲୋଚନା ହେବା କଥାକୁ ସ୍ୱୀକାର କରିଛନ୍ତି ପୁଟିନ। ଏହି ଅବସରରେ ଋଷ ୟୁକ୍ରେନ୍ ପ୍ରସଙ୍ଗରେ ପୁଣିଥରେ ସେହି କଥାଗୁଡ଼ିକୁ ରଖିବାକୁ ଚାହିଁବ, ଯାହାକୁ ୟୁକ୍ରେନ ପୂର୍ବରୁ ହିଁ ମନା କରିଦେଇଛି। ଯଦି ଆଲୋଚନା ହେଲା ତେବେ ଋଷ ଏହାର ପୁରୁଣା ଦାବି ଉଠାଇପାରେ।

Also Read- ଘନିଷ୍ଠ ହେଉଛି ଚୀନ-ପାକିସ୍ତାନ ସଂପର୍କ, ଭାରତ ପାଇଁ ବଢ଼ୁଛି ବିପଦ... ଜରୁରୀ ଚେତାବନୀ ଜାରି କଲା ଆମେରିକା

ଡିସେମ୍ବର ୨୦୨୧ରେ, ରୁଷ ଦାବି କରିଥିଲା ଯେ ନାଟୋ ୟୁକ୍ରେନ ଏବଂ ଅନ୍ୟାନ୍ୟ ପୂର୍ବତନ ସୋଭିଏତ୍ ରାଷ୍ଟ୍ରଗୁଡ଼ିକରେ ଆହୁରି ବିସ୍ତାରକୁ ନ କରୁ, ସାମରିକ ନିୟୋଜନକୁ ସୀମିତ କରୁ ଏବଂ ଏହି ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ପରିଚାଳନା କରିବାରୁ ନିବୃତ୍ତ ରହୁ। କେବଳ ୨୦୨୧ ନୁହେଁ 1997ରେ ବି ମସ୍କୋ ନାଟୋର ଉପସ୍ଥିତି ବାହାରେ ଥିବା ଅଞ୍ଚଳରେ ସୈନ୍ୟ ନିୟୋଜନ ଉପରେ ସୀମା, ସାମରିକ ପାଟ୍ରୋଲିଂ ଏବଂ ଯୁଦ୍ଧାଭ୍ୟାସ କମାଇବା ଏବଂ ସାମରିକ ଘଟଣାଗୁଡ଼ିକୁ ରୋକିବା ପାଇଁ ଅଧିକ ସ୍ୱଚ୍ଛତା ଚାହୁଁଥିଲା। ଏବେ ପୁଣିଥରେ ବୈଠକ ହେଲେ ଋଷ ସେହିକଥାଗୁଡ଼ାକ ପୁଣିଥରେ ଉଠାଇପାରେ।

୨୦୨୭ ଜାନୁଆରୀରେ ଋଷ-ୟୁକ୍ରେନ ଶାନ୍ତି ଚାହୁଛନ୍ତି ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଜାନୁଆରୀ ଆରମ୍ଭ ସୁଦ୍ଧା ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତି ଚୁକ୍ତି କରାଇବାକୁ ଚାହୁଁଛନ୍ତି। କାରଣ ମଧ୍ୟବର୍ତ୍ତି ନିର୍ବାଚନରେ ଟ୍ରମ୍ପଙ୍କ ଦଳ ରିପବ୍ଲିକ୍ ସଂଖ୍ୟା ଗରିଷ୍ଠତା ହରାଇଛି। ତେଣୁ ଆମେରିକାର କଂଗ୍ରେସର ନିୟନ୍ତ୍ରଣ ଡେମୋକ୍ରାଟ୍ମାନଙ୍କ ହାତକୁ ଯିବାର ପୂର୍ବରୁ ଟ୍ରମ୍ପ ପ୍ରଶାସନ ଏହି ଚୁକ୍ତି ପାଇଁ ତତ୍ପର ହୋଇଥିବା ଜଣାପଡ଼ିଛି। କାରଣ ନିର୍ବାଚନ ଆସିବା ପୂର୍ବରୁ ଋଷ-ୟୁକ୍ରେନ୍ ଶାନ୍ତି ସ୍ଥାପନ ଟ୍ରମ୍ପଙ୍କର ନିର୍ବାଚନୀ ଘୋଷଣା ମଧ୍ୟ ଥିଲା।

ଟ୍ରମ୍ପଙ୍କ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ତାଙ୍କ ଜ୍ୱାଇଁ ଜାରେଡ୍ କୁଶନର୍ ନିକଟରେ ଆବୁଧାବିରେ ୟୁକ୍ରେନ୍ ଓ ରୁଷିଆ ସହ ପୁଣିଥରେ ଶାନ୍ତି ଆଲୋଚନା ଆରମ୍ଭ କରିଛନ୍ତି। ଇରାନ୍ ଯୁଦ୍ଧ କାରଣରୁ ଗତ ଆଠ ମାସ ଧରି ଏହି ଆଲୋଚନା ସ୍ଥଗିତ ରହିଥିଲା।

ଏହାବ୍ୟତୀତ ଗତ କିଛି ଦିନ ମଧ୍ୟରେ ୱିଟକଫ୍ ଓ କୁଶନର୍ ମସ୍କୋ, ଡବଲିନ୍ ଏବଂ ବର୍ଲିନରେ ରୁଷିଆ, ୟୁକ୍ରେନ୍ ଓ ୟୁରୋପୀୟ ଅଧିକାରୀମାନଙ୍କୁ ଭେଟିଛନ୍ତି। ଏହି ସମସ୍ତ ବୈଠକରେ ଶାନ୍ତି ଚୁକ୍ତି ପ୍ରସଙ୍ଗରେ ତତ୍ପରତା ଦେଖାଇବାକୁ ସେମାନେ କହିଥିବା ଫାଇନାନ୍ସିଆଲ୍ ଟାଇମ୍ସର ରିପୋର୍ଟରେ ଉଲ୍ଲେଖ ରହିଛି।