କିଭ୍: ଗତକାଲି ରାତିରେ ହଠାତ୍ ୟୁକ୍ରେନ ଆକାଶରୁ ବର୍ଷିଥିଲା ଶହ ଶହ ଋଷ ମିସାଇଲ୍ ଓ ଡ୍ରୋନ୍। ଗୋଟିଏ ପରେ ଗୋଟିଏ ଘାତକ ଆକ୍ରମଣରେ କେଇ ମୁହୂର୍ତ୍ତରେ ନଷ୍ଟ ହୋଇଯାଇଥିଲା ୟୁକ୍ରେନର ଭୂଖଣ୍ଡ। ମସ୍କୋ ପକ୍ଷରୁ ୬୫୦ରୁ ଅଧିକ ଡ୍ରୋନ୍ ଏବଂ ୭୩ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଫେବୃଆରୀ ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ଅନ୍ୟତମ ବୃହତ୍ତମ ଆକ୍ରମଣ ବୋଲି କୁହାଯାଉଛି। ଏହି ଆକ୍ରମରେ ଅତିକମରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି।

ମଧ୍ୟରାତିର ଆତଙ୍କ

ୟୁକ୍ରେନ ବାୟୁସେନା ସୂଚନା ଅନୁଯାୟୀ, ଆକ୍ରମଣରେ ୬୫୬ଟି ଡ୍ରୋନ୍ ଏବଂ ୭୩ଟି କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା। ଏଥିରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ସାମିଲ ଥିଲା, ଯାହାକୁ ଖସାଇବା ୟୁକ୍ରେନ ପ୍ରତିରକ୍ଷା ବାହିନୀ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଥିଲା। ୟୁକ୍ରେନ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ୬୦୨ଟି ଡ୍ରୋନ୍ ଏବଂ ୪୦ଟି କ୍ଷେପଣାସ୍ତ୍ରକୁ ନଷ୍ଟ କରିବାରେ ସଫଳ ହୋଇଥିଲେ ହେଁ, ଅନେକ କ୍ଷେପଣାସ୍ତ୍ର କିଭ୍ ସମେତ ବିଭିନ୍ନ ସହରର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଧ୍ୱସ୍ତ କରିଦେଇଛି।

'ଆତଙ୍କବାଦୀ କାର୍ଯ୍ୟ': ୟୁକ୍ରେନର କ୍ରୋଧ

ଏହି ଆକ୍ରମଣକୁ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିଗା କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେ ରାଷ୍ଟ୍ରପତି ପୁଟିନଙ୍କୁ 'ଯୁଦ୍ଧ ଅପରାଧୀ' ବୋଲି ସମ୍ବୋଧନ କରି କହିଛନ୍ତି ଯେ, ଯୁଦ୍ଧକ୍ଷେତ୍ରରେ ହାର ମାନିବା ପରେ ମସ୍କୋ ବର୍ତ୍ତମାନ କେବଳ ଆତଙ୍କବାଦର ସାହାରା ନେଉଛି।

ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ଘଟଣାକୁ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ଏକ ସତର୍କଘଣ୍ଟି ବୋଲି କହିଛନ୍ତି। ସେ ପୁଣିଥରେ ୟୁରୋପର ସୁରକ୍ଷା ପାଇଁ ଶକ୍ତିଶାଳୀ ଆଣ୍ଟି-ବାଲିଷ୍ଟିକ୍ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ଆମେରିକାର ସାମରିକ ସହାୟତା, ବିଶେଷକରି ପାଟ୍ରିଅଟ୍ ଏୟାର-ଡିଫେନ୍ସ ସିଷ୍ଟମର ଗୁରୁତ୍ୱ ଉପରେ ଜୋର ଦେଇଛନ୍ତି।

ରୁଷିଆର ପକ୍ଷ

ଅନ୍ୟପକ୍ଷରେ, ରୁଷିଆ ଏହି ଆକ୍ରମଣକୁ ଏକ ସଫଳ ସାମରିକ ଅଭିଯାନ ବୋଲି ଦାବି କରିଛି। ମସ୍କୋର କହିବାନୁଯାୟୀ, ସେମାନେ କେବଳ ୟୁକ୍ରେନର ସାମରିକ-ଶିଳ୍ପ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲେ ଏବଂ ଏଥିପାଇଁ ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା। ତେବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଅଭିଯୋଗକୁ କ୍ରେମଲିନ୍ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛି।

ଏହି ଭୟଙ୍କର ଆକ୍ରମଣ ପରେ ବର୍ତ୍ତମାନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଆଗାମୀ ଦିନରେ ଏହି ଘଟଣା ଯୁଦ୍ଧର ଦିଗକୁ କେଉଁ ଆଡ଼କୁ ନେଉଛି, ତାହା ଉପରେ ବିଶ୍ୱର ନଜର ରହିଛି।