ନୂଆଦିଲ୍ଲୀ, ୦୩/୦୯: ଇରାନର ଅସ୍ତ୍ରଭଣ୍ଡାର ଠୁଳ କରିବାରେ ଗୁପ୍ତ ଭାବେ ସହାୟତା କରୁଛି ରୁଷ୍। ଶକ୍ତିଶାଳୀ ସୁପରସୋନିକ ମିସାଇଲ ନିର୍ମାଣ କରିବା ଲାଗି ରୁଷ୍ ଇରାନକୁ ପ୍ରଯୁକ୍ତିବିଦ୍ୟା ଯୋଗାଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଏହି ସିକ୍ରେଟ ପ୍ରୋଜେକ୍ଟ ୨୦୨୩ରେ ଆରମ୍ଭ ହୋଇଥିଲା। ଇରାନ ବିରୋଧରେ ଆମେରିକା-ଇସ୍ରାଏଲର ଆକ୍ରମଣ ବେଳେ ବି ଏହି ପ୍ରୋଜେକ୍ଟ ଜାରି ରହିଥିବା ରିପୋର୍ଟରେ କୁହାଯାଇଛି। ତେବେ ଇରାନ ହାତରେ ଶକ୍ତିଶାଳୀ ମିସାଇଲ ଲାଗିବା ଆମେରିକାର ଚିନ୍ତା ବଢ଼ାଇଛି।

Also Read :- ଓଡ଼ିଶାରେ ଆସିବ ଭୂସ୍ଖଳନ, ୧୨ ଜିଲ୍ଲାରେ ହେବ ଭୟଙ୍କର କ୍ଷତି ! ନେପାଳ ବନ୍ୟା ପରେ ମଡେଲ୍ ବଢାଇଲା ଡର

ଏହି ପ୍ରୋଜେକ୍ଟର କୋଡନେମ୍ ‘ସି୪୩୦ଏଲ୍’ ରହିଛି। ରୁଷର କେତେଜଣ ମିସାଇଲ ବିଶେଷଜ୍ଞ ଏହି ପ୍ରୋଜେକ୍ଟରେ ଇରାନ ସହ ମିଶି କାମ କରୁଥିଲେ । ଏହାର ଉଦ୍ଦେଶ୍ୟ ହେଉଛି, ଇରାନକୁ ଏପରି ମିସାଇଲ ଟେକନିକ୍ ବିକଶିତ କରିବାରେ ସାହାଯ୍ୟ କରିବ ଯାହାକୁ ଆମେରିକାର ଯୁଦ୍ଧ ଜାହାଜ ବିରୋଧରେ ବ୍ୟବହାର କରାଯାଇପାରିବ। ରିପୋର୍ଟ ଅନୁସାରେ, ପ୍ରଘଟ ହୋଇଥିବା ଦସ୍ତାବିଜରୁ ଜଣାପଡ଼ୁଛି ଯେ ସି୪୩୦ଏଲ୍ କାର୍ଯ୍ୟକ୍ରମକୁ ନେଇ ରୁଷ୍ ଏବଂ ଇରାନ ମଧ୍ୟରେ ୨୦୨୬ ଗ୍ରୀଷ୍ମ ଋତୁ ପର୍ଯ୍ୟନ୍ତ ଆଲୋଚନା ଏବଂ ସହଯୋଗ ଜାରି ଥିଲା । ତେବେ ଏହି ପ୍ରୋଜେକ୍ଟ ମାଧ୍ୟମରେ ଇରାନ ସୁପରସୋନିକ୍ କ୍ରୁଜ୍ ମିସାଇଲ ବିକଶିତ କରିବା ଶିଖିଯାଇଛି କି ନା ଏବଂ କେବେ ସୁଦ୍ଧା ସେହି ପ୍ରଯୁକ୍ତିରେ ବିକଶିତ ମିସାଇଲକୁ ସେନାରେ ସାମିଲ କରିବ ତାହା ସ୍ପଷ୍ଟ ହୋଇନାହିଁ।

ରିପୋର୍ଟ ଅନୁସାରେ, ରୁଷୀୟ ବାର୍ତ୍ତାଳପ, ଯାତ୍ରା ରେକର୍ଡ, ସାମରିକ ପେଟେଣ୍ଟର ବିଶ୍ଳେଷଣ ଉପରେ ଏହି ଅନୁସନ୍ଧାନ ଆଧାରିତ। ଏହି ପ୍ରୋଜେକ୍ଟ ମାଧ୍ୟମରେ ରୁଷ୍ ପକ୍ଷରୁ ଅତ୍ୟନ୍ତ ସମ୍ବେଦନଶୀଳ ସାମରିକ ପ୍ରଯୁକ୍ତିବିଦ୍ୟା ହସ୍ତାକ୍ଷର କରାଯାଇଛି। ଇରାନ ଏଥିପାଇଁ ଦଶନ୍ଧି ଦଶନ୍ଧି ଧରି ଚେଷ୍ଟା ଜାରି ରଖିଥିଲା । ଏଭଳି କାର୍ଯ୍ୟକ୍ରମ ପାଇଁ ରୁଷର ସର୍ବୋଚ୍ଚ ସ୍ତରରୁ ରାଜନୈତିକ ଅନୁମୋଦନ ଆବଶ୍ୟକ । ତେଣୁ ଏଥିରେ ରୁଷ୍ ଉଚ୍ଚସ୍ତରୀୟ ଅଧିକାରୀଙ୍କ ମଞ୍ଜୁରି ଥିବା ନିଶ୍ଚିତ । ରୁଷ୍ ଇରାନକୁ ରାମଜେଟ ପ୍ରୋପଲସନ ସିଷ୍ଟମ ବିକଶିତ କରିବାରେ ସାହାଯ୍ୟ କରିଛି। ରାମଜେଟ ପ୍ରଯୁକ୍ତିବିଦ୍ୟାକୁ ଉଭୟ ଜାହାଜବିରୋଧୀ ଏବଂ ସ୍ଥଳଭାଗ ଆକ୍ରମଣକାରୀ କ୍ରୁଜ୍ ମିସାଇଲରେ ବ୍ୟବହାର କରାଯାଇପାରିବ। ରାମଜେଟ ଇଞ୍ଜିନ ଏପରି ଇଞ୍ଜିନ ଯାହା ଦ୍ରୁତବେଗରେ ଉଡ଼ୁଥିବା ମିସାଇଲକୁ ଆଗକୁ ବଢ଼ାଇବା ଲାଗି ବାୟୁ ଏବଂ ଇନ୍ଧନର ବ୍ୟବହାର କରିଥାଏ। ମିସାଇଲ ଦ୍ରୁତଗତିରେ ଆଗକୁ ବଢ଼ିବା ବେଳେ ସାମ୍ନାରୁ ଆସୁଥିବା ବାୟୁ ଇଞ୍ଜିନ ଭିତରେ ପଶିଥାଏ। ଏଥୁରୁ ଉତ୍ପନ ହେଉଥିବା ଶକ୍ତି ମିସାଇଲକୁ ଆଗକୁ ବଢ଼ାଇବାରେ ଏବଂ ଏହାର ଗତିକୁ ବଜାୟ ରଖିବାରେ ସହାୟତା କରିଥାଏ ।

ରୁଷ୍ ଏବଂ ଇରାନ ପରସ୍ପର ମଧ୍ୟରେ ଘନିଷ୍ଠ ରଣନୈତିକ ଏବଂ ସାମରିକ ସମ୍ପର୍କ ସ୍ଥାପନା ଭିତରେ ଏହି ଖବର ସାମ୍ନାକୁ ଆସିଛି। ପୂର୍ବରୁ ଇରାନ ରୁଷକୁ ‘ଶାହେଦ’ ଡ୍ରୋନ୍ ଯୋଗାଇଦେଇଛି, ଯାହାକୁ ୟୁକ୍ରେନ୍ରେ ରୁଷ୍ ବ୍ୟବହାର କରୁଛି । ଏପରିକି ରୁଷ୍ କୁ ଏହି ଡ୍ରୋନ ନିର୍ମାଣରେ ମଧ୍ୟ ଇରାନ ସହାୟତା କରିଛି। ଏବେ ଇରାନ ସୁପରସୋନିକ୍ ବେଗରେ ଯାଉଥିବା କ୍ରୁଜ୍ ମିସାଇଲ ଉପରେ ଅଧିକ ଗୁରୁତ୍ବ ଦେଉଛି। ଏବେ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପରିବର୍ତ୍ତେ ଇରାନ ଯେପରି ନିଜେ ନିଜର ସାମରିକ କ୍ଷମତା ବୃଦ୍ଧି କରିପାରିବ ତାହାକୁ ରୁଷ୍ ଗୁରୁତ୍ବ ଦେଇଛି।

ରିପୋର୍ଟ ଅନୁସାରେ, ସି୪୩୦ଏଲ୍ ପ୍ରୋଜେକ୍ଟକୁ ରୁଷ୍ ସରକାରୀ ଅସ୍ତ୍ର ନିର୍ମାଣକାରୀ କମ୍ପାନୀ ରୋସବୋରୋନେକ୍ସପୋର୍ଟ ପ୍ରସ୍ତୁତ କରିଥିଲା। ଏହି ପ୍ରୋଜେକ୍ଟରେ ରୁଷର କ୍ଷେପଣାସ୍ତ୍ର କମ୍ପାନୀ ଏନ୍ପି ଓ ନୋଷ୍ଟ୍ରୋଏନିୟା ସହଯୋଗ କରିଥିଲା । ୨୦୧୪ରେ ଆମେରିକା ଏନପିଓ ମାଶିନୋଷ୍ଟ୍ରୋଏନିୟା ଉପରେ କଟକଣା ଲଗାଇଥିଲା।