ନୂଆଦିଲ୍ଲୀ: ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ସମୟରେ ରୁଷରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନିର୍ବାଚନରେ ସ୍ଥାନୀୟ ଏବଂ ଆଞ୍ଚଳିକ ପ୍ରତିନିଧିମାନଙ୍କୁ ବାଛିବା ପାଇଁ ଭୋଟଗ୍ରହଣ କରାଯାଉଛି। ଚଳିତ ନିର୍ବାଚନରେ ମଧ୍ୟ ବିପୁଳ ବିଜୟ ସହ ନିଜର ଦବଦବା ବଜାୟ ରଖିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଶାସକ ଦଳ 'ୟୁନାଇଟେଡ୍ ରୁଷିଆ' ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ୟୁକ୍ରେନ୍ ସହ ଗମ୍ଭୀର ସାମରିକ ସଂଘର୍ଷ ଚାଲିଥିବା ସତ୍ତ୍ୱେ ରୁଷ ସରକାର ଏହି ନିର୍ବାଚନ ଆୟୋଜନ କରୁଛନ୍ତି। ଏପରିକି ୟୁକ୍ରେନ୍‌ର ଯେଉଁ ଅଞ୍ଚଳଗୁଡ଼ିକୁ ରୁଷ ନିଜ ନିୟନ୍ତ୍ରଣକୁ ନେଇଛି ସେଠାରେ ମଧ୍ୟ ଭୋଟଗ୍ରହଣ କରାଯାଉଛି। ୟୁନାଇଟେଡ୍ ରୁଷିଆ ପୁଟିନ୍‌ଙ୍କ ସମର୍ଥିତ ମୁଖ୍ୟ ଶାସକ ଦଳ। ସଂସଦ ଏବଂ ଆଞ୍ଚଳିକ ସ୍ତରରେ ଏହି ଦଳର ପୂର୍ଣ୍ଣ ପ୍ରଭାବ ରହିଛି।

ଲିବରାଲ ଡେମୋକ୍ରାଟିକ୍ ପାର୍ଟି ରୁଷର ଦ୍ୱିତୀୟ ବୃହତ୍ତମ ଦଳ, ଯାହା ବିରୋଧୀ ଭାବରେ କାର୍ଯ୍ୟ କରୁଥିଲେ ବି ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ନୀତି ଏବଂ ଯୁଦ୍ଧ ମାମଲାରେ କ୍ରେମଲିନକୁ ସମର୍ଥନ କରେ। ଏ ଜଷ୍ଟ ରୁଷିଆ - ଫର୍ ଟ୍ରୁଥ୍ ,ସାମାଜିକ-ଗଣତାନ୍ତ୍ରିକ ନୀତି ଆପଣାଉଥିବା ଏହି ଦଳ ମଧ୍ୟ ସରକାରୀ ନୀତିକୁ ନିୟମିତ ସମର୍ଥନ କରିଥାଏ।

ରୁଷିଆନ ବାଲଟରେ ଥିବା ପ୍ରାୟ ସମସ୍ତ ମୁଖ୍ୟ ଦଳ କ୍ରେମଲିନର ନୀତି ଏବଂ ୟୁକ୍ରେନ୍ ଯୁଦ୍ଧକୁ ସମର୍ଥନ କରୁଥିବାରୁ ଏହାକୁ 'ସିଷ୍ଟମିକ୍ ବିରୋଧୀ' କୁହାଯାଏ। ପ୍ରକୃତ କ୍ରେମଲିନ୍-ବିରୋଧୀ କିମ୍ବା ଶାନ୍ତିବାଦୀ ନେତାମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ବାସନ୍ଦ କରାଯାଇଛି କିମ୍ବା ସେମାନେ ଜେଲରେ ଅଛନ୍ତି। ଏହି ନିର୍ବାଚନ ମାଧ୍ୟମରେ ପୁଟିନଙ୍କ ସରକାର ଦେଶ ଭିତରେ ନିଜର ଲୋକପ୍ରିୟତା ଏବଂ ଯୁଦ୍ଧ ପ୍ରତି ଜନସାଧାରଣଙ୍କ ସମର୍ଥନ ରହିଛି ବୋଲି ବିଶ୍ୱକୁ ଦେଖାଇବାକୁ ଚେଷ୍ଟା କରୁଛନ୍ତି।