ନୂଆଦିଲ୍ଲୀ, ୨୩/୦୨: ରୁଷ୍ ୟୁକ୍ରେନ୍ ଯୁଦ୍ଧକୁ ୪ ବର୍ଷ ପୂରିଥିବା ବେଳେ ଅଦ୍ୟାବଧି ଯୁଦ୍ଧବିରତି ଉଦ୍ୟମ ସଫଳ ହୋଇପାରିନାହିଁ । ଏହା ଭିତରେ ୟୁକ୍ରେନର ଏକାଧିକ ସହରରେ ରୁଷ୍ ଶନିବାର ରାତିରେ ଭୟଙ୍କର ଆକ୍ରମଣ କରିଛି । ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ ରୁଷ୍ ଟାର୍ଗେଟ କରିଛି । ରାଜଧାନୀ କିଭ୍ ସମେତ ଲଭିଭ୍, ଓଡ଼େଶା ଆଦିରେ ମିସାଇଲ, ଡ୍ରୋନ୍ ମାଡ଼ ହୋଇଛି । ଏଥିରେ ଜଣେ ମହିଳା ପୁଲିସକର୍ମୀଙ୍କ ମୃତ୍ୟୁ ଘଟିଛି ।

ରୁଷ୍ ପ୍ରାୟ ୫୦ ମିସାଇଲ ଏବଂ ୨୯୭ ଡ୍ରୋନ୍ ଛାଡ଼ିଥିବା ଜଣାପଡ଼ିଛି । ଏହି ସପ୍ତାହରେ ରୁଷ୍ ୧,୩୦୦ରୁ ଅଧିକ ଡ୍ରୋନ୍ ଏବଂ ୧,୪୦୦ରୁ ଅଧିକ ଗାଇଡେଡ୍ ବୋମା ଓ ୯୬ ମିସାଇଲରେ ଆକ୍ରମଣ କରିଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କହିଛନ୍ତି । ଅନ୍ୟପକ୍ଷରେ ଏହା ପୂର୍ବରୁ ୟୁକ୍ରେନ୍ ରୁଷ୍ ର ରାଜଧାନୀ ମସ୍କୋରେ ବଡ଼ଧରଣର ଡ୍ରୋନ୍ ଆକ୍ରମଣ କରିଛି । ଏଥିଯୋଗୁ ମସ୍କୋରେ ସମସ୍ତ ବିମାନବନ୍ଦରକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା । ଫଳରେ ବିମାନ ଚଳାଚଳ ବନ୍ଦ ରହିଥିଲା । ୟୁକ୍ରେନ୍ ବେଲଗୋରୋଡ ସୀମାକୁ ଲାଗିଥିବା ଅଞ୍ଚଳକୁ ଟାର୍ଗେଟ କରି ଆକ୍ରମଣ କରିଥିଲା ।

ଏହି ଖବରଟି ପଢନ୍ତୁ...ଦ ଆଫ୍ରିକାଠୁ ହାରିବା ପରେ ଚିନ୍ତାରେ ଟିମ୍ ଇଣ୍ଡିଆ : ସହଜରେ ଖେଳିପାରିବନି ସେମି ଫାଇନାଲ !

ରୁଷ୍ ପକ୍ଷରୁ ଏକ ବୟାନରେ କୁହାଯାଇଛି, ରୁଷ୍ ଏୟାର ଡିଫେନ୍ସ ୯ ଅଞ୍ଚଳରେ ୮୬ଟି ୟୁକ୍ରେନୀୟ ୟୁଏଭିକୁ ଇଣ୍ଟରସେପ୍ଟ କରି ଖସାଇ ଦେଇଥିଲା । ରୁଷ୍ର ପାଲଟା ଆକ୍ରମଣରେ ୟୁକ୍ରେନ୍ ମଧ୍ୟ ରୁଷୀୟ ଡ୍ରୋନ୍, ମିସାଇଲ ଖସାଇଥିବା ଦାବି କରିଛି । ୟୁକ୍ରେନ୍ ବାୟୁସେନା ପକ୍ଷରୁ କୁହାଯାଇଛି, ରୁଷ୍ର ୩୩ ମିସାଇଲ ଏବଂ ୨୭୪ ଡ୍ରୋନ୍କୁ ୟୁକ୍ରେନ୍ ଡିଫେନ୍ସ ସିଷ୍ଟମ ନଷ୍ଟ କରିଥିଲା ।