ଢେଙ୍କାନାଳ: ଢେଙ୍କାନାଳ ଝାଡ଼ବନ୍ଧ ସ୍ଥିତ ରୁଙ୍ଗଟା କାରଖାନା ତାର ଇଣ୍ଟିଗ୍ରେଟେଡ଼ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ଆୟୋଜିତ କରିଥିବା ଜନ ଶୁଣାଣିକୁ ସ୍ଥାନୀୟ ଲୋକେ ବର୍ଜନ କରିଛନ୍ତି।  କାରଖାନା ପକ୍ଷରୁ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଶିକ୍ଷା, ସ୍ୱାସ୍ଥ୍ୟ ରାସ୍ତା ଘାଟ ଓ ପାନୀୟ ଜଳ ଆଦି ଯୋଗାଇବାରେ ସମ୍ପୂର୍ଣ ବିଫଳ ହୋଇଥିବା ଅଭିଯୋଗ ଉଠାଇଛନ୍ତି ଅଞ୍ଚଳବାସୀ।  ଏପରି ସ୍ଥଳେ ପୁଣି କାରଖାନା ତୃତୀୟ ପର୍ଯ୍ୟାୟରେ ୨.୮୫ଏମଟିପି ଏ ଇଣ୍ଟିଗ୍ରେଟେଡ଼ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ କରିବାକୁ ଯାଉଛି। ଯାହାକୁ ନେଇ ଜମି ହରାଇଥିବା ଝାଡ଼ବନ୍ଧ, ଗାଲପଡା ଓ ତରକାବେଡା ଆଦି ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି।

ସୂଚନା ମୁତାବକ ବୁଧବାର ଝାଡ଼ବନ୍ଧ ଗ୍ରାମର ଶନି ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ଜନ ଅଭିଯୋଗ ଶୁଣାଣିକୁ ଆସିଥିବା ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ କ୍ଷୁବ୍ଧ ଅଞ୍ଚଳବାସୀ ଘେରାଉ କରି ଜବାବ ମାଗିଥିଲେ। ଘଟଣାସ୍ଥଳରେ ଚାପା ଉତ୍ତ୍ୱେଜନା ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୃତୟନ କରି ଜନ ଅଭିଯୋଗ ଶୁଣାଣିକୁ ଚାଲୁ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛି। ପାରିପାର୍ଶ୍ଵକ ଉନ୍ନୟନ ଦିଗରେ କାରଖନା କର୍ତ୍ତୃପକ୍ଷ ଆଖିବୁଜି ଦେଇଥିବା ସ୍ଥାନୀୟ ଜମିହରା ଲୋକେ ଅଭିଯୋଗ ଉଠାଇଛନ୍ତି।

ଏପରିକି କାରଖାନା ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରୁ ବୋଲି ଦାବି କରିଛନ୍ତି ଅଞ୍ଚଳବାସୀ। ତେବେ ଆମେ ଆଉ ଇଞ୍ଚେ ଜାଗା ଦେବୁ ନାହିଁ ବୋଲି ରୋକ ଠୋକ ମନା କରିବାରୁ ଏହି ଜନ ଶୁଣାଣି ହୋଇପାରି ନାହିଁ । ତେବେ ଉପଜିଲ୍ଲାପାଳ ଏ ସମ୍ପର୍କରେ ପଚାରିବାରୁ ସେ ମତାମତ ନଦେଇ ମୁହଁ ଲୁଚାଇ ପଳାଇଯାଇଛନ୍ତି।