ଜୟପୁର, ୧/୦୫ : ଶୁକ୍ରବାର ଆଇପିଏଲର ୪୩ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ନିଜ ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀକୁ ଭେଟିବ ଆରଆର୍ । ଏହି ମ୍ୟାଚ ଜରିଆରେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଫେରିବା ପାଇଁ ରାଜସ୍ଥାନ ରୟାଲ୍ସ ପ୍ରୟାସ କରିବ । ୮ଟିରୁ ୫ଟି ମ୍ୟାଚ ପରାଜିତ ହୋଇ ସାରିଥିବା ଦିଲ୍ଲୀ ପାଇଁ ଏଣିକି ବିଜୟ ଜରୁରି ହୋଇ ପଡ଼ିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ସମସ୍ତଙ୍କ ନଜରରେ ରହିବ ବୈଭବ ସୂର୍ଯ୍ୟବଂଶୀ ଓ ମିଚେଲ ଷ୍ଟାର୍କଙ୍କ ମଧ୍ୟରେ ଲଢ଼େଇ ଉପରେ ।

ଫୋକସରେ ବୈଭବ

ଚଳିତ ସଂସ୍କରଣରେ ବୈଭବ ବିଶ୍ୱର ପ୍ରାୟତଃ ସବୁ ଶ୍ରେଷ୍ଠ ପେସ୍ ବୋଲରଙ୍କୁ ନିର୍ମମ ପ୍ରହାର କରିସାରିଛନ୍ତି । ଜଶପ୍ରୀତ ବୁମରା, ଜୋସ ହାଜେଲଉଡ୍, ପ୍ୟାଟ୍ କମିନ୍ସ, ମାର୍କୋ ଜାନସେନ, କାଗିସୋ ରାବାଡାଙ୍କ ଭଳି ବୋଲର ମଧ୍ୟ ବାଦ ପଡ଼ି ନାହାନ୍ତି । କେବଳ ବାକି ରହି ଯାଇଛନ୍ତି ଷ୍ଟାର୍କ । ଆହତ ଥିବାରୁ ସେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ ଖେଳି ନଥିଲେ । ମାତ୍ର ସେ ଶୁକ୍ରବାର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ ଓ ଗ୍ରାଉଣ୍ଡକୁ ଓହ୍ଲାଇବେ ।

Also Read :- ରଜତ ଆଉଟ୍ ନା ନଟ୍ ଆଉଟ ? କ୍ୟାଚକୁ ନେଇ ବିବାଦ...ରାଗିଗଲେ ବିରାଟ କୋହଲି !

ଦିଲ୍ଲୀର ମନୋବଳ ବୃଦ୍ଧି

ଷ୍ଟାର୍କଙ୍କ ଉପସ୍ଥିତି ଦିଲ୍ଲୀର ମନୋବଳ ବୃଦ୍ଧି କରିଛି । ଲୁଙ୍ଗି ଏନଗିଡ଼ି ଆହତ ହେବା ପରେ ଦଳର ବୋଲିଂ ବିଭାଗର ସନ୍ତୁଳନ ବିଗିଡ଼ି ଯାଇଥିଲା । ଅବଶ୍ୟ ଏନଗିଡି ଫିଟ୍ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ତଥାପି ସେ ଖେଳିବେ ନାହିଁ । ନିୟମ ଅନୁଯାୟୀ ମୁଣ୍ଡରେ ଆଘାତ ଲାଗିଲେ ଉକ୍ତ ଖେଳାଳିଙ୍କୁ ଅତି କମରେ ଏକ ସପ୍ତାହ ବିଶ୍ରାମ ଦିଆଯିବ । ଏନଗିଡ଼ି ଗତ ୨୫ ତାରିଖରେ ଆହତ ହୋଇଥିଲେ । ବୈଭବ ଓ ଯଶସ୍ୱୀ ଜୈସ୍ୱାଲଙ୍କ ପାଇଁ ଦିଲ୍ଲୀକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ଉଭୟ ୪୫୧ ରନ୍ ଓପନିଂ ଭାଗିଦାରୀ ଗଠନ କରିସାରିଛନ୍ତି । ବୈଭବ ଇତି ମଧ୍ୟରେ ୨୭ଟି ଟି-ଟ୍ୱେଣ୍ଟି ମ୍ୟାଚରେ ବ୍ୟାଟିଂ କରି ୯୯ଟି ଛକା ମାରି ସାରିଛନ୍ତି । ଆଜି ସେ ଶତକ କ୍ଲବରେ ସାମିଲ ହୋଇପାରନ୍ତି । ଅନ୍ୟ ଦିଗରେରାଜସ୍ଥାନକୁ ହରାଇବାକୁ ହେଲେ ଦିଲ୍ଲୀକୁ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ ।