ଗୁଆହାଟୀ / ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ ର ତୃତୀୟ ମ୍ୟାଚରେ ଆଜି (ମାର୍ଚ୍ଚ ୩୦, ସୋମବାର) ଗୁଆହାଟୀର ବର୍ସାପାରା କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର୍ କିଙ୍ଗସ୍। ଗତ ସିଜିନରେ ଉଭୟ ଦଳ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ଥିବାରୁ, ଚଳିତ ବର୍ଷ କିଛି ବଡ଼ ପରିବର୍ତ୍ତନ ସହ ଉଭୟ ଦଳ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି। ଏହି ମ୍ୟାଚ୍ ଉଭୟ ଦଳର ପ୍ରଶଂସକଙ୍କ ପାଇଁ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ନୂଆ ଦଳ, ନୂଆ ଅଧିନାୟକ ଏବଂ ବଡ଼ ପରିବର୍ତ୍ତନ

ନୂଆ ସିଜିନ୍ ପୂର୍ବରୁ ରାଜସ୍ଥାନ ନିଜର ପୂର୍ବତନ ଅଧିନାୟକ ସଞ୍ଜୁ ସାମସନଙ୍କୁ ଚେନ୍ନାଇକୁ ଟ୍ରେଡ୍ କରିଛିଏହାର ବଦଳରେ ରବୀନ୍ଦ୍ର ଜାଡେଜା ଏବଂ ସାମ୍ କରନଙ୍କୁ ରାଜସ୍ଥାନ ନିଜ ଦଳରେ ସାମିଲ କରିଛି। ଫଳରେ ଆଜି ସାମସନ୍ ଚେନ୍ନାଇ ଜର୍ସିରେ ଖେଳୁଥିବା ବେଳେ, ଜାଡେଜା ରାଜସ୍ଥାନ ପାଇଁ ଖେଳୁଥିବାର ନଜର ଆସିବେ। ଏବେ ରାଜସ୍ଥାନର ଅଧିନାୟକ ଭାର ଯୁବ ଖେଳାଳି ରିୟାନ୍ ପରାଗ ତୁଲାଉଥିବା ବେଳେ ରୁତୁରାଜ ଗାଏକୱାଡ୍ ଚେନ୍ନାଇର ନେତୃତ୍ୱ ନେଉଛନ୍ତି।

ଉଭୟ ଦଳକୁ ଆହତ ସମସ୍ୟା

ରାଜସ୍ଥାନ ରୟାଲ୍ସ: ଦଳକୁ ଏକ ବଡ଼ ଝଟକା ଲାଗିଛି। ଷ୍ଟାର୍ ଅଲରାଉଣ୍ଡର ସାମ୍ କୁରାନ୍ ଆହତ କାରଣରୁ ପୂରା ଆଇପିଏଲ୍ ସିଜିନରୁ ବାଦ୍ ପଡ଼ିଛନ୍ତି। ତଥାପି ଅଧିନାୟକ ରିୟାନ୍ ପରାଗ, ଯଶସ୍ୱୀ ଜୟସ୍ୱାଲ୍ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ବ୍ୟାଟର୍ ତଥା ଜୋଫ୍ରା ଆର୍ଚର୍, ନାନ୍ଦ୍ରେ ବର୍ଗର୍ ଏବଂ ସନ୍ଦୀପ ଶର୍ମାଙ୍କ ଭଳି ବୋଲର ଦଳକୁ ମଜବୁତ କରୁଛନ୍ତି।

ଚେନ୍ନାଇ ସୁପର କିଙ୍ଗସ୍: ପ୍ରଥମ ମ୍ୟାଚ୍ ପୂର୍ବରୁ ସିଏସକେ ମଧ୍ୟ ୩ଟି ବଡ଼ ଝଟକାର ସାମ୍ନା କରିଛି। ଦଳର ସବୁଠୁ ଅଭିଜ୍ଞ ଖେଳାଳି ତଥା ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନି ମାଂସପେଶୀ ଜନିତ ସମସ୍ୟା କାରଣରୁ ପ୍ରଥମ ଦୁଇ ସପ୍ତାହ ପାଇଁ ବାଦ୍ ପଡ଼ିଛନ୍ତି। ଡେଥ୍-ଓଭର ସ୍ପେଶାଲିଷ୍ଟ ନାଥନ୍ ଏଲିସ୍ ପୂରା ସିଜିନରୁ ବାଦ୍ ପଡ଼ିଥିବା ବେଳେ ଦକ୍ଷିଣ ଆଫ୍ରିକାର ଯୁବ ତାରକା ଡିୱାଲ୍ଡ ବ୍ରେଭିସ୍ ମଧ୍ୟ ଆହତ କାରଣରୁ ଆଜିର ମ୍ୟାଚ୍ ଖେଳିବେ ନାହିଁ।

ହେଡ୍-ଟୁ-ହେଡ୍ ରେକର୍ଡ (RR vs CSK)

 ମୋଟ ମ୍ୟାଚ୍ ଖେଳାଯାଇଛି: ୩୧

 ଚେନ୍ନାଇ ବିଜୟୀ: ୧୬

 ରାଜସ୍ଥାନ ବିଜୟୀ: ୧୫

ଆଜିର ମ୍ୟାଚ୍ ପାଇଁ ଉଭୟ ଦଳର ସମ୍ଭାବ୍ୟ ପ୍ଲେଇଂ-୧୧

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୟସ୍ୱାଲ୍, ବୈଭବ ସୂର୍ଯ୍ୟବଂଶୀ, ରିୟାନ୍ ପରାଗ (ଅଧିନାୟକ), ସିମରନ୍ ହେଟମାୟର୍, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ୍, ଡୋନୋଭାନ୍ ଫେରେରା / ଦାସୁନ୍ ଶାନାକା, ଜୋଫ୍ରା ଆର୍ଚର୍, ନାନ୍ଦ୍ରେ ବର୍ଗର୍, ସନ୍ଦୀପ ଶର୍ମା, ଭିଗ୍ନେଶ ପୁଥୁର୍।

(ଇମ୍ପାକ୍ଟ ପ୍ଲେୟାର: ତୁଷାର ଦେଶପାଣ୍ଡେ / ଯୁଧବୀର ସିଂହ ଚରକ)

ଚେନ୍ନାଇ ସୁପର୍ କିଙ୍ଗସ୍ : ସଞ୍ଜୁ ସାମସନ୍ (ୱିକେଟ୍ କିପର୍), ଆୟୁଷ ମାତ୍ରେ, ରୁତୁରାଜ ଗାଏକୱାଡ୍ (ଅଧିନାୟକ), ଶିବମ୍ ଦୁବେ, ସରଫରାଜ୍ ଖାନ୍, ପ୍ରଶାନ୍ତ ବୀର, ଜେମି ଓଭରଟନ୍, ନୁର୍ ଅହମ୍ମଦ, ମ୍ୟାଟ୍ ହେନରୀ, ଖଲିଲ୍ ଅହମ୍ମଦ, ଅଂଶୁଲ କମ୍ବୋଜ।

(ଇମ୍ପାକ୍ଟ ପ୍ଲେୟାର: ରାହୁଲ ଚହର୍ / କାର୍ତ୍ତିକ ଶର୍ମା)