ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଦ୍ୱାରା ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର୍ ଭି.କାମକୋଟିଙ୍କ ଉପରେ କରିଥିବା ଟିପ୍ପଣୀକୁ ନେଇ ବିବାଦ ତୀବ୍ର ହୋଇଛି । ଏହି ମାମଲାରେ କଂଗ୍ରେସ ସାଂସଦଙ୍କୁ ଖୋଲା ଚିଠି ଲେଖିଛନ୍ତି ଦେଶର ୨୧୫ ଶିକ୍ଷାବିତ୍ । ସେମାନଙ୍କ ମଧ୍ୟରେ ଦେଶର ବିଭିନ୍ନ ସଂସ୍ଥାନର କୁଳପତି, ପୂର୍ବତନ କୁଳପତି ଅଛନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କୁ ତାଙ୍କ ଟିପ୍ପଣୀ ପାଇଁ କଠୋର ସମାଲୋଚନା କରିଛନ୍ତି।

ଶିକ୍ଷାବିତ୍ମାନଙ୍କ ଯୁକ୍ତି ହେଉଛି ଯେ ଗଣତନ୍ତ୍ରରେ ଅସହମତିକୁ ସ୍ୱାଗତ କରାଯାଏ, କିନ୍ତୁ ବ୍ୟକ୍ତିଗତ ଉପହାସ ବୈଜ୍ଞାନିକ ଚିନ୍ତାଧାରା ଏବଂ ତଥ୍ୟଭିତ୍ତିକ ସାର୍ବଜନୀନ ଆଲୋଚନାକୁ ଦୁର୍ବଳ କରିଥାଏ । ଉଲ୍ଲେଖଯୋଗ୍ୟ ଯେ, ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଏପରି ଏକ କମିଟି ଗଠନ କରିଛନ୍ତି, ଯେଉଁଥିରେ 'ଗୋମୂତ୍ର ବିଶେଷଜ୍ଞ' ଅଛନ୍ତି । ସେ ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି.କାମକୋଟିଙ୍କୁ "ଗୋମୂତ୍ର ବିଶେଷଜ୍ଞ" ବୋଲି ଆଖ୍ୟା ଦେଇଥିଲେ । ଏହାର ପ୍ରତିବାଦରେ ଶିକ୍ଷାବିତମାନେ ଏହି ଖୋଲା ଚିଠି ଲେଖିଛନ୍ତି । ଏହି ଚିଠିରେ କୁହାଯାଇଛି ଯେ ଏପରି ଟିପ୍ପଣୀ, ତାହା କଟାକ୍ଷ ହେଉ ରାଜନୈତିକ ବ୍ୟଙ୍ଗ, ଜଣେ ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ବ୍ୟାପକ ଚିନ୍ତା ସୃଷ୍ଟି କରେ ଏବଂ ଗଣତନ୍ତ୍ରରେ ଯୁକ୍ତିଯୁକ୍ତ ସମ୍ୱାଦ ପରିବର୍ତ୍ତେ ଉପହାସକୁ ପ୍ରୋତ୍ସାହିତ କରେ ।

ଏହି ଚିଠିରେ ସ୍ୱାକ୍ଷର କରିଥିବା ଶିକ୍ଷାବିତମାନେ ପ୍ରଫେସର କାମକୋଟିଙ୍କ ବୈଜ୍ଞାନିକ ଯୋଗଦାନକୁ ଆଲୋକପାତ କରିଛନ୍ତି । ଦର୍ଶାଇଛନ୍ତି ଯେ ସେ ଦେଶର ଶୀର୍ଷ ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରୁ ଜଣେ । ତାଙ୍କ ପାଖରେ ଆଇଆଇଟି ମାଡ୍ରାସରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ଏମ.ଏସ. ଏବଂ ପିଏଚ.ଡି ଡିଗ୍ରୀ ରହିଛି । ସେ ୧୫୦ରୁ ଅଧିକ ଗବେଷଣା ପତ୍ର ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ, ସେ ଭାରତର ପ୍ରଥମ ଇଣ୍ଡଷ୍ଟ୍ରି-ଲେଭଲ୍ ମାଇକ୍ରୋପ୍ରୋସେସର୍ ନିର୍ମାଣର ମାର୍ଗଦର୍ଶକ ରହିଛନ୍ତି । ତାଙ୍କୁ ଡିଆରଡିଓ ଭଳି ସଂସ୍ଥାରୁ ଏକାଡେମିକ୍ ଏକ୍ସଲେନ୍ସ ପୁରସ୍କାର ମଧ୍ୟ ମିଳିଛି । ଶିକ୍ଷାବିତଙ୍କ କହିବା କଥା ଯେ ଏଭଳି ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏଭଳି ଟିପ୍ପଣୀ କରି ତାଙ୍କ ଯୋଗଦାନକୁ ଗୌଣ କରାଯାଇପାରିବ ନାହିଁ ।

ଶିକ୍ଷାବିତ୍ମାନେ ଚିନ୍ତା ପ୍ରକଟ କରିଛନ୍ତି ଯେ ଏପରି ରାଜନୈତିକ ଟିପ୍ପଣୀ ଭାରତର ଗବେଷଣା ଏବଂ ଶିକ୍ଷାଗତ ସମ୍ପ୍ରଦାୟ ନିକଟକୁ ଏକ ନକାରାତ୍ମକ ବାର୍ତ୍ତା ପଠାଉଛି । ଚିଠି ଅନୁଯାୟୀ, ଆପଣ ସେମାନଙ୍କ ଯୁକ୍ତିର ସମାଲୋଚନା କରନ୍ତୁ କିମ୍ବା ପ୍ରମାଣକୁ ଆହ୍ୱାନ ଦିଅନ୍ତୁ, କିନ୍ତୁ ସେମାନଙ୍କ ଶିକ୍ଷାଗତ ପ୍ରତିଭାର ଅପମାନ କରନ୍ତୁ ନାହିଁ ।