ରାଉରକେଲା: ରାଉରକେଲା ସହରରେ ଜଳିଗଲା ଯାତ୍ରୀବାହୀ ବସ୍। ହୁତୁହୁତୁ ହୋଇ ଜଳିଲା ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରୁ ରାଉରକେଲା ଆସୁଥିବା ‘ଖୁସବୁ’ ନାମକ ଯାତ୍ରୀବାହୀ ବସ୍। ତେବେ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବସ୍‌ରେ ଥିବା ସମସ୍ତ ଯାତ୍ରୀ। ରାଉରକେଲାର ହନୁମାନ ବାଟିକା ଛକରେ ଏହି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, କୁଚିଣ୍ଡାରୁ ରାଉରକେଲା ଅଭିମୁଖେ ଆସୁଥିବା ଏହି ବସ୍‌ଟି ରାଉରକେଲା ସହରରେ ପ୍ରବେଶ କରି ହନୁମାନ ବାଟିକା ଛକରେ ପହଞ୍ଚିଥିଲା। ରାଉରକେଲା ବସ୍‌ଷ୍ଟାଣ୍ଡ ଆଉ ମାତ୍ର ୪ରୁ ୫ କିଲୋମିଟର ଦୂରରେ ଥିଲା। ଟ୍ରାଫିକ୍‌ରେ ଅଟକି ରହିବା ପରେ ଗ୍ରୀନ୍ ସିଗନାଲ୍ ମିଳିବାରୁ ବସ୍‌ଟି ଆଗକୁ ବଢ଼ିଥିଲା। ହେଲେ ହଠାତ୍ ବସ୍‌ଟି ବନ୍ଦ ହୋଇଯାଇଥିଲା। ଏହି ସମୟରେ ବସ୍‌ର ତଳ ପାର୍ଶ୍ୱରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା।

ପରିସ୍ଥିତିକୁ ଦେଖି ତୁରନ୍ତ ସମସ୍ତ ଯାତ୍ରୀ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ପରେ ବସ୍‌କୁ ଠେଲି ରାସ୍ତାକଡ଼କୁ ନିଆଯାଇଥିଲା। ତେବେ କିଛି ସମୟ ମଧ୍ୟରେ ବସ୍‌ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଦେଖୁ ଦେଖୁ ବସ୍‌ର ପ୍ରାୟ ୭୦ ପ୍ରତିଶତ ଅଂଶ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଥିଲା। ଅନ୍ୟପଟେ ବସ୍‌ରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ବସ୍ ମାଲିକ ଆଶଙ୍କା ପ୍ରକାଶ କରିଛନ୍ତି। ଏଥିସହ ଅଗ୍ନିଶମ ବିଭାଗ ଠିକ୍ ସମୟରେ ପହଞ୍ଚିଥିଲେ ଏତେ ବଡ଼ କ୍ଷତି ହୋଇନଥାନ୍ତା ବୋଲି ସେ ଅଭିଯୋଗ କରିଛନ୍ତି।  

Also Read: ଘରେ ଶୋଇଥିଲେ ୪ ଜଣ, ହଠାତ୍ ମାଡ଼ିଆସିଲା ଦ୍ରୁତଗାମୀ କାର୍‌​​​​​​​

ଖବର ପାଇ ଦୁଇଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଉଦ୍ୟମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କ ଜୀବନହାନି ହୋଇନଥିବା ବେଳେ ବସ୍‌ଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।