ନୂଆଦିଲ୍ଲୀ, ୨୦|୦୭: ଜୁଲାଇ ୧୯ ତାରିଖ । ଲର୍ଡସ୍ ର ଷ୍ଟାଡିୟମ । ସମସ୍ତଙ୍କ ନଜରରେ ଥିଲେ ହିଟମ୍ୟାନ୍ ରୋହିତ ଶର୍ମା । ବାଦ ବିବାଦ ଏବଂ ସମାଲୋଚନା । ଫର୍ମ୍ ବି ନଥିଲା । ଅବସର ନେଇ ଲାଗି ରହିଥିଲା ସସପେନ୍ସ୍ । ଏହା ତାଙ୍କର ଶେଷ ଦିନିକିଆ ବୋଲି ସମସ୍ତେ ଭାବୁଥିଲେ । କିନ୍ତୁ ରୋହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ନିଜ ଅନ୍ଦାଜରେ କରିଥିଲେ ବ୍ୟାଟିଂ । ଲଗାଇଥିଲେ ଶତକ । ସମାଲୋଚକଙ୍କୁ ଦେଲେ ଜବାବ । କିନ୍ତୁ ରୋହିତଙ୍କ ଶତକ ପଛର ସତ ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, ରୋହିତ ନିଜ ବ୍ୟାଟରେ ଶତକ ଲଗାଇ ନାହାଁନ୍ତି । ସେ ଭାରତୀୟ ବ୍ୟାଟସମ୍ୟାନ୍ ଶାର୍ଦୁଳ ଠାକୁରଙ୍କ ବ୍ୟାଟରେ ମ୍ୟାଚ୍ ଖେଳିଥିଲେ । ଏହି କଥା ନିଜେ ଶାର୍ଦୁଳ କହିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଏହି ବ୍ୟାଟ୍ ଏସଏସ କମ୍ପାନୀର । କମ୍ପାନୀ ବହୁତ ଭଲ ବ୍ୟାଟ୍ ତିଆରି କରିଥାଏ । ଦିନେ ରୋହିତ ଶର୍ମା ତାଙ୍କଠାରୁ ଦୁଇଟି ବ୍ୟାଟ୍ ମାଗିଥିଲେ । ରୋହିତଙ୍କୁ ବ୍ୟାଟ୍ ବହୁତ ଭଲ ଲାଗିଥିଲା ।

ସେ ଆହୁରି କହିଛନ୍ତି ଯେ, ସମସ୍ତେ ରୋହିତ ଶର୍ମାଙ୍କୁ ବହୁତ ଭଲ ପାଇଥାନ୍ତି । ସେ ଭାରତୀୟ କ୍ରିକେଟ୍ ପାଇଁ ଅନେକ ଅଭୁଲା ଇନିଂସ ଖେଳିଛନ୍ତି । ତାଙ୍କୁ ବ୍ୟାଟ୍ ଦେବାକୁ କେହି ମନା କରିପାରିବେ ନାହିଁ । ଲର୍ଡସ ଭଳି ଐତିହାସିକ ଷ୍ଟାଡିୟମରେ ରୋହିତ ଶତକ ଲଗାଇଛନ୍ତି । ଏହା ସବୁଠୁ ବଡ଼ କଥା । ସମସ୍ତଙ୍କର ପାଇଁ ଆନନ୍ଦର ମୁହୂର୍ତ୍ତ ।

ସୂଚନାଯୋଗ୍ୟ, ଉଭୟ ରୋହିତ ଏବଂ ଶାର୍ଦ୍ଦୁଳ କେବଳ ଟିମ୍ ଇଣ୍ଡିଆ ପାଇଁ ନୁହେଁ, ମୁମ୍ବାଇ ପାଇଁ ମଧ୍ୟ ମ୍ୟାଚ୍ ଖେଳିଛନ୍ତି । ସେମାନେ ଗୋଟିଏ ସ୍କୁଲରେ କ୍ରିକେଟ୍ ଶିଖିଥିଲେ । ଏହାସହ ମୁମ୍ବାଇ ଇଣ୍ଡିଆନ୍ସରେ ମଧ୍ୟ ଉଭୟ ସାମିଲ ହୋଇଥିଲେ । ତେବେ ଲର୍ଡସରେ ଆସିଥିବା ଐତିହାସକ ଶତକ ଉଭୟଙ୍କ ସମ୍ପର୍କକୁ ଅଧିକ ମଜବୁତ କରିଦେଇଛି ।