ନୂଆଦିଲ୍ଲୀ: ଏକମାତ୍ର ଟେଷ୍ଟ ମ୍ୟାଚ୍ ପରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଜୁନ ୧୩ରୁ ଆରମ୍ଭ ହେଉଛି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ପାଇଁ ଆସିଛି ଖୁସିର ଖବର।ଦଳର ଦୁଇ ପ୍ରମୁଖ ତାରକା ଖେଳାଳି ଅଧିନାୟକ ରୋହିତ ଶର୍ମା ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫିଟ୍ ହୋଇଛନ୍ତି। ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ବିସିସିଆଇ ପକ୍ଷରୁ ସେମାନଙ୍କ ଫିଟନେସକୁ ନେଇ ଗ୍ରୀନ୍ ସିଗନାଲ୍ ମିଳିସାରିଛି। ଏହି ଦୁଇ ମ୍ୟାଚ୍ ବିଜେତା ଦଳକୁ ଫେରିବା ପରେ ଟିମ୍ ଇଣ୍ଡିଆର ଶକ୍ତି ବୃଦ୍ଧି ପାଇଛି।

ଫିଟ୍ ହେଲେ ଦୁଇ ଷ୍ଟାର ଖେଳାଳି

ସୂଚନାଯୋଗ୍ୟ ଯେ, ଗତ କିଛି ସମୟ ଧରି ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ସମସ୍ୟା ଦେଇ ଗତି କରୁଥିଲେ। ସେମାନଙ୍କ ଫିଟ୍ନେସକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ପ୍ରଶଂସକମାନେ ଚିନ୍ତାରେ ଥିଲେ। କିନ୍ତୁ ଜାତୀୟ କ୍ରିକେଟ୍ ଆକାଡେମୀ (NCA) ରେ ଚାଲିଥିବା ରିହାବ୍ ପ୍ରକ୍ରିୟା ସଫଳତାର ସହ ଶେଷ ହେବା ପରେ ମେଡିକାଲ୍ ଟିମ୍ ଉଭୟଙ୍କୁ ସମ୍ପୂର୍ଣ୍ଣ ଫିଟ୍ ଘୋଷିତ କରିଛନ୍ତି।

Also Read: ଅର୍ଜୁନ ତେନ୍ଦୁଲକରଙ୍କ ‘ଛକା’ ମାଡ଼ରେ ଆହତ ହେଲେ କୁନି ପ୍ରଶଂସକ, ପାଖକୁ ଡାକି ଗିଫ୍ଟ ଦେଲେ କ୍ରିକେଟର

ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ ରୋହିତ ଶର୍ମାଙ୍କ ଅଭିଜ୍ଞ ବ୍ୟାଟିଂ ଓ ନେତୃତ୍ୱ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ଅଲରାଉଣ୍ଡ ପ୍ରଦର୍ଶନ ବିପକ୍ଷ ଦଳ ଉପରେ ଭାରି ପଡ଼ିବ। ପୂର୍ବତନ ଅଧିନାୟକ ରୋହିତ ପୁଣିଥରେ ଓପନିଂ ମଙ୍ଗ ଧରିବାକୁ ପ୍ରସ୍ତୁତ ଥିବା ବେଳେ, ମିଡିଲ୍ ଅର୍ଡର ଏବଂ ବୋଲିଂ ବିଭାଗକୁ ସନ୍ତୁଳିତ କରିବେ ହାର୍ଦ୍ଦିକ।

ସିରିଜରୁ ବାଦ୍ ବିରାଟ କୋହଲି

ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପାଦର ମାଂସପେଶୀ ଟାଣି ଧରିବା କାରଣରୁ ପ୍ରଥମରୁ ସିରିଜରୁ ବାଦ୍ ପଡ଼ି ସାରିଛନ୍ତି। ଟେଷ୍ଟ ଓ ଟି-୨୦ରୁ ସନ୍ନ୍ୟାସ ନେବା ପରେ କେବଳ ଗୋଟିଏ ଫର୍ମାଟରେ ସକ୍ରିୟ ଅଛନ୍ତି କୋହଲି। ଆଇପିଏଲ୍ ୨୦୨୬ର ଫାଇନାଲ୍ ସମୟରେ ତାଙ୍କର ମାଂସପେଶୀ ଟାଣି ଧରିଥିଲା। ତଥାପି କୋହଲି ଅପରାଜିତ ୭୫ ରନ କରି ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଦ୍ଵିତୀୟ ଥର ଚାମ୍ପିଅନ କରାଇଥିଲେ। କୋହଲିଙ୍କ ସ୍ଥାନରେ ଦିନିକିଆ ସିରିଜ୍ ପାଇଁ ଯଶସ୍ଵୀ ଜୟସ୍ଵାଲଙ୍କୁ ଚୟନ କରିଛନ୍ତି ଚୟନକର୍ତ୍ତା। ଜୁନ ୧୩ରେ ଧର୍ମଶାଳାରେ ପ୍ରଥମ, ଜୁନ ୧୭ରେ ଲକ୍ଷ୍ମୌରେ ଦ୍ଵିତୀୟ ଓ ଜୁନ ୨୦ରେ ଚେନ୍ନାଇରେ ତୃତୀୟ ଦିନିକିଆ ଖେଳାଯିବ।