ମୁମ୍ବାଇ,୩୦ /୦୩: ଦମଦାର୍ ବ୍ୟାଟିଂ । ସବୁ ଦିଗକୁ ସଟ୍ । ଗର୍ଜିଲା ବ୍ୟାଟ୍ । ବାହାରିଲା ବିସ୍ଫୋରକ ଅର୍ଧଶତକ । କିଛି ଏମିତି ଅନ୍ଦାଜରେ ଆଇପିଏଲ ଆରମ୍ଭ କରିଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା । କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର୍ ରୋହିତ ନିଜ ବ୍ୟାଚରେ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏହାସହ କୋହଲିଙ୍କ ବିରାଟ ରେକର୍ଡ ମଧ୍ୟ ସେ ଭାଙ୍ଗି ଦେଇଛନ୍ତି ।

ମୁମ୍ବାଇ ଚଳିତ ଆଇପିଏଲରେ ରବିବାର ନିଜର ପ୍ରଥମ ମୁକାବିଲା ଖେଳିଛି । ଦଳ କେକେଆରକୁ ଭେଟିଥିଲା । ମ୍ୟାଚରେ ରୋହିତ ୩୮ ବଲରୁ ୭୮ ରନ୍ କରିଥିଲେ । ଫଳରେ ମୁମ୍ବାଇ ୨୨୦ ରନର ବିଶାଳ ଟାର୍ଗେଟକୁ ଚେଜ୍ କରିବାରେ ସଫଳ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରିଆନ୍ ରିକେଲଟନ୍ ମଧ୍ୟ ବିସ୍ଫୋରକ ଅର୍ଧଶତକ ଲଗାଇଥିଲେ ।

ନିଜର ଅର୍ଦ୍ଧଶତକୀୟ ପାଳିରେ ରୋହିତ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏହାସହ ସହ କୌଣସି ଦଳ ବିପକ୍ଷରେ ସର୍ବାଧିକ ରନ୍ ସ୍କୋର୍ କରିଥିବା ବ୍ୟାଟର ହୋଇପାରିଛନ୍ତି । ଡେକାନ୍ ଚାର୍ଜର୍ସରୁ କ୍ୟାରିଅର ଆରମ୍ଭ କରିଥିବା ରୋହିତ କୋଲକାତା ବିପକ୍ଷରେ୩୬ଟି ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ୧୧୬୧ ରନ୍ ସ୍କୋର କରିଛନ୍ତି । ପୂର୍ବରୁ ଏହି ରେକର୍ଡ କୋହଲିଙ୍କ ନାଁରେ ଥିଲା ।ବିରାଟପଞ୍ଜାବ କିଙ୍ଗସ୍ ବିପକ୍ଷରେ ମୋଟ୍ ୧୧୫୯ ରନ୍ କରିଛନ୍ତି । ଏବେ କୌଣସି ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ରନ୍ କରିବାରେ ରୋହିତ ବିରାଟଙ୍କୁ ଟପିଛନ୍ତି ।

​​​​​​​Also Read :-IPL 2026: ପ୍ରଥମ ମ୍ୟାଚ୍‌ରେ ପରାଜୟର ଧାରା ଭାଙ୍ଗିଲା MI, KKRକୁ ହରାଇ ହାସଲ କଲା ଐତିହାସିକ ବିଜୟ

ତାଲିକାରେ ଏକ ନମ୍ବରରେ ରୋହିତ ଅଛନ୍ତି । ଦୁଇ ନମ୍ବରରେ ବିରାଟ କୋହଲି ରହିଛନ୍ତି । ସେହିପରି ତିନି ନମ୍ବରରେ ମଧ୍ୟ ବିରାଟ ଅଛନ୍ତି । ସେ ଚେନ୍ନାଇ ବିପକ୍ଷରେ ୧୧୪୬ ରନ୍ ସ୍କୋର୍ କରିଛନ୍ତି । ଚାରି ନମ୍ବରରେ ପଞ୍ଜାବ ବିପକ୍ଷରେ ଡେଭିଡ୍ ଓ୍ୱାର୍ଣ୍ଣର ୧୧୩୪ ରନ୍ କରିଥିବା ବେଳେ ଦିଲ୍ଲୀ ବିପକ୍ଷରେ ବିରାଟ ୧୧୩୦ ରନ୍ କରିଛନ୍ତି ।

ଖାଲି ଏତିକି ନୁହେଁ ରୋହିତ ଆଇପିଏଲର ଚତୁର୍ଥ ଖେଳାଳି ଭାବେ ୫୦ ଥର ବା ଏହାଠୁ ଅଧିକ ଅର୍ଦ୍ଧଶତକ ଲଗାଇଛନ୍ତି । ତାଙ୍କ ବ୍ୟତୀତ ବିରାଟ କୋହଲି, ଡେଭିଡ ଓ୍ୱାର୍ଣ୍ଣର ଏବଂ ଶିଖର ଧାଓ୍ୱନ ଏହି ତାଲିକାରେ ରହିଛନ୍ତି ।