ବାଂଶପାଳ,୧୦|୦୭:ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ପ୍ରତିବାଦରେ ରାସ୍ତାରୋକ । ରାଇଗୋଡା - ଫୁଲଝର ରାସ୍ତା ଅବରୋଧ କଲେ ଲୋକେ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ରାଇଗୋଡା ଠାରେ ଗୁରୁବାର ସନ୍ଧ୍ୟାରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଉଚିତ ନ୍ୟାୟ ଦାବିରେ ଗତ କାଲି ସନ୍ଧ୍ୟାରୁ ରାସ୍ତା ରୋକ କରିଛନ୍ତି ।

Also Read :- କରୋନାରେ ଜଣେ ମୃତ, ଆହୁରି ୪ କୋଭିଡ୍-୧୯ ପଜିଟିଭ୍...ହସ୍ପିଟାଲକୁ ସଜାଗ ରହିବାକୁ ନିର୍ଦ୍ଦେଶ

ସଦର ଥାନା ପୋଲିସ ଏହି ଘଟଣାରେ ପୀଡିତା ନାବାଳିକାଙ୍କ ସମ୍ପର୍କୀୟ ମାମୁଁ (ଟ୍ରକ ଡ୍ରାଇଭର ) ସମେତ ଅନ୍ୟ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖିଛି । ଗୁରୁବାର ସନ୍ଧ୍ୟାରେ ସମ୍ପର୍କୀୟ ମାମୁଁ ୬ ବର୍ଷର ନାବାଳିକାଙ୍କୁ ପ୍ରଲୋଭିତ କରି ଟ୍ରକରେ ଅପହରଣ କରିବା ପରେ ରାଇଗୋଡା ଠାରେ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ନାବାଳିକାଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିଥିଲା ।

ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ନାବାଳିକାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାସହ ଲୋକେ ଅଭିଯୁକ୍ତଙ୍କୁ ନିର୍ଧୁମ ପିଟିବା ପରେ ସଦର ଥାନା ପୋଲିସକୁ ଜିମା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ଗୁରୁତର ନାବାଳିକାଙ୍କୁ ମେଡିକାଲରେ ଭର୍ତି କରିଛି ।

ଅନ୍ୟପଟେ ଅଭିଯୁକ୍ତଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ଜେରା କରୁଛି ପୋଲିସ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ପ୍ରକାଶ ପାଇଛି । ଲୋକେ ପୀଡିତା ପରିବାରକୁ ଉଚିତ ନ୍ୟାୟ ଦାବିରେ ଗୁରୁବାରଠାରୁ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଟ୍ରକ, ଗାଡି ମୋଟର ଅଟକି ରହିଛି । ରାଇଗୋଡା - ଫୁଲଝର ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି ।