ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ରିଷଭ ପନ୍ତଙ୍କୁ ୨୦୨୫ ମେଗା ଅକ୍ସନରେ ୨୭ କୋଟି ଟଙ୍କାରେ କିଣିଥିଲା । ଏହି ମୂଲ୍ୟ ସହ ସେ ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳି ହୋଇଥିଲେ । ଏହାପରେ ଲକ୍ଷ୍ନୌ ଟିମ୍ ତାଙ୍କୁ ଦଳର ଅଧିନାୟକ ମଧ୍ୟ କରିଥିଲା । କିନ୍ତୁ ତାଙ୍କ କ୍ୟାପ୍ଟେନ୍ସିରେ ଲଗାତାର ଦୁଇଟି ଯାକ ସିଜିନରେ ଟିମ୍ ଖରାପ ପ୍ରଦର୍ଶନ କରିଥିଲା । ୨୦୨୬ ସିଜିନରେ ଟିମ୍ ସହ ପନ୍ତଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଅତି ଖରାପ ରହିଥିଲା । ଏହି କାରଣରୁ ଟୁର୍ଣ୍ଣାମେଣ୍ଟ ଶେଷ ହେଉ ହେଉ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପକ୍ଷରୁ ଆନୁଷ୍ଠାନିକ ବୟାନ ଜାରି କରି ପନ୍ତ କ୍ୟାପ୍ଟେନ୍ସି ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କୁହାଗଲା । କିନ୍ତୁ ବାସ୍ତବ କଥା ଭିନ୍ନ ।

ଉଲ୍ଲେଖଯୋଗ୍ୟ ଯେ ରିଭଷ ପନ୍ତଙ୍କ ଫର୍ମ ଏବଂ ଟିମର ପ୍ରଦର୍ଶନ ଭଲ ନଥିବାରୁ ତାଙ୍କ ପ୍ୟାକ୍ଟେନ୍ସି ଯାଇଥିବା ଖବର ସାମନାକୁ ଆସିଥିଲା । ୨୭ କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ ଏଲ୍‌ଏସ୍‌ଜି କିଛି ଲାଭ ପାଇପାରି ନଥିଲା । ଏପରି ସ୍ଥିତିରେ ପନ୍ତଙ୍କ ପଦ ଯିବା ନିଶ୍ଚିତ ଥିଲା, କିନ୍ତୁ ସୋସିଆଲ୍ ମିଡିଆରେ ପ୍ରହସନ କରାଗଲା ଯେ ପନ୍ତ ଏଲ୍‌ଏସ୍‌ଜିର କ୍ୟାପ୍ଟେନ୍ସିରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ଏବେ ଯେଉଁ କଥା ସାମନାକୁ ଆସୁଛି, ତାହା ସମ୍ପୂର୍ଣ୍ଣ ଭିନ୍ନ ।

କ୍ରିକବ୍ଲଗର୍ ରିପୋର୍ଟରେ ଦାବି କରାଯାଇଛି ଯେ ପନ୍ତ ଛାଡ଼ି ନଥିଲେ ବରଂ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ କ୍ୟାପ୍ଟେନ୍ସି ଛଡ଼ାଇ ନେଇଛି । ଟିମ୍ ଏବଂ ପନ୍ତଙ୍କ ସମ୍ମାନ ରକ୍ଷା ପାଇଁ ସୋସିଆଲ୍ ମିଡିଆରେ ଟିମ୍ ନିର୍ଦ୍ଦେଶକ ଟମ୍ ମୁଡିଙ୍କ ଜରିଆରେ କୁହାଯାଇଥିଲା ଯେ ପନ୍ତ କ୍ୟାପ୍ଟେନ୍ସିରୁ ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ରିପୋର୍ଟରେ ଦାବି କରାଯାଇଛି ଯେ ୨୦୨୬ ଆଇପିଏଲ୍ ସରୁ ସରୁ ମ୍ୟାନେଜମେଣ୍ଟ ପନ୍ତଙ୍କ କ୍ୟାପ୍ଟେନ୍ସି ଛଡ଼ାଇ ନେଇଥିଲା । କେବଳ ଏତିକି ନୁହେଁ ୨୦୨୬ ସିଜିନରେ ଟିମର ଖରାପ ପ୍ରଦର୍ଶନ ପାଇଁ ଟିମ୍ ମ୍ୟାନେଜମେଣ୍ଟ ପନ୍ତଙ୍କୁ ଏକପ୍ରକାର ଦାୟୀ କରିଥିଲେ ।

ସୂତ୍ର ଅନୁସାରେ ଆଇପିଏଲ୍ ସିଜିନ୍ ଶେଷ ହେଉ ହେଉ ପନ୍ତଙ୍କୁ କ୍ୟାପ୍ଟେନ୍ସିରୁ ହଟାଯିବାକୁ ନେଇ ପ୍ରଶ୍ନ ଉଠୁଛି । ଏପରିକି ପନ୍ତ ନିଜେ ମଧ୍ୟ ଲକ୍ଷ୍ନୌ ଫ୍ରାଞ୍ଚାଇଜ ସହ ଆଗକୁ ବଢ଼ିବାକୁ ପରିବର୍ତ୍ତେ ଅନ୍ୟ ଟିମ୍ ସହ ନିଜ ଭବିଷ୍ୟତ ଖୋଜୁଛନ୍ତି । ଏପରିକି ପନ୍ତ ନିଜର ପୁରୁଣା ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ଫେରିବା ପାଇଁ ମଧ୍ୟ ଏକ ପ୍ରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ମଧ୍ୟରେ ଟ୍ରେଡ୍ ହୋଇପାରେ । କୁଳଦୀପ ଯାଦବ ଏଲ୍‌ଏସ୍‌ଜି ଯାଇପାରନ୍ତି ଏବଂ ପନ୍ତ ପୁଣି ଥରେ ଦିଲ୍ଲୀ ଫେରିପାରନ୍ତି ।