ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରବିବାର ଫାଇନାଲ୍ ମ୍ୟାଚ୍ ଖେଳାଯିବ । କିନ୍ତୁ ଏହା ପୂର୍ବରୁ ଶୁକ୍ରବାର ଏକ ବଡ଼ ଖବର ସାମନାକୁ ଆସିଛି । ଇଣ୍ଡିଆନ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଫ୍ରାଞ୍ଚାଇଜ୍ ପକ୍ଷରୁ ରିଷଭ ପନ୍ତଙ୍କୁ ଅଧିନାୟକ ପଦରୁ ମୁକ୍ତ କରାଯାଇଛି । ଏଲ୍‌ଏସ୍‌ଜି ଏକ ଆନୁଷ୍ଠାନିକ ବିବୃତ୍ତି ଜାରି କରି କହିଛି ଯେ ପନ୍ତ ଅଧିନାୟକ ପଦ ଛାଡିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ଯାହା ପରେ ଟିମ୍ ମ୍ୟାନେଜମେଣ୍ଟ ତତ୍କାଳ ପ୍ରଭାବରେ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛି ।

ଏଲଏସଜି ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ଅଧିନାୟକ ପଦରୁ ମୁକ୍ତ କରିବା ପାଇଁ ରିଷଭ ପନ୍ତ ଫ୍ରାଞ୍ଚାଇଜକୁ ଅନୁରୋଧ କରିଥିଲେ । ଏହା ପରେ, ଟିମ୍ ମ୍ୟାନେଜମେଣ୍ଟ ଏବଂ ଫ୍ରାଞ୍ଚାଇଜ୍ ପାରସ୍ପରିକ ଭାବରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି ।

ଲକ୍ଷ୍ନୌ ସୁପରଜାଏଣ୍ଟସ୍ କ୍ରିକେଟ୍ ନିର୍ଦ୍ଦେଶକ ଟମ୍ ମୁଡି କହିଛନ୍ତି, "ରିଷଭ ନିଜେ ଫ୍ରାଞ୍ଚାଇଜକୁ ଏହି ଅନୁରୋଧ କରିଥିଲେ ଏବଂ ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରି ଏହାକୁ ଗ୍ରହଣ କରିଛୁ । ଏପରି ନିଷ୍ପତ୍ତି ସହଜ ନୁହେଁ । ଅଧିନାୟକ ଭାବରେ ଡ୍ରେସିଂ ରୁମରେ ରିଷଭଙ୍କ ଅବଦାନ ପାଇଁ ଆମେ କୃତଜ୍ଞ ।"

ସେ ଆହୁରି କହିଛନ୍ତି, ବର୍ତ୍ତମାନ ଆମର ପୂରା ଫୋକସ ଟିମକୁ ପୁଣି ଥରେ ମଜଭୁତ କରିବା ଉପରେ ରହିଛି, ଯାହା ଦ୍ଵାରା ଫ୍ରାଞ୍ଚାଇଜ୍ ଭବିଷ୍ୟତରେ ଏହାର ସର୍ବୋତ୍ତମ ସ୍ତରକୁ ପହଞ୍ଚିପାରିବ । ରିଷଭ ପନ୍ତ ଅଧିନାୟକ ପଦ ଛାଡିବା ପରେ, ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଆଗାମୀ ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ନେତୃତ୍ୱ କିଏ ନେବ ? ଫ୍ରାଞ୍ଚାଇଜ୍ ଫୋକସ୍ ବର୍ତ୍ତମାନ ଟିମକୁ ନୂଆ କରି ଗଢିବା ଉପରେ ରହିଛି । ଆଗାମୀ ସମୟରେ ଅନେକ ବଡ଼ ପରିବର୍ତ୍ତନ ଆଶା କରାଯାଉଛି ।

ପନ୍ତଙ୍କ ନେତୃତ୍ୱରେ ଟିମର ପ୍ରଦର୍ଶନ ସବୁବେଳେ ଖବରରେ ରହୁଥିଲା । କିନ୍ତୁ, ଦଳ ଆଶାନୁରୂପ ସଫଳତା ପାଇନଥିଲା । ଯେଉଁଥି ପାଇଁ ତାଙ୍କ କ୍ୟାପ୍ଟେନ୍ସି ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା । ଏବେ ଫ୍ରାଞ୍ଚାଇଜ୍ ଏକ ନୂତନ ଯୁଗର ଆରମ୍ଭ ହେବାର ସୂଚନା ଦେଇଛି । ଅନୁମାନ କରାଯାଉଛି ଯେ ଏବେ ଏଲଏସଜି ମାଲିକ ସଞ୍ଜୀବ ଗୋୟଙ୍କା ଟିଏମ୍ ମ୍ୟାନେଜମେଣ୍ଟ ସହିତ ଆଲୋଚନା କରି ଆଗାମୀ ବର୍ଷର ଯୋଜନା ସ୍ଥିର କରିବେ, ଏବଂ ନୂତନ ଅଧିନାୟକ କିଏ ହେବେ ତାହା ମଧ୍ୟ ଦେଖିବେ ।

୨୭ କୋଟି ଟଙ୍କାରେ କିଣିଥିଲା ଲକ୍ଷ୍ନୌ

ରିଷଭ ପନ୍ତ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି । ତାଙ୍କୁ ନଭେମ୍ବର ୨୦୨୪ ମେଗା ନିଲାମରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୨୭ କୋଟି ଟଙ୍କାରେ କିଣିଥିଲା । ଏହା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ତାଙ୍କୁ ଦଳର ଅଧିନାୟକ ଘୋଷଣା କରିଥିଲା ।

ପନ୍ତଙ୍କ ଖରାପ ପ୍ରଦର୍ଶନ

ଏହି ଆଇପିଏଲ ସିଜିନରେ ଲକ୍ଷ୍ନୌ ଟିମ୍ ଦଶମ ସ୍ଥାନରେ ରହିଛି । ୨୦୨୫ରେ ଏହା ସପ୍ତମ ସ୍ଥାନରେ ଥିଲା । ସେପଟେ ପନ୍ତ ମଧ୍ୟ ନିଜ ପ୍ରଦର୍ଶନରେ ନିରାଶ କରିଥିଲେ । ସେ ୨୦୨୫ ଏବଂ ୨୦୨୬ରେ ମୋଟ ୨୮ଟି ମ୍ୟାଚରେ ଅଧିନାୟକତ୍ୱ କରିଥିଲେ । ଦଳ ୧୦ ଥର ଜିତିଥିଲା ଏବଂ ୧୮ ଥର ହାରିଥିଲା । ରିଷଭ ପନ୍ତ ଆଇପିଏଲ୍ ୨୦୨୬ରେ ୧୪ଟି ମ୍ୟାଚରେ ୧୩୮.୦୫ ଷ୍ଟ୍ରାଇକ୍ ରେଟରେ ୩୧୨ ରନ୍ କରିଥିଲେ । ୨୦୨୪ ସିଜିନରେ ସେ ୧୪ଟି ମ୍ୟାଚରେ ୨୪.୩୩ ହାରରେ ୨୬୯ ରନ୍ କରିଥିଲେ ।