ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚା ଲାଗିରହିଛି। ଘଟଣାରେ ରାଜନୀତି ମଧ୍ୟ ଜୋର ଧରିଛି। ସେପଟେ ଏହି ଘଟଣାରେ ପୋଲିସ ଉପରକୁ ଆଙ୍ଗୁଳି ଉଠିଥିବା ବେଳେ, ନିଜର ଭାବମୂର୍ତ୍ତି ସଜାଡ଼ିବାକୁ ଚେଷ୍ଟା କରୁଛି ପୋଲିସ। ଏଥିପାଇଁ ଭୁବନେଶ୍ୱର ୟୁପିଡି (UPD) ଅନ୍ତର୍ଗତ ସମସ୍ତ ଥାନା ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି। ଏହି ବୈଠକରେ ପୋଲିସ ସେବାରେ ଥିବା ତ୍ରୁଟିକୁ ସୁଧାରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ତେବେ ସମୀକ୍ଷା ବୈଠକ ପରେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ପ୍ରତିକ୍ରିୟା ଦେଇ କହିଛନ୍ତି, ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଭଲ ତଦନ୍ତ କରିବ। କମିଶନରେଟ ପୋଲିସ ଓ ଓଡ଼ିଶା ପୋଲିସ ଉପରେ ଲୋକଙ୍କ ଭରସା ଅଛି। ଆଗକୁ ସିଷ୍ଟମରେ ବଡ଼ ଧରଣର ପରିବର୍ତ୍ତନ ହେବ। ବୈଠକରେ ପ୍ରତ୍ୟେକ ଥାନାର ଆଇଆଇସିଙ୍କ ସହ ସେମାନଙ୍କ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ପୋଲିସ ପ୍ରଶାସନରେ ଯଦି ବର୍ତ୍ତମାନର କାର୍ଯ୍ୟଶୈଳୀ ବା ସିଷ୍ଟମରେ କୌଣସି ପ୍ରକାରର ଅଭାବ ରହିଛି, ତେବେ ତାହାକୁ ତୁରନ୍ତ ସୁଧାର କରାଯିବ । ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବା ଏବଂ ପୋଲିସ ଉପରେ ଥିବା ଆସ୍ଥାକୁ ଫେରାଇ ଆଣିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ।