ଭୁବନେଶ୍ବର: ୮ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଖୁଚୁରା ମୁଦ୍ରାସ୍ଫୀତି। ଚଳିତ ବର୍ଷ ଜାନୁଆରୀରେ ଭାରତର ଖାଉଟି ମୂଲ୍ୟ ସୂଚକାଙ୍କ (CPI) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୨.୭୫% ରହିଛି। ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ନୂଆ ସିରିଜ୍ ଆଧାରରେ ତଥ୍ୟ ଜାରି ହୋଇଥିବାରୁ ମୁଦ୍ରାସ୍ଫୀତିରେ ପରିବର୍ତ୍ତନ ହେବା ନେଇ ପୂର୍ବରୁ ହିଁ ଅନୁମାନ କରାଯାଉଥିଲା।୨୦୨୫ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୨. ୮୨% ରହିଥିଲା।

ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ୧.୯୬ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସହରାଞ୍ଚଳରେ ଏହି ବୃଦ୍ଧି ୨.୪୪ ପ୍ରତିଶତ ରହିଛି। ଜାନୁଆରୀରେ ଘରୋଇ ମୁଦ୍ରାସ୍ଫୀତି ବାର୍ଷିକ ତୁଳନାରେ ୨.୦୫ ପ୍ରତିଶତ ରହିଛି। ଗତ ମାସରେ ଗ୍ରାମାଞ୍ଚଳରେ ଏହା ୨.୩୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସହରାଞ୍ଚଳରେ ଏହି ବୃଦ୍ଧି ୧.୯୨ ପ୍ରତିଶତ ରହିଛି।

ସୂଚନାଯୋଗ୍ୟ, ମନ୍ତ୍ରଣାଳୟ ଅଧୀନରେ ଥିବା ଏନଏସଓ ଦରବୃଦ୍ଧି (ସିପିଆଇ)ର ନୂଆ ସିରିଜ ଜାରି କରିଛି। ୨୦୨୬ ଜାନୁଆରୀରେ ସିପିଆଇ ତଥ୍ୟରେ ଆଧାର ବର୍ଷ ବା ବେସ୍ ଇୟରକୁ ପରିବର୍ତ୍ତନ କରି ୨୦୨୪ କରାଯାଇଛି। ଏଥିରେ ଦାମ୍‌ର ସ୍ଥିତିକୁ ଠିକ୍ ଢଙ୍ଗରେ ଉପସ୍ଥାପନ କରିବା ପାଇଁ ସାମଗ୍ରୀ ସଂଖ୍ୟା ୨୫୯କୁ ବଢ଼ାଇ ୩୦୮ ଏବଂ ସେବା ସଂଖ୍ୟା ୪୦ରୁ ବଢ଼ି ୫୦ କରାଯାଇଛି।

ନୂଆ ସ୍କେଲରେ ଯୋଡ଼ି ହେଲା ଇ-କମର୍ସ ଏବଂ ବିମାନ ଭଡ଼ା

ସରକାର ମୁଦ୍ରାସ୍ଫୀତି ମାପିବା ପାଇଁ ବେସ୍ ଇୟରକୁ ୨୦୧୨ରୁ ୨୦୨୪କୁ ପରିବର୍ତ୍ତନ କରିଛନ୍ତି। ପ୍ରାୟ ୧ ଦଶନ୍ଧି ପରେ ଏହି ପରିବର୍ତ୍ତନ ହୋଇଛି। ବ୍ଲୁମବର୍ଗର ଏକ ସର୍ଭେ ଅନୁସାରେ, ୩୨ ଜଣ ଅର୍ଥନୀତିଜ୍ଞ ଆକଳନ କରିଥିଲେ ଯେ, ଜାନୁଆରୀର ମୁଦ୍ରାସ୍ଫୀତି ହାର ପ୍ରାୟ ୨. ୭୭% ରହିବ।

ଖାଦ୍ୟ ସାମଗ୍ରୀର ଓଜନରେ ହ୍ରାସ

ପୁରୁଣା ସୂଚକାଙ୍କରେ ଖାଦ୍ୟ ଏବଂ ପାନୀୟର ଅଂଶ ପ୍ରାୟ ୫୦% ଥିଲା। ହେଲେ ଏବେ ଏହାକୁ ୩୬.୮%କୁ ହ୍ରାସ କରାଯାଇଛି। ପରିସଂଖ୍ୟାନ ମନ୍ତ୍ରଣାଳୟ ସଚିବ ସୌରଭ ଗର୍ଗଙ୍କ ଅନୁସାରେ, ଭାରତୀୟଙ୍କ ଆୟ ବୃଦ୍ଧି ପାଇବା ସହ ସେମାନେ ଏବେ ଖାଦ୍ୟ ଉପରେ କମ୍ ଏବଂ ଗୃହ ଓ ଅନ୍ୟାନ୍ୟ ସେବା ଉପରେ ଅଧିକ ଖର୍ଚ୍ଚ କରୁଛନ୍ତି।

କ’ଣ ହଟିଲା: ପୁରୁଣା ରେଡିଓ, ଭିସିଆର ଏବଂ ଘୋଡା ଗାଡ଼ି ଭଡ଼ା ଏବେ ସୂଚକାଙ୍କରୁ ହଟାଯାଇଛି।

କ’ଣ ଯୋଡ଼ି ହେଲା: ସିପିଆଇ ସୂଚକାଙ୍କ ପରିସରକୁ ଏବେ ବିମାନ ଭଡ଼ା, ଅନଲାଇନ୍ ସବସ୍କ୍ରିପସନ, ଇ-କମର୍ସ ସପିଂ, ଗ୍ରାମୀଣ ଘର ଭଡ଼ ଏବଂ ବିଦ୍ୟୁତ୍ ମୂଲ୍ୟ ଆଦିକୁ ନିଆଯାଇଛି।

ବେସ୍ ଇୟର କ'ଣ?

ବେସ୍ ଇୟର ହେଉଛି ସେହି ବର୍ଷ ଯାହାର ମୂଲ୍ୟକୁ ଆଧାର ଭାବରେ ବିବେଚନା କରାଯାଏ। ଅର୍ଥାତ୍, ସେହି ବର୍ଷରେ ସାମଗ୍ରୀର ହାରାହାରି ମୂଲ୍ୟକୁ ୧୦୦ ମୂଲ୍ୟ ଦିଆଯାଏ। ତା'ପରେ, ଅନ୍ୟ ବର୍ଷଗୁଡ଼ିକର ମୂଲ୍ୟକୁ ଏହି ବେସ୍ ଇୟର ସହିତ ତୁଳନା କରାଯାଏ। ଏହା ମୁଦ୍ରାସ୍ଫୀତି ବୃଦ୍ଧି କିମ୍ବା ହ୍ରାସକୁ ଦର୍ଶାଇଥାଏ।ସରକାର ସାଧାରଣତଃ ପ୍ରତି ୫ରୁ ୧୦ ବର୍ଷରେ ଏକ ବେସ୍ ଇୟର ଚୟନ କରନ୍ତୁ। ଏହା ସେହି ବର୍ଷକୁ ଧରାଯାଏ ଯେଉଁ ବର୍ଷ, କୌଣସି ମରୁଡ଼ି, କୌଣସି ମହାମାରୀ କିମ୍ବା ଉଚ୍ଚ ମୁଦ୍ରାସ୍ଫୀତି ନଥାଏ।