ନୂଆଦିଲ୍ଲୀ: ଇଣ୍ଟରନେଟ୍ ଦୁନିଆରେ ଶିଶୁମାନଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଭାରତ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଫେସବୁକ୍, ଇନ୍ଷ୍ଟାଗ୍ରାମ୍ ଓ ହ୍ୱାଟ୍ସଆପ୍ର ମଦର କମ୍ପାନୀ 'ମେଟା' ଶିଶୁ ଯୌନ ଶୋଷଣ ଓ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ମାମଲାକୁ ସିଧାସଳଖ ଭାରତର ସାଇବର କ୍ରାଇମ୍ ପୋର୍ଟାଲକୁ ରିପୋର୍ଟ କରିବାକୁ ସମ୍ମତି ଜଣାଇଛି।

ମେଟା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅନଲାଇନ୍ ଶିଶୁ ଶୋଷଣ ଓ ଏହା ସହ ଜଡ଼ିତ ଅପରାଧକୁ ରୋକିବା ପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ। ଗୃହ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ 'ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର' (I4C) ର ସାଇବର କ୍ରାଇମ୍ ପୋର୍ଟାଲରେ ଏହିସବୁ ମାମଲାର ତଥ୍ୟ ସିଧାସଳଖ ଦାଖଲ କରାଯିବ। ଏହାଦ୍ୱାରା ଦୋଷୀଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଆରକ୍ଷୀ ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସହଜ ହେବ।

Also Read: IAS ଅଫିସର ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ମହିଳା, ଗୋଟିଏ ‘ରିଲ୍’ ଖୋଲିଦେଲା ଗୁମର

ସରକାରଙ୍କ କଡ଼ା ଆଭିମୁଖ୍ୟ

ଭାରତରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକର ସଞ୍ଚାଳନ ପାଇଁ ଶିଶୁମାନଙ୍କ ଅନଲାଇନ୍ ସୁରକ୍ଷା ଏକ ମୌଳିକ ଓ ଅପରିବର୍ତ୍ତନୀୟ (Non-negotiable) ସର୍ତ୍ତ ବୋଲି ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ମେଟା ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ ବିଜ୍ଞାପନ ପ୍ରସାରିତ ହେଉଥିବା ଅଭିଯୋଗରେ ରାଷ୍ଟ୍ରୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ମେଟା ଇଣ୍ଡିଆର ପ୍ରବନ୍ଧ ନିର୍ଦ୍ଦେଶକଙ୍କୁ ସମନ୍ ଜାରି କରିଥିଲେ। ଏହା ପରେ ସେପ୍ଟେମ୍ବର ୯ରେ ମେଟା ପ୍ରତିନିଧିମାନେ ଆୟୋଗ ସମ୍ମୁଖରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ।

ବିଶ୍ୱବ୍ୟାପୀ ଶିଶୁ ସୁରକ୍ଷା ନିୟମ କଡ଼ାକଡ଼ି

କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱରେ ସୋସିଆଲ୍ ମିଡିଆ କମ୍ପାନୀଗୁଡ଼ିକ ଉପରେ କଟକଣା ଜାରି ହେଉଛି। ଆମେରିକାରେ କୋମଳମତି ଶିଶୁ ଓ କିଶୋରଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବା ଅଭିଯୋଗରେ ମେଟା ୨୯ଟି ଆମେରିକୀୟ ରାଜ୍ୟ ସହ ୧୬.୬୮ ବିଲିୟନ୍ ଡଲାରର ଚୁକ୍ତି କରିବା ସହ ସୁରକ୍ଷା ନିୟମ ବଦଳାଇବାକୁ ରାଜି ହୋଇଛି।

Also Read: ୨ ହଜାର ଯାଏଁ UPI ପେମେଣ୍ଟରେ ଲାଗିବନି ଚାର୍ଜ, ସ୍ପଷ୍ଟ କଲେ କେନ୍ଦ୍ର ସରକାର

ଅଷ୍ଟ୍ରେଲିଆରେ ୧୬ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଅଷ୍ଟ୍ରେଲିଆ ସରକାର କଟକଣା ଲଗାଇସାରିଛନ୍ତି। ୟୁରୋପୀୟ ୟୁନିଅନ୍ ପକ୍ଷରୁ 'EU Kids Act' ଆଣିବାକୁ ପ୍ରସ୍ତୁତି ଚାଲିଛି, ଯେଉଁଥିରେ ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ, AI ଚାଟବୋଟ୍ ଓ ଅନଲାଇନ୍ ଗେମ୍ସର ବ୍ୟବହାରକୁ ନିୟନ୍ତ୍ରିତ କରାଯିବ।