ନୂଆଦିଲ୍ଲୀ, ୦୩/୦୬ : ମଧ୍ୟପ୍ରାଚ୍ୟରେ ଚାଲିଛି ଭୟଙ୍କର ଲଢେଇ । ଆମେରିକା-ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଘମାଘୋଟ ଯୁଦ୍ଧ । କେହି କାହାରିକୁ ଛାଡିବାକୁ ନାରାଜ୍ । ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି ଆମେରିକା । ତେହେରାନ ମଧ୍ୟ ୟୁଏସ ସେନା ବେସ୍ ଉପରେ ଆଟାକ୍ କରୁଛି । ଫଳରେ ସାରା ବିଶ୍ୱର ଅର୍ଥନୀତି ଉପରେ ଏହାର ପ୍ରଭାବ ପଡୁଛି । ଭାରତୀୟ ଅର୍ଥବ୍ୟବସ୍ଥାରେ ମଧ୍ୟ ଏହାର ପ୍ରଭାବ ପଡିଛି । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି । ତେବେ ଟଙ୍କାକୁ ଶକ୍ତ କରିବା ପାଇଁ ଆରବିଆଇ ଏକ ବଡ ପଦକ୍ଷେପ ନେଇଛି ।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରାୟ ୧୨ ବିଲିୟନ ଡଲାରର ସୁନା ବିକ୍ରି କରିଛି । ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷା ଦେବା ପାଇଁ ଆରବିଆଇ ଏପରି ପଦକ୍ଷେପ ନେଇଛି । ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ବିଦେଶୀ ଭଣ୍ଡାରରେ ପ୍ରାୟ ୮୮୦.୫୨ ଟନ୍ ସୁନା ଗଚ୍ଛିତ ରଖିଥିଲା । ଏହାମଧ୍ୟରୁ ୬୬ ପ୍ରତିଶତ ସୁନା ଭାରତରେ ହିଁ ରହିଥିଲା । ବଳକା ସୁନା ବ୍ୟାଙ୍କ୍ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ୍ ଫର୍ ସେଟେଲମେଣ୍ଟରେ ଅଛି ।

ତେବେ ବ୍ଲୁମବର୍ଗର ଖବର ଏବଂ ରିପୋର୍ଟକୁ ସରକାର ଖଣ୍ଡନ କରିଛନ୍ତି । ଏଥିରେ କୌଣସି ସତ୍ୟତା ନଥିବା ସରକାର କହିଛନ୍ତି । ଆରବିଆଇ ପ୍ରକାଶ କରିଛି ଯେ, ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାର ସେପ୍ଟେମ୍ବରରୁ ୨୦୨୬ ମାର୍ଚ୍ଚ ୩୧ ମଧ୍ୟରେ ୧୬.୭୦ ପ୍ରତିଶତ ବୃଦ୍ଧି ପାଇଥିଲା । ମେ ୨୨ ସୁଦ୍ଧା ଏଥିରେ ୧୬.୮୫ ପ୍ରତିଶତ ବୃଦ୍ଧି ହୋଇଥିଲା ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଆରବିଆଇ ନିୟମିତ ଭାବେ କେତେ ପରିମାଣର ସୁନା ଗଚ୍ଛିତ ଅଛି ସେନେଇ ତଥ୍ୟ ପ୍ରକାଶ କରିଥାଏ । ଏବେସୁଦ୍ଧା ଆରବିଆଇ ପାଖରେ ପୂର୍ବରୁ ଯେତେ ସୁନା ଗଚ୍ଛିତ ଥିଲା ସମାନ ସୁନା ରହିଛି । କୌଣସି ପରିବର୍ତ୍ତନ ହୋଇନାହିଁ । ଜନତା କେବଳ ଆରବିଆଇର ତଥ୍ୟ ଉପରେ ଭରସା କରିବାକୁ ସରକାର କହିଛନ୍ତି ।

ସୂଚନାଯୋଗ୍ୟ, ଗତ ମାସରେ ନୀତି ଆୟୋଗର ଉପ ସଭାପତି ଅରବିନ୍ଦ ପାନାଗରିୟା କହିଥିଲେ ଯେ ଆରବିଆଇ ଟଙ୍କାର ପତନକୁ ସେତେ ଧ୍ୟାନ ଦେବା ଦରକାର ନାହିଁ । ଦେଶରେ ଦରବୃଦ୍ଧି ହାର ସାଧାରଣ ରହିଛି । ସେପରି କିଛି ଅସୁବିଧା ନାହିଁ । ଯଦି ଡଲାର ତୁଳନାରେ ଟଙ୍କା ୧୦୦ ଛୁଉଁଛି ତେବେ ଆରବିଆଇ ବ୍ୟସ୍ତ ହେବା ଉଚିତ ନୁହେଁ ବୋଲି ସେ ପ୍ରକାଶ କରିଥିଲେ ।