ଭୁବନେଶ୍ୱର, ୨୭/୦୮ : କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରାଳୟର ନୂଆ ନୀତି ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲିଦେବାକୁ ଯାଉଛି। ଏହି ନୂଆ ନିୟମରେ ସାଧାରଣ ଲୋକ ଶୋଷଣ ହେବା ସାର ହେବ ଓ କିଛି ଗାଡ଼ି ଉତ୍ପାଦନକାରୀ କମ୍ପାନୀ ମାଲେମାଲ୍ ହେବେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି। ଗାଡ଼ି ପୃଥକୀକରଣ ବା ଭେଇକିଲ୍ କ୍ଲାସିଫିକେସନ୍ ନୀତିରେ କାଗଜପତ୍ର ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇ ଦିଆଯିବ। ଇତିମଧ୍ୟରେ କେବଳ ଓଡ଼ିଶାରେ ୨୦ଲକ୍ଷ ଗାଡ଼ି ସ୍ଥାୟୀ ଭାବେ ଆରକାଇଭ୍ ଚାଲିଗଲାଣି। ଅର୍ଥାତ ଏହି ୨୦ଲକ୍ଷ ଗାଡ଼ିର ଆରସି (ପଞ୍ଜୀକରଣ ସାର୍ଟିଫିକେଟ୍) ବାତିଲ କରିଦିଆଯାଇଛି। ଫଳରେ ଏହି ଗାଡ଼ି ରାସ୍ତାରେ ଚାଲିବା ପାଇଁ ଆଉ ବୈଧ ହୋଇନାହିଁ ।

Also Read :- ନେପାଳ ବନ୍ୟା : ଏବେସୁଦ୍ଧା ୧୫୭ ମୃତ, ୧୦୦୦ ନିଖୋଜ, ଶତାଧିକ ଭାରତୀୟଙ୍କ ମିଳୁନି ପତ୍ତା

କିନ୍ତୁ ସାଂଘାତିକ କଥା ହେଉଛି, ଗାଡ଼ି ଗୁଡ଼ିକର ପଞ୍ଜୀକରଣକୁ ସ୍ଥାୟୀ ଭାବେ ବାତିଲ୍ କରି ଦିଆଯାଉଥିଲାବେଳେ ଏ ସମ୍ପର୍କରେ ଗାଡ଼ି ମାଲିକମାନେ କିଛି ବି ଜାଣିପାରୁନାହାନ୍ତି। ସେମାନଙ୍କୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ଗାଡ଼ି ମାଲିକଙ୍କ ଅଜ୍ଞାତରେ ସେମାନଙ୍କ ଗାଡ଼ି ଆଉ ଚାଲିବା ଯୋଗ୍ୟ ନାହିଁ। ଯେତେବେଳେ ଯାଞ୍ଚ୍ ବେଳେ ଏହି ଗାଡ଼ି ଧରାପଡ଼ିବ ସେତେବେଳେ ଗାଡ଼ି ମାଲିକମାନେ ଜାଣିବେ ଯେ, ସେମାନଙ୍କ ଗାଡ଼ିର ଆରସି ବାତିଲ୍ ହୋଇସାରିଛି। ସେତେବେଳେ ସେମାନେ ଜରିମାନା ଗଣିବେ। ପୁରୁଣା ଗାଡ଼ିର କାଗଜପତ୍ର ନବୀକରଣ କରିବା ସହଜ ହେବ ନାହିଁ। ଫଳରେ ସେମାନେ ନୂଆ ଗାଡ଼ି କିଣିବା ପାଇଁ ବାଧ୍ୟ ହେବେ। ତେଣୁ ଏଭଳି ନିୟମ ଦ୍ବାରା ଗାଡ଼ି ତିଆରି କରୁଥିବା କମ୍ପାନୀ ଲାଭବାନ ହେବେ ଓ ଲୋକେ ଖର୍ଚ୍ଚାନ୍ତରେ ପଡ଼ିବେ ବୋଲି ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ରାଜ୍ୟରେ ଆଉ ୩୦ଲକ୍ଷ ଗାଡ଼ି ବର୍ତ୍ତମାନ ଅସ୍ଥାୟୀ ଆରକାଇଭକୁ ଚାଲିଗଲେଣି। ଅର୍ଥାତ ଏହି ସବୁ ଗାଡ଼ିର ମାଲିକ ଯଦି ବର୍ଷେ ଦୁଇବର୍ଷ ମଧ୍ୟରେ ଯଦି ସେମାନଙ୍କ ଡକ୍ୟୁମେଣ୍ଟ୍ର ନବୀକରଣ ନକରନ୍ତି ସେମାନଙ୍କ ଆରସି ବାତିଲ କରିଦିଆଯିବ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଉଭୟ ଘରୋଇ ଏବଂ ବାଣିଜ୍ୟିକ ଗାଡ଼ି ସଂଖ୍ୟା ପ୍ରାୟ ୧ କୋଟି ୧୦ ଲକ୍ଷ। ବାଣିଜ୍ୟିକ ଗାଡ଼ିର ପ୍ରାୟ କାଗଜପତ୍ର ଠିକ୍ ରହିଥାଏ । କାରଣ ବ୍ୟବସାୟିକ ବ୍ୟବହାର କାରଣରୁ ସେମାନେ ରାସ୍ତାକୁ ଆସିଲେ ଗାଡ଼ିର କାଗଜପତ୍ର ପ୍ରାୟ ଠିକ୍ ରଖିବାକୁ ଚେଷ୍ଟା କରନ୍ତି। ଯେଉଁମାନେ କାଗଜପତ୍ର ଦେଖାଇ ନପାରନ୍ତି ସେମାନଙ୍କୁ ଜରିମାନା ଆଦିର ସାମ୍ନା କରିବାକୁ ପଡ଼େ । ତଥାପି ରାଜ୍ୟରେ ୩୦% ବାଣିଜ୍ୟିକ ଗାଡ଼ିର କାଗଜପତ୍ର ନାହିଁ। କିନ୍ତୁ ବହୁ ଘରୋଇ ଗାଡ଼ି ବିନା କାଗଜପତ୍ରରେ ଚାଲୁଛନ୍ତି। କାହାର ଇନସ୍ୟୁରାନ୍ସ ନଥାଏ ତ ଆଉ କାହାର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ନଥାଏ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୧ କୋଟି ୧୦ ଲକ୍ଷ ଗାଡ଼ି ଭିତରୁ ମାତ୍ର ୪୦ଲକ୍ଷ ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ରହିଛି। ବାକି ସବୁ ଗାଡ଼ିରେ କିଛି ନା କିଛି ଡକ୍ୟୁମେଣ୍ଟ ତ୍ରୁଟି ରହିଛି। କେବଳ ୬୫ଲକ୍ଷ ଗାଡ଼ିର ଇନସ୍ୟୁରାନ୍ସ ନଥିବା ଜଣାପଡ଼ିଛି। ବହୁ ଗାଡ଼ିମାଲିକ ସେମାନଙ୍କ ଗାଡ଼ି ପଞ୍ଜୀକରଣ ଅବଧୂ ୧୫ବର୍ଷ ପୂରଣ ହୋଇଗଲା ପରେ ଆଉ ନବୀକରଣ ବା ରିନ୍ୟୁ କରୁନାହାନ୍ତି।

ଗାଡ଼ି ପୃଥକୀକରଣ ନୀତି ବା ଭେଇକିଲ୍ କ୍ଳାସିଫିକେସନ୍ ନୀତି ଆଣିଛନ୍ତି କେନ୍ଦ୍ର ସରକାର। ଏହି ନୀତି ଅନୁସାରେ ଗାଡ଼ିଗୁଡ଼ିକୁ ଏହାର ସ୍ଥିତି ତଥା କଣ୍ଡିସନ୍ ଆଧାରରେ ଚାରିଟି ଭାଗରେ ବିଭକ୍ତ କରାଯାଇଛି। ଅର୍ଥାତ ଗାଡ଼ିର କାଗଜପତ୍ର ସ୍ଥିତି ଆଧାରରେ ସେଗୁଡ଼ିକର ବର୍ଗୀକରଣ କରାଯାଉଛି। କେନ୍ଦ୍ର ସରକାରଙ୍କ ଏହି ଜନମାରଣ ନୀତିକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ପ୍ରାଧିକରଣର ଅତିରିକ୍ତ କମିସନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି ଯେ, ଏହା କେନ୍ଦ୍ର ସରକାରଙ୍କ ନିୟମ। ଏଥିରେ ରାଜ୍ୟ ପରିବହନ ବିଭାଗର କୌଣସି କ୍ଷମତା ନାହିଁ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ବାହାନ ଡାଟାବେସରୁ ପ୍ରତ୍ୟେକ ଗାଡ଼ିର ତଥ୍ୟ ନିଆଯାଇ ଉକ୍ତ ଗାଡ଼ିର କେଉଁ ଡକ୍ୟୁମେଣ୍ଟର କେବେ ଅବଧି ଶେଷ ହୋଇଛି ଏବଂ କେତେବର୍ଷ ଧରି ଉକ୍ତ ଡକ୍ୟୁମେଣ୍ଟର ନବୀକରଣ କରାଯାଇ ନାହିଁ ତାହା ଯାଞ୍ଚ୍ କରାଯାଉଛି। ଏହି ଯାଞ୍ଚ୍ ପରେ କେଉଁ ଗାଡ଼ି ସ୍ଥାୟୀ ଆରକାଇଭକୁ ଯିବ ଏବଂ କେଉଁ ଗାଡ଼ି ଅସ୍ଥାୟୀ ଆରକାଇଭକୁ ଯିବ ତାହା ସେମାନେ ସ୍ଥିର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆମେ ରାଜ୍ୟର ଜନସାଧାରଣଙ୍କୁ ଅନୁରୋଧ କରୁଛି କି’ କାର୍ଯ୍ୟାନୁଷ୍ଠାନ ନିଆଯିବା ପୂର୍ବରୁ ସେମାନେ ନିଜନିଜ ଗାଡ଼ିର କାଗଜପତ୍ର ଠିକ୍ କରାଇନିଅନ୍ତୁ ।