• ପାରସ୍ପରିକ ସହମତିରେ ଗଢା ସମ୍ପର୍କ ଯଦି ପରେ ଭାଙ୍ଗି ଯାଏ ଓ ପ୍ରେମୀ ବିବାହ କରିବାକୁ ମନା କରିଦିଅନ୍ତି ତେବେ ଏହାକୁ ନିଜକୁ ନିଜେ ଆତ୍ମହତ୍ୟା ଲାଗି ଉସକାଇବା ମନେ କରାଯାଇ ପାରିବନି
  • ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜେ.ବି. ପାରଦିୱାଲା ଓ ଜଷ୍ଟିସ୍ କେ.ବିନୋଦ ଚନ୍ଦ୍ରନଙ୍କ ବେଞ୍ଚ ତେଲେଙ୍ଗାନାର ମେଡଚଲ-ମଲକାଜାଗିରୀ ଜିଲ୍ଲା କୋର୍ଟରେ ପେଣ୍ଡିଂ ମାମଲାକୁ ଖାରଜ କରିଦେଇଛନ୍ତି
  • ‘ପ୍ରତ୍ୟେକ ମଣିଷର ବିଭିନ୍ନ ପରିସ୍ଥିତିରେ ଅଲଗା ଅଲଗା ରିଆକ୍ସନ ହୋଇଥାଏ’। ଯଦି ବ୍ରେକଅପ ପରେ କୌଣସି ବ୍ୟକ୍ତି ଆତ୍ମହତ୍ୟା କରି ଦିଅନ୍ତି ତେବେ ଏହାକୁ ‘ଆତ୍ମହତ୍ୟା ପାଇଁ ଉସକାଇବା’ କୁହାଯାଇ ପାରିବନି।

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ଗୁରୁବାର ଏକ ମାମଲାର ଶୁଣାଣିରେ କହିଛନ୍ତି ଯେ ପାରସ୍ପରିକ ସହମତିରେ ଗଢା ସମ୍ପର୍କ ଯଦି ପରେ ଭାଙ୍ଗି ଯାଏ ଓ ପ୍ରେମୀ ବିବାହ କରିବାକୁ ମନା କରିଦିଅନ୍ତି ତେବେ ଏହାକୁ ନିଜକୁ ନିଜେ ଆତ୍ମହତ୍ୟା ଲାଗି ଉସକାଇବା ମନେ କରାଯାଇ ପାରିବନି। ଏହି ଟିପ୍ପଣୀ ସହିତ ଶୀର୍ଷ ନ୍ୟାୟାଳୟ ଜନୈକ ମହିଳାଙ୍କୁ ଆତ୍ମହତ୍ୟା ଲାଗି ଉସକାଇବା ଅଭିଯୋଗରେ ୬ଜଣଙ୍କ ବିରୋଧରେ ଚାଲିଥିବା ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜେ.ବି. ପାରଦିୱାଲା ଓ ଜଷ୍ଟିସ୍ କେ.ବିନୋଦ ଚନ୍ଦ୍ରନଙ୍କ ବେଞ୍ଚ ତେଲେଙ୍ଗାନାର ମେଡଚଲ-ମଲକାଜାଗିରୀ ଜିଲ୍ଲା କୋର୍ଟରେ ପେଣ୍ଡିଂ ମାମଲାକୁ ଖାରଜ କରିଦେଇଛନ୍ତି। କହିଛନ୍ତି ରେକର୍ଡରେ ଏପରି କୌଣସି ପ୍ରମାଣ ଅଥବା ସାମଗ୍ରୀ ମିଳିନି ଯେଉଁଥିରୁ ଅଭିଯୁକ୍ତମାନେ ମହିଳାଙ୍କୁ ଆତ୍ମହତ୍ୟା ଲାଗି ବାଧ୍ୟ କରିଥିଲେ ଅଥବା ଉସକାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ପୁରା ମାମଲା ଜନୈକା ମହିଳାଙ୍କ ଆତ୍ମହତ୍ୟ ସହ ସମ୍ପର୍କିତ, ଯିଏ ନିଜ ପ୍ରେମିଙ୍କ ସହିତ ପାଖାପାଖି ୩ ମାସ ଲିଭ-ଇନ୍ ରେ ଥିଲେ। ମୃତ ମହିଳାଙ୍କ ଭାଇ ଓ ଭଉଣୀ ଅଭିଯୋଗ କରିଥିଲେ ଯେ ପ୍ରେମୀକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଏହାପରେ ମହିଳା ଭୟାନକ ପଦକ୍ଷେପ ନେଇଥିଲେ।

ମୃତ ମହିଳାଙ୍କ ଭଉଣୀ ଏ ନେଇ ଏତଲା ରୁଜୁ କରିଥିଲେ। ପ୍ରସିକ୍ୟୁସନ ଓକିଲଙ୍କ ଅନୁସାରେ ଉଭୟଙ୍କ ସମ୍ପର୍କ ପାରସ୍ପରିକ ସହମତି ଭିତ୍ତିରେ ଥିଲା। ଏହାବି ଅଭିଯୋଗ ଥିଲା ଯେ ପ୍ରେମିକଙ୍କ ଜନୈକ ବନ୍ଧୁ ମହିଳାଙ୍କ ସମ୍ପର୍କରେ ଅସଭ୍ୟ ମନ୍ତବ୍ୟ ଦେଇଥିଲେ ଓ ତାଙ୍କ ପରିବାର ଲୋକେ ଏହି ସମ୍ପର୍କକୁ ବିରୋଧ କରୁଥିଲେ। ଏହାମଧ୍ୟ କୁହାଯାଇଥିଲା ଯେ ସେମାନଙ୍କ ଏହି ବିବାହ ହେଲେ ଯୁବତୀଙ୍କ ଭଉଣୀ ବିବାହରେ ଅସୁବିଧା ହେଉଥିଲା। ଏଣୁ ସେମାନଙ୍କ ସମ୍ପର୍କ ଉପରେ ଚାପ ବଢି ଯାଇଥିଲା।

ମାମଲାର ଶୁଣାଣିରେ କୋର୍ଟ ଜାଣିବାକୁ ପାଇଛନ୍ତି ଯେ ଯୁବତୀ ଆତ୍ମହତ୍ୟା କରିବାର ଠିକ୍ ପୂର୍ବରୁ ତାଙ୍କ ବଡ଼ ଭଉଣୀଙ୍କୁ ଫୋନ କରିଥିଲେ। କହିଥିଲେ ତାଙ୍କ ପ୍ରେମିକ ବିବାହ କରିବାକୁ ମନା କରିଦେଇଛନ୍ତି। ହେଲେ କୋର୍ଟ କହିଛନ୍ତି ଯେ ତାଙ୍କୁ ଅଭିଯୁକ୍ତ ଆତ୍ମହତ୍ୟା ଲାଗି ଉସକାଇଥିବା ଏଥିରୁ ପ୍ରମାଣିତ ହେଉ ନାହିଁ। କୋର୍ଟ କହିଛନ୍ତି ଯେ ଏହା ଉଦ୍ଦେଶ୍ୟମୂଳକ ନଥିଲା ଓ ଏହାକୁ ଆତ୍ମହତ୍ୟା ପାଇଁ ଉସକାଇବା କୁହାଯାଇ ପାରିବନି। ଏହା ସହିତ ମାମଲାରେ ସୁପ୍ରିମକୋର୍ଟ ଅତ୍ୟନ୍ତ ସମ୍ବେଦନଶୀଳ ଟିପ୍ପଣୀ କରି କହିଛନ୍ତି ଯେ ‘ପ୍ରତ୍ୟେକ ମଣିଷର ବିଭିନ୍ନ ପରିସ୍ଥିତିରେ ଅଲଗା ଅଲଗା ରିଆକ୍ସନ ହୋଇଥାଏ’। ଯଦି ବ୍ରେକଅପ ପରେ କୌଣସି ବ୍ୟକ୍ତି ଆତ୍ମହତ୍ୟା କରି ଦିଅନ୍ତି ତେବେ ଏହାକୁ ‘ଆତ୍ମହତ୍ୟା ପାଇଁ ଉସକାଇବା’ କୁହାଯାଇ ପାରିବନି।