ନୂଆଦିଲ୍ଲୀ: ଗତବର୍ଷ ଲାଲକିଲ୍ଲା ନିକଟରେ କାର୍ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଚାର୍ଜସିଟରେ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି । ଆତଙ୍କବାଦୀ ଡାକ୍ତର ଉମର ଉନ୍ ନବୀ ପରିସ୍ରାରୁ ୟୁରିଆ ବାହାର କରି ବୋମା କରିଥିବା ଏନଆଇଏ ନିଜ ଚାର୍ଜସିଟରେ ଦାବି କରିଛି । ଏହାରି ଭିତରେ ଚାର୍ଜସିଟରେ ଆଉ ଏକ ଚାଞ୍ଚଲ୍ୟକାର ଦାବି କରାଯାଇଛି ।

ଚାର୍ଜସିଟ୍ ଅନୁଯାୟୀ, ଆତ୍ମଘାତୀ ଆତଙ୍କବାଦୀର ପ୍ରଥମ ଲକ୍ଷ୍ୟ 'ଲାଲ ମନ୍ଦିର' ଥିଲା, କିନ୍ତୁ ସେଣ୍ଟ୍ରାଲ ଦିଲ୍ଲୀର ଟ୍ରାଫିକ୍ ଯୋଗୁଁ ଶେଷ ମୁହୂର୍ତ୍ତରେ ଯୋଜନା ବଦଳାଇବାକୁ ପଡ଼ିଥିଲା । ଏହି  ଆତ୍ମଘାତୀ ବିସ୍ଫୋରଣ ପଛର ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ପାଇଁ ଏନଆଇଏ ତାର ଗତିବିଧିର ମ୍ୟାପିଂ କରିଥିଲା । ସନ୍ଧ୍ୟା ପ୍ରାୟ ୬ଟା ୩୭ ମିନିଟରେ ନବୀ ସୁନହରୀ ମସଜିଦ୍ ପାର୍କିଂରୁ ବାହାରିଥିଲା । ସେ କାର୍ ଚଳାଇ ଲାଲ ମନ୍ଦିର ନିକଟରେ ପାର୍କିଂ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଅଧିକ ଟ୍ରାଫିକ୍ ଏବଂ ପୋଲିସର ଉପସ୍ଥିତି ଯୋଗୁଁ ସେ ୟୁ-ଟର୍ଣ୍ଣ ନେଇ ଲାଲକିଲ୍ଲା ଆଡ଼କୁ ଚାଲିଯାଇଥିଲା । ଏହାର କିଛି ମିନିଟ୍ ପରେ, ଅର୍ଥାତ୍ ସନ୍ଧ୍ୟା ୬ଟା ୫୦ ମିନିଟରେ ବିସ୍ଫୋରଣ ଘଟିଥିଲା ।

ଏନଆଇଏର ପୂର୍ବ ତଦନ୍ତରୁ ଜଣାପଡ଼ିଥିଲା ଯେ, ୨୦୨୩ରୁ ୨୦୨୫ ମଧ୍ୟରେ ନବୀ ୧୨ଥର ଲାଲକିଲ୍ଲା ଗସ୍ତ କରିଥିଲା । ବିସ୍ଫୋରଣର ୬ ମାସ ପୂର୍ବରୁ (ମେ ୧ ତାରିଖରେ) ସେ ଶେଷ ଥର ପାଇଁ ସେଠାକୁ ଯାଇଥିଲା । ଏହି ଗସ୍ତଗୁଡ଼ିକ କେବଳ ବୁଲାବୁଲି ପାଇଁ ନଥିଲା, ବରଂ ବିସ୍ଫୋରଣ ଯୋଜନା ପାଇଁ କରାଯାଇଥିବା 'ରେକି' ଥିଲା ବୋଲି ସଂସ୍ଥା ସନ୍ଦେହ କରୁଛି ।

Also Read:ବୋମା ତିଆରି ପାଇଁ ‘ପରିସ୍ରା’ ରଖୁଥିଲା ଉମର, ଲାଲକିଲ୍ଲା ବ୍ଲାଷ୍ଟ ମାମଲାରେ ଚାଞ୍ଚଲ୍ୟକର ଖୁଲାସା

ଡିଜିଟାଲ୍ ଟ୍ରାକିଂରୁ ବଞ୍ଚିବା ପାଇଁ ଏହି ଗସ୍ତଗୁଡ଼ିକ ସମୟରେ ନବୀ ଏବଂ ତାର ସହଯୋଗୀମାନେ ନିଜ ନିଜର ମୋବାଇଲ୍ ଫୋନ୍ ବନ୍ଦ ରଖୁଥିଲେ । ୧୦ ନଭେମ୍ବର ୨୦୨୫ରେ ହୋଇଥିବା ଏହି ବିସ୍ଫୋରଣରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଲୋକ ଆହାତ ହୋଇଥିଲେ । ଜଣେ ପଡ଼ୋଶୀ ସାକ୍ଷୀଙ୍କ କହିବା ଅନୁଯାୟୀ, ବିସ୍ଫୋରଣର ଗୋଟିଏ ଦିନ ପୂର୍ବ ପର୍ଯ୍ୟନ୍ତ ଏହି ନବୀ, ନୁହଠାରେ ପ୍ରାୟ ୧୧ ଦିନ ଧରି ଏକ ଭଡ଼ା ଘରେ ରହୁଥିଲା । ସେହିଠାରେ ହିଁ ସେ ବୋମା ତିଆରି କରିଥିବା ଅଭିଯୋଗ ହୋଇଛି ।