ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଏନ୍ଆଇଏ ଚାର୍ଜସିଟରୁ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଆତଙ୍କବାଦୀ ଉମର ଉନ୍-ନବୀ ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା । ସେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିଥିଲା । ଉମର-ଉନ୍-ନବୀ, ନୁହ୍ ଠାରେ ଲୁଚି ରହିଥିବା ରୁମ୍‌ରେ ନିଜ ପରିସ୍ରାକୁ ଗୋଟିଏ ପଲିଥିନ୍ ବ୍ୟାଗ୍‌ରେ ଜମା କରି ରଖୁଥିଲା । ଏନଆଇଏର ଚାର୍ଜସିଟ୍ ଅନୁଯାୟୀ, ଘରମାଲିକାଣୀ ଦୁର୍ଗନ୍ଧ ବାହାରୁଥିବା ନେଇ ନିଜ ସ୍ୱାମୀଙ୍କ ନିକଟରେ ଅଭିଯୋଗ କରିବା ପରେ ଏହି କଥା ସାମ୍ନାକୁ ଆସିଥିଲା ।

ଚାର୍ଜସିଟ୍ରେ କୁହାଯାଇଛି, "ସେ ପରିସ୍ରାକୁ ନଷ୍ଟ କରିବା ପାଇଁ ବାହାରକୁ ଯାଉନଥିଲା, ଯାହା ଫଳରେ ରୁମ୍ରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା ଏବଂ ସେହି ମହିଳାଜଣକ ନିଜ ସ୍ୱାମୀଙ୍କ ନିକଟରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଥିଲେ ।" ଏନଆଇଏ କହିଛି ଯେ ଅଭିଯୁକ୍ତର ପେନଡ୍ରାଇଭରୁ ମିଳିଥିବା ଗୋଟିଏ ପିଡିଏଫ୍ ଫାଇଲରେ ୟୁରିଆ ନାଇଟ୍ରେଟ୍ ବ୍ୟବହାର କରି ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ କରିବାର ପ୍ରଣାଳୀ ରହିଛି । ସେଥିରେ ୟୁରିଆର ବିକଳ୍ପ ଉତ୍ସ ଭାବରେ 'ପରିସ୍ରାରୁ ୟୁରିଆ ବାହାର କରିବା' ବିଷୟରେ ଉଲ୍ଲେଖ କରାଯାଇଛି ।

ଏନଆଇଏ ଅଭିଯୋଗ କରିଛି ଯେ, ନଭେମ୍ବର ୨୦୨୫ରେ ଲାଲକିଲ୍ଲା କାର୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ନବୀ, ଅନସାର୍ ଗଜୱାତ-ଉଲ୍-ହିନ୍ଦ ଆତଙ୍କବାଦୀ ମଡ୍ୟୁଲର ମାଷ୍ଟରମାଇଣ୍ଡ ଏବଂ ଅପରେସନାଲ୍ ଇନ୍-ଚାର୍ଜ ଥିଲା । ଚାର୍ଜସିଟ୍ ଅନୁଯାୟୀ, 'ପିଣ୍ଡା' ଏବଂ 'ରାହୁଲ ଭଟ୍ଟ' ନାମରେ ମଧ୍ୟ ପରିଚିତ ନବୀ, ୨୦୨୨ ପ୍ରାରମ୍ଭରୁ ଏହି ନିଷ୍କ୍ରିୟ ମଡ୍ୟୁଲ୍କୁ ପୁନର୍ଜୀବିତ କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କଟ୍ଟରପନ୍ଥୀଙ୍କ ଏକ ନେଟୱାର୍କ ଗଢ଼ିବା ପାଇଁ କାମ କରୁଥିଲା ।

ସଂସ୍ଥା କହିଛି ଯେ, ୧୦ ନଭେମ୍ବର ୨୦୨୫ରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ହୋଇଥିବା ଗାଡ଼ିଟିକୁ ଏକ ଭେହିକିଲ୍-ବୋର୍ଣ୍ଣ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସରେ ପରିଣତ କରାଯାଇଥିଲା । ଚାର୍ଜସିଟ୍ ଅନୁଯାୟୀ, ନବୀ ଏବଂ ଅନ୍ୟ ଜଣେ ସହ-ଅଭିଯୁକ୍ତ ଏକ ପୁରୁଣା କାର୍ କିଣିଥିଲେ । ବିସ୍ଫୋରଣ ସମୟରେ ନବୀ ଗାଡ଼ି ଭିତରେ ଥିଲା ବୋଲି ଚାର୍ଜସିଟରେ ଦର୍ଶାଯାଇଛି । ବିସ୍ଫୋରଣ ସ୍ଥଳରୁ ଜବତ ସାମଗ୍ରୀର ଡିଏନଏ ପରୀକ୍ଷାରୁ ତା’ର ପରିଚୟ ସ୍ପଷ୍ଟ ହୋଇଥିଲା ।