ନୂଆଦିଲ୍ଲୀ ୧୭।୦୯; ଇଟା ନୁହେଁ... ସିମେଣ୍ଟ ନୁହେଁ... ଘରର କାନ୍ଥରେ ଲାଗିଛି ହଜାର ହଜାର ପ୍ଲାଷ୍ଟିକ୍ ବୋତଲ! ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏହା ପୁରାପୁରି ସତ। ବାଂଲାଦେଶର ଏକ ଦମ୍ପତି ପ୍ରାୟ ୮୦ ହଜାର ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରି ତିଆରି କରିଛନ୍ତି ନିଜର ସ୍ୱପ୍ନର ଘର। ଭାରତ-ବାଂଲାଦେଶ ସୀମା ନିକଟର ଲାଲମୋନିରହାଟ ଜିଲ୍ଲାର ନବାଦାବାଶ ଗାଁରେ ରହିଛି ଏହି ନିଆରା ଘର। ଅବସରପ୍ରାପ୍ତ ଶିକ୍ଷକ ରାଶେଦୁଲ ଇସଲାମ ଏବଂ ତାଙ୍କ ପତ୍ନୀ ଆସ୍ମା ଖାତୁନ୍ ମିଶି ଏହି ଘର ତିଆରି କରିଛନ୍ତି। ଆଉ ଏହି ଘର ଏବେ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ର। ୧୭୦୦ ବର୍ଗଫୁଟର ଏହି ଘରେ ରହିଛି ୪ଟି ବେଡ୍ରୁମ୍, ଡ୍ରଇଂ ରୁମ୍, ରୋଷେଇ ଘର, ୨ଟି ବାଥରୁମ୍ ଓ ବାରଣ୍ଡା। ତେବେ ଘରର ସବୁଠାରୁ ଚମକପ୍ରଦ ବିଶେଷତା ହେଉଛି ଏହାର ନିର୍ମାଣ ଶୈଳୀ। ପ୍ଲାଷ୍ଟିକ୍ ବୋତଲରେ ବାଲି ଭରି ସେଗୁଡ଼ିକୁ ଇଟା ବଦଳରେ କାନ୍ଥ ନିର୍ମାଣରେ ବ୍ୟବହାର କରାଯାଇଛି।

ଏମିତି ଘର ତିଆରି କରିବାର ଚିନ୍ତା ଆସିଲା କେମିତି?

ପୂର୍ବରୁ ଢାକାରେ ରହୁଥିବା ଏହି ଦମ୍ପତି ପ୍ରଦୂଷଣଠାରୁ ଦୂରେଇ ଶାନ୍ତ ପରିବେଶରେ ରହିବା ପାଇଁ ଗାଁକୁ ଫେରିଥିଲେ। ଏହି ସମୟରେ ଆସ୍ମା ଇଣ୍ଟରନେଟ୍ରେ ଜାପାନରେ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରି ଘର ନିର୍ମାଣର ଏକ ଭିଡିଓ ଦେଖିଥିଲେ। ସେହି ଭିଡିଓ ହିଁ ତାଙ୍କୁ ଏଭଳି ଘର ତିଆରି କରିବାକୁ ପ୍ରେରଣା ଦେଇଥିଲା। ସ୍ୱାମୀଙ୍କ ସହ ଆଲୋଚନା ପରେ ଆରମ୍ଭ ହୋଇଥିଲା ଏହି ଅଭିନବ ପ୍ରୟାସ। କବାଡ଼ିଆଙ୍କଠାରୁ ପ୍ରାୟ ୬୦ ହଜାର ବାଂଲାଦେଶୀ ଟଙ୍କା ଦେଇ ପ୍ଲାଷ୍ଟିକ୍ ବୋତଲ କିଣିଥିଲେ ଦମ୍ପତି। ଏହାସହ ବାଲି, ସିମେଣ୍ଟ ଓ ଅନ୍ୟ ନିର୍ମାଣ ସାମଗ୍ରୀକୁ ମିଶାଇ ଘର ତିଆରିରେ ମୋଟ ପ୍ରାୟ ୪ ଲକ୍ଷ ବାଂଲାଦେଶୀ ଟଙ୍କା ଖର୍ଚ୍ଚ ହୋଇଛି। ଆସ୍ମାଙ୍କ ଦାବି ଅନୁସାରେ, ପାରମ୍ପରିକ ଇଟାରେ ଘର ତିଆରି କରିଥିଲେ ଯେତିକି ଖର୍ଚ୍ଚ ହୋଇଥାନ୍ତା, ତା’ର ପ୍ରାୟ ଏକ ଚତୁର୍ଥାଂଶ ଅର୍ଥରେ ଏହି ଘର ତିଆରି ହୋଇଛି। ଅର୍ଥାତ୍, କମ୍ ଖର୍ଚ୍ଚରେ ଏକ ନିଆରା ଘର ତିଆରି କରିବା ସହ ପ୍ଲାଷ୍ଟିକ୍ ବର୍ଜ୍ୟର ମଧ୍ୟ ବ୍ୟବହାର କରାଯାଇଛି।

ଏହି ଘରର ମଜଭୁତିକୁ ନେଇ ମଧ୍ୟ ଆସ୍ମାଙ୍କ ଦାବି କମ୍ ଚମକପ୍ରଦ ନୁହେଁ। ତାଙ୍କ କହିବା ଅନୁସାରେ, ଇଟାରେ ତିଆରି ଘର ତୁଳନାରେ ଏହି ଘର ପ୍ରାୟ ୧୦ ଗୁଣ ଅଧିକ ମଜଭୁତ। ପ୍ଲାଷ୍ଟିକ୍ର ବର୍ଦ୍ଧିତ ବ୍ୟବହାର ଆଜି ପରିବେଶ ପାଇଁ ବଡ଼ ଚିନ୍ତାର କାରଣ। ଏଭଳି ସ୍ଥିତିରେ ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ ବୋତଲକୁ ନିର୍ମାଣ କାମରେ ବ୍ୟବହାର କରି ଏହି ଦମ୍ପତି ଦେଖାଇଛନ୍ତି ଏକ ଭିନ୍ନ ରାସ୍ତା। ଆଉ ସେହି ଭିନ୍ନ ରାସ୍ତାରେ ତିଆରି ହୋଇଥିବା ଘର ଏବେ ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟ ସହ ପ୍ରେରଣାର କାରଣ ପାଲଟିଛି।