କୋଲକାତା,|୦୬:ନିର୍ବାଚନ ହାରିବା ପରେ ତାସ୍ ଘର ଭଳି ଭାଙ୍ଗିବାରେ ଲାଗିଛି ତୃଣମୂଳ କଂଗ୍ରେସ । ଜଣଙ୍କ ପରେ ଜଣେ ଛାମୁଆ ନେତା ଦଳ ଛାଡୁଛନ୍ତି । ମମତା ବାନାର୍ଜୀଙ୍କ ଗଡ ଦୋହଲି ଯାଇଛି । ବିଶ୍ୱସ୍ତ ନେତାମାନେ ବିଦ୍ରୋହୀ ଭାବେ ଉଭା ହେଉଛନ୍ତି । ନିକଟରେ ଉତ୍ତର କୋଲକାତାର ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଏନସିଏପିରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ତାଙ୍କ ପତ୍ନୀ ମମତାଙ୍କ ସମର୍ଥନରେ ବାହାରିଛନ୍ତି ।

ଟିଏମସି ପକ୍ଷରୁ ୫ ଥର ବିଧାୟିକା ହୋଇଥିବା ନୟନା ବନ୍ଦୋପାଧ୍ୟାୟ ସ୍ୱାମୀଙ୍କ ବିଦ୍ରୋହୀ ଭୂମିକାକୁ ନାପସନ୍ଦ କରିଛନ୍ତି । ସ୍ୱାମୀ ବିଦ୍ରୋହୀ ହୋଇଥିଲେ ମଧ୍ୟ ସେ ଶେଷ ନିଶ୍ୱାସ ଯାଏଁ ମମତାଙ୍କ ସହ ରହିବା ନେଇ ଦୃଢୋକ୍ତି ବାଢିଛନ୍ତି । ନୟନା କହିଛନ୍ତି ଯେ, ସୁଦୀପ ତାଙ୍କୁ ବୁଝାଇ ପାରିବେ ନାହିଁ । ସୁଦୀପ ଟିଏମସି ଛାଡି ଦେଇଛନ୍ତି । ତାହା ତାଙ୍କର ବ୍ୟକ୍ତିଗତ ବ୍ୟାପାର । ଯେତେ କହିଲେ ବି ସ୍ୱାମୀ କଥା ମାନିନଥିଲେ । ଏବେ ସ୍ୱାମୀଙ୍କ କଥା ସେ କିଛି ବୁଝିବେ ନାହିଁ ।

ଏହାସହ ନୟନା କହିଛନ୍ତି ଯେ, ମମତା ବାନାର୍ଜୀ ମାଆ ଦୁର୍ଗାଙ୍କ ସହ ସମାନ । ସେ ମମତାଙ୍କ ସହ ଶେଷ ଯାଏଁ ରହିବେ । ସେ ନିଜ ନିଷ୍ପତ୍ତିରେ ଅଟଳ ଅଟନ୍ତି । ଯଦି ମମତା ତାଙ୍କୁ ଦଳରୁ ବିଦା କରନ୍ତି ସେ ଏକ ଅନାଥ ଶିଶୁ ଭଳି ଗଳିରେ ବୁଲିବେ ପଛେ ଅନ୍ୟ କେଉଁ ଦଳରେ ସାମିଲ ହେବେ ନାହିଁ ।

ସୁଦୀପଙ୍କ ପ୍ରତିକ୍ରିୟା

ସାମ୍ବାଦିକଙ୍କୁ ସୁଦୀପ କହିଥିଲେ ଯେ, ସେ ପତ୍ନୀଙ୍କୁ ବୁଝାଇବାରେ ବିଫଳ ହୋଇଛନ୍ତି । ଅନେକ ଉଦାହରଣ ଅଛି । ଯେଉଁଠି ପତି ଏବଂ ପତ୍ନୀ ଭିନ୍ନ ଦଳରେ ରାଜନୀତି କରୁଛନ୍ତି । ସୌଗତ ରୟ ଏବଂ ତଥାଗତ ରୟଙ୍କ କ୍ଷେତ୍ରରେ ସମାନ କଥା ଦେଖିବାକୁ ମିଳିଛି । କେରଳରେ ମଧ୍ୟ ଏପରି ଉଦାହରଣ ଅଛି ।

ପୂର୍ବରୁ ବି ମତାନ୍ତର

ଏହା ପ୍ରଥମ ଥର ନୁହେଁ । ୨୦୦୪ରେ ସୁଦୀପ ଏବଂ ମମତାଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଏହାପରେ ସୁଦୀପ ସ୍ୱାଧିନ ଭାବେ ସାଂସଦ ପଦ ପାଇଁ ଲଢିବେ ବୋଲି ନିଷ୍ପତ୍ତି ନେଇଥିଲେ । ପରେ ସେ କଂଗ୍ରେସରେ ମିଶିଥିଲେ । ସେତେବେଳେ ନୟନା ସ୍ୱାମୀଙ୍କ ସମର୍ଥନରେ ଥିଲେ । ଫଳରେ ଟିଏମସିରୁ ତାଙ୍କୁ ବିଦା କରାଯାଇଥିଲା । ପରେ ଉଭୟ ଟିଏମସିରେ ପୁଣି ସାମିଲ ହୋଇଥିଲେ ।

ଅନ୍ୟ ନେତାଙ୍କ ବିବାଦୀୟ ମନ୍ତବ୍ୟ

ସୁଦୀପ ବିଦ୍ରୋହୀ କ୍ୟାମ୍ପରେ ମିଶିବା ପରେ ଟିଏମସି ମୁଖପାତ୍ର କୁନାଲ ଘୋଷ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହା ବିଜେପିର ଷ୍ଟ୍ରାଟେଜି । ନେତାଙ୍କ ସହ ନେତ୍ରୀ ଫ୍ରି । ଏପରିକି ସୁଦୀପ ତାଙ୍କ ସହ ଏକ ଚଳନ୍ତା ବିୟୁଟି ପାର୍ଲର ମଧ୍ୟ ବିଜେପିରେ ମିଶିବେ ବୋଲି ସେ କହିଥିଲେ । ଯାହାକୁ ବିରୋଧ କରିଥିଲେ ନୟନା । ଏପରି ଭାଷା ଶୋଭନୀୟ ନୁହେଁ । ସେ ନିଜେ ଦିଦିଙ୍କ ସହ ଏବାବଦରେ କଥା ହୋଇଥିବା ନୟନା ପ୍ରକାଶ କରିଥିଲେ ।